ଜମ୍ମୁ ଓ କଶ୍ମୀରରୁ କର୍ଫ୍ୟୁ ତୁରନ୍ତ ହଟାଇବା ଆବେଦନକୁ ଟାଳି ଦେଲେ ସୁପ୍ରିମକୋର୍ଟ

ଜମ୍ମୁ ଓ କଶ୍ମୀରରୁ କର୍ଫ୍ୟୁ ତୁରନ୍ତ ହଟାଇବା ପାଇଁ ଆବେଦନକୁ ଟାଳି ଦେଇଛନ୍ତି ସୁପ୍ରିମକୋର୍ଟ। ଜମ୍ମୁ ଓ କଶ୍ମୀରରୁ କର୍ଫ୍ୟୁ ହଟାଇବା ସହ ଟେଲିଫୋନ ଲାଇନ, ଇଣ୍ଟରନେଟ, ନ୍ୟୁଜ ଚାନେଲ ଚାଲୁ କରିବା ଓ ଅନ୍ୟ କଟକଣା ହଟାଇବା ଲାଗି ଆଉ କିଛି ସମୟ ଲାଗିବ। ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜମ୍ମୁ ଓ କଶ୍ମୀରରୁ କର୍ଫ୍ୟୁ ହଟାଇବା ସ୍ଥିତିରେ ସୁଧାର ଆଣିବା ପାଇଁ ସମାଜସେବୀ ତେହସିନ ପୁନୱାଲା କରିଥିବା ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ମତ ରଖିଛନ୍ତି। ସ୍ୱାଭାବିକ ସ୍ଥିତି ଫେରିବାକୁ କେତେ ସମୟ ଲାଗିବ ବୋଲି, କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ପରବର୍ତ୍ତି ଶୁଣାଣୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଜମ୍ମୁ ଓ କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଧାରା ଉଚ୍ଛେଦ ହେବା ପୂର୍ବରୁ ଗତ ୪ ତାରିଖରୁ କର୍ଫୁ ଲାଗିଛି। ଟେଲିଫୋନ ଲାଇନ, ଇଣ୍ଟରନେଟ, ନ୍ୟୁଜ ଚାନେଲ ଠପ ହୋଇଛି। କର୍ଫୁ ଲାଗୁ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା, ଓମାର ଅବଦୁଲ୍ଲା, ମେହେବୁବା ମୁଫ୍‌ତି ସମେତ ପ୍ରାୟ ଶହେରୁ ଅଧିକ ନେତାଙ୍କୁ ଗିରଫ କରାଯାଇଛି। ଯାହା ସମ୍ବିଧାନର ୧୯ ଓ ୨୧ ଧାରା ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀଙ୍କ ଓକିଲ ଆଜି କୋର୍ଟଙ୍କ ନିକଟରେ ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ଆଡଭୋକେଟ ଜେନେରାଲ କେ.କେ. ଭେନୁଗୋପାଳ କହିଛନ୍ତି, କର୍ଫ୍ୟୁ ଲାଗିବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ବି ଲୋକଙ୍କ ମୃତ୍ୟୁ ଘଟିନି। ବରଂ ୨୦୧୬ ମସିହାରେ ତିନି ମାସ ମଧ୍ୟରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବିଷୟରେ ସେ ଉଥାପନ କରିଥିଲେ। ପ୍ରତିଦିନ ଜିଲ୍ଲାପାଳମାନେ ସ୍ଥିତି ଅନୁଧ୍ୟାନ କରି କେନ୍ଦ୍ରକୁ ଅବଗତ କରାଉଥିବା କହିଛନ୍ତି ସୋଲିସିଟର ଜେନେରାଲ ତୁଷାର ମେହେଟା।