ପଶ୍ଚିମବଙ୍ଗରେ ଜୋର ଧରିଲା ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ, ଜଗଦୀପଙ୍କୁ ଦୁର୍ନୀତି ଗ୍ରସ୍ତ କହି ଟାର୍ଗେଟ କଲେ ମମତା

କୋଲକତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ରାଜ୍ୟପାଳଙ୍କୁ ଦୁର୍ନୀତି ଗ୍ରସ୍ତ କହି ଟାର୍ଗେଟ କରିଛନ୍ତି ଦିଦି । ରାଜ୍ୟପାଳଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ ତାଙ୍କ ନାଁ ଜୈନ ହାୱାଲା ମାମଲାର ଚାର୍ଜସିଟରେ ଥିବା ଅଭିଯୋଗ କରିଛନ୍ତି । ଏଥିସହ ଜଗଦୀପଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ମମତା ୩ ଥର ଚିଠି ଲେଖିଥିବା ମଧ୍ୟ କହିଛନ୍ତି ।

ଟିଏମସି ସରକାର ପୂର୍ଣ୍ଣ ବହୁମତ ପାଇଥିବା ସତ୍ତ୍ୱେ ରାଜ୍ୟପାଳ କାହିଁକି ହୁକୁମାତି ଚଳାଉଛନ୍ତି ବୋଲି ଦିଦି ପ୍ରଶ୍ନ କରିଛନ୍ତି । ଜୁଲାଇ ୨ରେ ବେଙ୍ଗଲ ବିଧାନସଭାର ଅଧିବେଶନ ବସିବ । ଏହି ସମୟରେ ରାଜ୍ୟପାଳ ପଦରୁ ଜଗଦୀପଙ୍କୁ ହଟାଇବା ପାଇଁ ଗୃହରେ କ୍ଷମତାସୀନ ଟିଏମସି ଗୋଟିଏ ସଂକଳ୍ପ ପାରିତ କରିବ ବୋଲି ଜଣାପଡ଼ିଛି ।

୯୦ ଦଶକରେ ଜୈନ ଡାଏରୀ ମାମଲା ସାମ୍ନାକୁ ଆସିଥିଲା । ଜୈନ ଭ୍ରାତାଙ୍କ ଦ୍ୱାରା ରାଜନେତାଙ୍କ ପାଖକୁ ବ୍ୟାପକ ଅର୍ଥ ପଠା ଯାଇଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୧୮ ମିଲିୟନ ଡଲାରର ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏପଟେ ମମତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଏଭଳି ବୟାନ ଶୋଭାପାଉନି ବୋଲି ଜଗଦୀପ ଧାନକର ପ୍ରତିକ୍ରିୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.