ବିବାହ ପରେ ସୁଖ ରହିଲାନି…କୂଅରେ ଖସିପଡ଼ିଲା ଦ୍ରୁତଗାମୀ ଅଟୋ; ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ରରେ ଏକ ଯାତ୍ରୀବାହୀ ଅଟୋ କୂଅରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମହାରାଷ୍ଟ୍ରରେ ଏକ ଯାତ୍ରୀବାହୀ ଅଟୋ କୂଅରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ପୁଣେର ଜେଜୁରୀରେ ଦେବ ଦର୍ଶନ କରିବାକୁ ନବ ଦମ୍ପତି ଯାଇଥିଲେ। ଦର୍ଶନ ସାରି ସେମାନେ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ସେମାନଙ୍କ ବ୍ୟତୀତ ଅଟୋରେ ଆଉ ୩ ଜଣ ଯାତ୍ରୀ ମଧ୍ୟ ଥିଲେ।

ଖବରରୁ ଜଣାପଡ଼ିଛି ଯେ ଅଟୋରେ ମୋଟ ୫ ଜଣ ଯାତ୍ରୀ ଥିଲେ। ଯେତେବେଳେ ସମସ୍ତେ ଧାୟରୀ ଆସୁଥିଲେ, ସେହି ସମୟରେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଅଟୋଟି ଦ୍ରୁତ ଗତିରେ ଯାଉଥିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଅଟୋ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅରେ ପଡ଼ିଯାଇଥିଲା।

ଘଟଣା ରାତି ପ୍ରାୟ ସାଢ଼େ ୮ଟା ବେଳର ବୋଲି କୁହାଯାଉଛି। ଯେତେବେଳେ ଅଟୋଟି କୂଅକୁ ଖସିପଡ଼ିଥିଲା, ସେଠାରେ ଉପସ୍ଥିତ କିଛି ଲୋକ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କୂଅରେ ପଡ଼ିଥିବା ଲୋକଙ୍କୁ ବାହାର କରାଯାଇଥିଲା। ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପରଦିନ ସକାଳେ କ୍ରେନ୍‌ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଅଟୋକୁ କୂଅ ଭିତରୁ ବାହାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.