ଏସିଆରେ ବିନାଶ ଘଟିବ, ଚୀନକୁ ତାଇୱାନର ଚେତାବନୀ

ଚୀନ ଓ ତାଇୱାନ ମଧ୍ୟରେ ସମ୍ପର୍କ ଦିନ କୁ ଦିନ ଖରାପ ହେବାରେ ଲାଗିଛି । ଗତ ଅକ୍ଟୋବର ୧ ତାରିଖରେ ଚୀନ ନିଜ ରାଷ୍ଟ୍ରୀୟ ଦିବସ ପାଳନ କରିବା ଅବସରରେ ତା ସୈନ୍ୟ ଶକ୍ତି “ପିପୁଲ୍ସ ଲିବରେସନ ଆର୍ମି” ତାଇୱାନର ଵାୟୁସୀମାରେ ୩୮ଟି ଲଢୁଆ ବିମାନକୁ ଦୁଇ ଦୁଇ ଥର ଉଡାଇଥିଲେ । ଯାହାକୁ ଏପର୍ଯ୍ୟନ୍ତର ସବୁଠୁ ବଡ ଆକ୍ରମଣ ଭାବରେ ଧରାଯାଉଛି । ଏବେ ଏହି ମାମଲାକୁ ନେଇ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନଙ୍କ ଏକ ବୟାନ ସାମ୍ନାକୁ ଆସିଛି । ୱେନ ନିଜ ବୟାନରେ କହିଛନ୍ତିକି ଯଦି ଚୀନ ତାଇୱାନ ଉପରେ କବ୍ଜା କରିବାକୁ ଚେଷ୍ଟା କରେ ତେବେ ଏସିଆରେ ଏହାର ଗମ୍ଭୀର ଓ ବିନାଶକାରୀ ସ୍ଥିତି ଉପୁଜିପାରେ । ଏକ ବିଦେଶୀ ପତ୍ରିକାରେ ରାଷ୍ଟ୍ରପତି ଏହି ମତ ରଖିଥିବା ଜଣାଯାଇଛି । ସେ ଏହା ମଧ୍ୟ କହିଛନ୍ତିକି ତାଇୱାନ ସେନା କେବେ ବି ଚୀନ ସହିତ ମୁହାଁମୁହିଁ ହେବାକୁ ଚାହିଁବ ନାହିଁ । କିନ୍ତୁ ନିଜକୁ ବଂଚେଇବା ପାଇଁ ଯାହା ବି କରିବାକୁ ପଡିବ ସେ ସେଥିରୁ ପଛଘୁଞ୍ଚା ଦେବନାହିଁ ।

କହିରଖିବା ଉଚିତ ହେବକି, ତାଙ୍କର ଏହି ବୟାନ ଏମିତି ଏକ ସମୟରେ ସାମ୍ନାକୁ ଆସିଛି ଯେବେ ତାଇୱାନ ଉପରେ ଚୀନ ଜବରଦସ୍ତ ଅକ୍ତିଆର କରିବାକୁ ବାରମ୍ବାର ଚେଷ୍ଟା କରୁଛି । ଗୋଟେ ପଟରେ ତାଇୱାନ ନିଜକୁ ଏକ ସ୍ୱଶାସିତ ଗଣତନ୍ତ୍ର ଦ୍ବୀପ ଭାବରେ ଧରି ଆସୁଥିବା ବେଳେ ଅନ୍ୟପଟରେ ଚୀନ ଏହାକୁ ନିଜର ଏକ ଅଂଶ ବୋଲି ଦାବିକରୁଛି ।

୨୦୧୬ ରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବା ପରେ ଚୀନ ଏହି କ୍ଷେତ୍ରରେ ନିଜ ସୈନ୍ୟ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଧିପତ୍ୟ ଜାହିର କରିବାକୁ ବାରମ୍ବାର ଚେଷ୍ଟା କରିଆସୁଛି | ଏହି ନିର୍ବାଚନରେ ୱେନଙ୍କ ବିଜୟ ହୋଇଥିଲା । ଅନ୍ୟପଟରେ ଚିନ ଏକ ମହାଶକ୍ତି ହୋଇଥିଲେ ମଧ୍ୟ ଏଯାବତ ତାଇୱାନ ଉପରେ ସିଧାସଳଖ ଭାବରେ ଆକ୍ରମଣ କରିପାରିନାହିଁ । ଚିନ ଠାରୁ ୧୮୦ କିଲୋମିଟର ଦୂରରେ ତାଇୱାନର ଅବସ୍ଥିତି ହୋଇଥିବା ବେଳେ ଦୁହିଁଙ୍କର ରାଜନୈତିକ ଅବସ୍ଥା ପରସ୍ପର ଠାରୁ ଭିନ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.