SUV ଝରକାରେ ଲଟକି ରହିଥିଲେ ରିକ୍ସା ଚାଳକ; ନ ଅଟକି ଦ୍ରୁତ ଗତିରେ ଯାଇଥିଲା କାର୍‌…ରାସ୍ତା ଉପରେ ପଡ଼ି ଚାଳକ ମୃତ

ଲକ୍ଷ୍ନୌରେ ଶନିବାର ଦ୍ୱିପ୍ରହରରେ ଏକ SUV ଜଣେ ଇ-ରିକ୍ସା ଚାଳକଙ୍କୁ ଜୋର୍‌ ଧକ୍କା ଦେଇଥିଲା। ଫଳରେ ଚାଳକ ଜଣକ କାର୍‌ ଡୋର୍‌ରେ ଫସି ଯାଇଥିଲେ। କିନ୍ତୁ ଡ୍ରାଇଭର ଗାଡ଼ି ନ ଅଟକାଇ କାର୍‌କୁ ଦ୍ରୁତ ଗତିରେ ଚଲାଇ ନେଇଥିଲେ, ଯାହାଫଳରେ ରାସ୍ତା ଉପରେ ପଡ଼ି ରିକ୍ସା ଚାଳକଙ୍କ ମୃତ୍ୟୁ ଘଟିଥିଲା।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଏସ୍‌ୟୁଭି ଜଣେ ରିକ୍ସା ଚାଳକଙ୍କୁ ଏତେ ଜୋର୍‌ରେ ଧକ୍କା ମାରିଥିଲା ଯେ ଚାଳକ ଜଣକ ଉପରକୁ ଉଠି ଗାଡ଼ିର ଝରକାରେ ଲଟକି ଯାଇଥିଲେ। ତଥାପି କାର୍‌ ସେଠାରେ ଅଟକି ନ ଥିଲା ଏବଂ ଦ୍ରୁତ ଗତିରେ ଚାଳକଙ୍କୁ ଲଟକାଇ ଆଗକୁ ନେଇଯାଇଥିଲା। କିଛି ଦୂର ଯିବା ପରେ ରିକ୍ସା ଚାଳକ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଥାଉ କି, କାର୍‌ ଗୋପାଳ ଅଗ୍ରଓ୍ଵାଲଙ୍କ ନାମରେ ପଞ୍ଜୀକୃତ ହୋଇଛି ଏବଂ ମୃତ ରିକ୍ସା ଚାଳକଙ୍କ ନାମ ଜିତୁ ବୋଲି ଜଣାପଡ଼ିଛି। ପୋଲିସ ଏ ନେଇ ମାମଲା ରୁଜୁ କରି ଏସ୍‌ୟୁଭି କାର୍‌ ଡ୍ରାଇଭରଙ୍କୁ ଗିରଫ କରିଛି। ଶନିବାର ଦ୍ୱିପ୍ରହର ପ୍ରାୟ ୧ଟାରେ ଏହି ଘଟଣା ଘଟିଛି। ପୂରା ଘଟଣାର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଦେଖାଯାଇ ପାରିବ ଯେ କେଉଁଭଳି ଭାବେ ଯୁବକ କାର୍‌ରେ ଲଟକି ରହିଛନ୍ତି।

ରିକ୍ସା ଚାଳକଙ୍କୁ କାର୍‌ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। କିଛି ଦୂର ଯିବା ପରେ ଚାଳକ ଜଣକ ରାସ୍ତା ଉପରେ ହିଁ ପଡ଼ି ଯାଇଥିଲେ। ଆଖାପାଖର ଲୋକେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ରିକ୍ସା ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ମୃତକଙ୍କ ମାମୁଁଙ୍କ କହିବା ହେଲା, ଯଦି ଜିତୁଙ୍କୁ ଠିକ୍‌ ସମୟରେ ଚିକିତ୍ସା ମିଳି ଥାଆନ୍ତା, ତା’ ହେଲେ ତାଙ୍କ ଜୀବନ ରକ୍ଷା ପାଇଯାଇ ଥାଆନ୍ତା। ସେ ରାସ୍ତା ଉପରେ ଆହତ ଅବସ୍ଥାରେ ବହୁ ସମୟ ଧରି ପଡ଼ି ରହିଥିଲେ, କିନ୍ତୁ କେହି ତାଙ୍କୁ ହସ୍ପିଟାଲ ନେଇ ଯାଇ ନ ଥିଲେ ବା ସାହାଯ୍ୟ ପାଇଁ ଆଗେଇ ଆସି ନ ଥିଲେ। ପୋଲିସ ସୂଚନା ଅନୁସାରେ, କାର୍‌ ମାଲିକଙ୍କ ନାମ ଗୋପାଳ ଅଗ୍ରଓ୍ଵାଲ। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.