କୁଳଦେବୀଙ୍କୁ ଖୁସି କରିବାକୁ ସ୍ତ୍ରୀର ବଳି ପକାଇଲା ସ୍ୱାମୀ, ପୁଅ ଖୋଲିଲା ରାଜ୍‌

କୁଳ ଦେବୀଙ୍କୁ ଖୁସି କରିବା ପାଇଁ ବଳି ପକାଇବା ଏକ ପୁରୁଣା ପରମ୍ପରା। ଆଗରୁ ଲୋକମାନେ ମନୋସ୍କାମନା ପୂରଣ କରିବା ପାଇଁ ଦେବାଦେବୀଙ୍କ ସାମ୍ନାରେ କୁକୁଡ଼ା, ଛେଳିଙ୍କୁ ବଳି ପକାଉଥିଲେ। କିନ୍ତୁ ଏବେ ଯୁଗ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ବି ବଦଳିଛି। ବଳିକୁ ଏକ କୁସଂସ୍କାର ମନେ କରି ଲୋକମାନେ ଭୁଲିଯିବାକୁ ବସିଥିବା ବେଳେ ସମାଜରେ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ବଳିକୁ ବିଶ୍ୱାସ କରୁଛନ୍ତି। ଉତ୍ତର ପ୍ରଦେଶରେ ଏବେ ସେଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ସିଙ୍ଗରୋଲିର ବସୌଡ଼ା ଗାଁରେ ବୁଧବାର ରାତିରେ ଜଣେ ତାନ୍ତ୍ରିକ କୁଳ ଦେବୀଙ୍କୁ ଖୁସି କରିବା ପାଇଁ ପୁଅ ସାମ୍ନାରେ ହିଁ ପତ୍ନୀଙ୍କ ବଳି ଚଢ଼ାଇ ଦେଇଛି। ପୁଅ ପୋଲିସ ଆଗରେ ମୁହଁ ଖୋଲିବା ପରେ ସତ ସାମ୍ନାକୁ ଆସିଛି।

ବସୌଡ଼ା ଗାଁର ଛିପା ଟୋଲା ନିବାସୀ ତାନ୍ତ୍ରିକ ବ୍ରଜେଶ କେବଟ ବୁଧବାର ରାତିରେ ନିଜ ସ୍ତ୍ରୀ ବିଟ୍ଟି ଦେବୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା। ଏହି ସମୟରେ ତାଙ୍କ ପୁଅ ଶୁଭେନ୍ଦ୍ର କୁମାର(୧୦) ଓ ମନୋଜ କେବଟ(୮) ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ମା’ଙ୍କ ଚିତ୍କାର ଶୁଣି ଉଭୟ ପିଲା ଘରୁ ଦଉଡ଼ି ପଳାଇଥିଲେ। ସକାଳେ ସେମାନେ ଗାଁଲୋକଙ୍କୁ ସମସ୍ତ ଖବର କହିଦେଇଥିଲେ। ପରେ ପୋଲିସ ପହଞ୍ଚି ତଦନ୍ତ କରିବାରୁ ଘଟଣାଟି ସତ ବୋଲି ଜାଣିବାକୁ ପାଇଥିଲା। ଏଥିସହ ବିଟ୍ଟିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

crime

ଘଟଣାର ୨୪ ଘଣ୍ଟା ମଧ୍ୟରେ ଗାଁ ପାଖ ଜଙ୍ଗଲରୁ ପୋଲିସ ବ୍ରଜେଶକୁ ଗିରଫ କରିଥିଲା। ତିନି ଘଣ୍ଟା ଜେରା ପରେ ବ୍ରଜେଶ ସବୁ ସତ ମାନିଛି। ସେ କୁଳ ଦେବୀଙ୍କୁ ଖୁସି କରିବାକୁ ପତ୍ନୀକୁ ବଳି ପକାଇଥିବା କହିଛି। ଏହା ପରେ ପୋଲିସ ହତ୍ୟା ପାଇଁ ବ୍ୟବହୃତ କୁରାଢ଼ୀକୁ ଜବତ କରିଛି। ତେବେ କୁସଂସ୍କାର ଯୋଗୁ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଜେଲରେ ଥିବାରୁ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଦୁଇ ନିରୀହ ପିଲାଙ୍କ ଜୀବନ।

You might also like