ଆସନ୍ତାକାଲି ଏକାଠି ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ, ବିଭିନ୍ନ କୋର୍ଟରେ ଥିବା ସମସ୍ୟା ସମ୍ପର୍କରେ ହେବ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ବିଜ୍ଞାନ ଭବନରେ ଏକାଠି ହେବ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏ ନେଇ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟବିଚାରପତି ଓ ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ପାଇଁ ୧୯୫୩ ନଭେମ୍ବରରେ ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ସମ୍ମିଳନୀ। ଶେଷ ଥର ପାଇଁ ୨୦୧୬ ଏପ୍ରିଲ ମାସରେ ହୋଇଥିଲା। ୬ ବର୍ଷ ପରେ ଆୟୋଜିତ ହୋଇଛି ଏହି ସମ୍ମିଳନୀ। ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆଣିବା ଏଭଳି ସମ୍ମିଳନୀର ଲକ୍ଷ୍ୟ। ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୩ । କିନ୍ତୁ ଏବେ ଅଛନ୍ତି ମାତ୍ର ୨୧ ଜଣ ବିଚାରପତି । ସେହିପରି ବିଚାରଧୀନ ହୋଇ ପଡିରହିଛି ୧ ଲକ୍ଷ ୮୯ ହଜାର ୪୨୩ ଟି ମାମଲା। କେବଳ ଓଡିଶା ନୁହେଁ ସାରା ଦେଶର ବିଭିନ୍ନ ହାଇକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟରେ ଥିବା ସମସ୍ୟା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା ହେବ। ବିଚାରପତି ନିଯୁକ୍ତି, କୋର୍ଟ ବିଲ୍ଡିଂ ଓ ଅନ୍ୟ ଜୁଡିସିଆଲ ଭିତ୍ତିଭୂମିରେ ଉନ୍ନତି ଓ ଅଦାଲତରେ ମାନବ ସମ୍ବଳ ବିକାଶ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହେବ।

ପେପର ଲେସ କୋର୍ଟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାରେ ଆରମ୍ଭ କରିଛି ଭାରତୀୟ ନ୍ୟାୟିକ ବ୍ୟବସ୍ଥା । ଡିଜିଟାଲାଇଜେସନ କାର୍ଯ୍ୟ ସମସ୍ତ ହାଇକୋର୍ଟରେ ଆରମ୍ଭ ହୋଇଛି । କୋଭିଡ ପାଇଁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଭର୍ଚୁଆଲ ଓ ହାଇବ୍ରିଡ଼ ଶୁଣାଣି ମଧ୍ୟ ଚାଲିଛି । ଏହା ଉପରେ ବିଶେଷ ଗୁରୁତ୍ୱ ରହିବ ଏହି ସମ୍ମିଳନୀରେ । ଏହା ବ୍ୟତୀତ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ଆପୋଷ ସମାଧାନ ଏବଂ ଏଡିଆର ବା ମାମଲାର ବିକଳ୍ପ ସମାଧାନ ସମ୍ପର୍କରେ ଏହି ସମ୍ମିଳନୀରେ ବିଶଦ ଭାବେ ଆଲୋଚନା ହେବ ବୋଲି ଜଣାପଡିଛି । ଜୁଡିସିଆରୀ ବା ନ୍ୟାୟ ପାଳିକାର ଏହି ସମସ୍ତ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ନିହାତି ଆବଶ୍ୟକ । ବିଲ୍ଡିଂ ନିର୍ମାଣ, ଯାନବାହନ ଯୋଗାଣଠାରୁ ଆରମ୍ଭ କରି କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଜରୁରୀ ରହିଛି । ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏଭଳି ସମ୍ମିଳନୀର ଆବଶ୍ୟକତା ଥିବାବେଳେ ସାଧାରଣ ଜନତା ତ୍ୱରିତ ନ୍ୟାୟ ପାଇବାରେ ଏହା ସହାୟକ ହୋଇ ପାରିବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.