Below header

ନିର୍ଭୟା ଦୋଷୀ ମୁକେଶ ଫାଶୀ ପାଇବା ନିଶ୍ଚିତ ହୋଇଗଲା, ଆବେଦନ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ଦିଲ୍ଲୀ, କେନ୍ୟୁଜ୍(ବ୍ୟୁରୋ): ନିର୍ଭୟା ଦୋଷୀ ମୁକେଶ ସିଂର ଆବେଦନ ଖାରଜ। ମୁକେଶର ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ। ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ମୁକେଶ ଏକ ପିଟିସନ ଦାୟର କରିଥିଲା। ତେବେ ଆବେଦନର କୌଣସି ଯୋଗ୍ୟତା ନଥିବା କୋର୍ଟ କହିଛନ୍ତି। ଗତକାଲି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆର ଭାନୁମତୀ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ ବୋପାନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ରାଷ୍ଟ୍ରପତି ସବୁ ଦସ୍ତାବିଜ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନେଇଛନ୍ତି। ତିହାର ଜେଲରେ ରହିବା ସମୟରେ ଦୋଷୀଙ୍କୁ ମାଡ ମରାଯିବା ସହ ଯୌନ ନିର୍ଯାନତା ଦିଆଯାଉଥିବା ମୁକେଶଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ । ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ । ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ଆଉ ୩ ଦିନ ବାକି ।

କଣ କହିଲେ ସୁପ୍ରିମ୍‌ କୋର୍ଟ

ଆଜି ସାର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ । ଏହାପରେ ମୁକେଶ ପାଇଁ ଫାଶୀରୁ ଖସି ଯିବାର ଆଉ କୌଣସି ବାଟ ନାହିଁ । ମୁକେଶ ଓକିଲଙ୍କ ପକ୍ଷରୁ ଆବେଦନରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ତରବରିଆ ଭାବେ ରାଜକ୍ଷମାକୁ ଖାରଜ କରିଛନ୍ତି । ତେବେ ଏକଥାକୁ ଅଗ୍ରାହ୍ୟ କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ସବୁ ତଥ୍ୟ ପ୍ରମାଣକୁ ଦେଖଇଲା ପରେ ରାଷ୍ଟ୍ରପତି ତରବରିଆ ଭାବେ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।
ଅନ୍ୟପଟେ ଜେଲ୍‌ ଭିତରେ ମୁକେଶ ପ୍ରତି ଖରାପ ବ୍ୟବହାର ହୋଇଥିବାର ଯେଉଁ ଅଭିଯୋଗ ହୋଇଛି ସେ କଥାରେ ତାକୁ ଦୟା ମିଳି ପାରିବ ନାହିଁ । ସେହିପରି ରାଜକ୍ଷମା ନିଷ୍ପତ୍ତି ଶୀଘ୍ର ଦିଆଯିବାର ଅର୍ଥ ନୁହେଁ ଯେ ଫଇସଲା ଠିକ୍‌ ହୋଇ ନାହିଁ । ଏ ସବୁ କହିବା ସହ ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.