ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ, ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ଉପରକୁ କଲେ ଆଖିବୁଜା ଗୁଳିବର୍ଷା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ। ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ବିଜୟ କୁମାର । ସେ ରାଜସ୍ଥାନର ବାସିନ୍ଦା ଥିଲେ । ଆତଙ୍କୀମାନେ ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ କରୁଛି । ଏହା ପୂର୍ବରୁ ଆତଙ୍କବାଦୀମାନେ କୁଲଗାମର ଏକ ହାଇସ୍କୁଲ ଭିତରେ ପଶି ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରି ହତ୍ୟା କରିଥିଲେ । ସେ ଜଣେ କାଶ୍ମୀର ପଣ୍ଡିତ ଥିଲେ । ଘାଟିରେ ଆତଙ୍କବାଦୀମାନେ ଲଗାତର ହିନ୍ଦୁ ନାଗରିକ ଓ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି । ୭୨ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ହତ୍ୟା। ଏହି ଘଟଣା ପରେ ଆଜି ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.