ଆଚାର ଦେଖି ପାଟିରୁ ଗଡ଼ିଲା ଲାଳ, ୪ ଲକ୍ଷ ଟଙ୍କାର ଲୁଟ୍‌ ସାମଗ୍ରୀ ସହ ଆଚାର ଡବା ବି ନେଇ ଚାଲିଗଲେ ଡକାୟତ ଦଳ

ବିହାରର ଗୟା ଜିଲାରେ ଏକ ଅଜବ ଧରଣର ଡକାୟତି ମାମଲା ସାମ୍ନାକୁ ଆସିଛି। ଯଦିଓ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି, କିନ୍ତୁ ଏମିତି କିଛି ହରକତ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଖବରରୁ ଜଣାପଡ଼ିଛି, ଜଣେ ଡକାୟତର ନଜର ଆଚାର ଡବା ଉପରେ ପଡ଼ିବାରୁ ସେ ଡବା ପାଖକୁ ଯାଇ ଆଚାର ଚାଖିଥିଲା ଏବଂ ଡବାକୁ ବି ସାଥୀରେ ନେଇ ପଳାଇଥିଲା।

ପୋଲିସ ସୂଚନା ମୁତାବକ, ଏଠାରେ ୨୦ ଜଣିଆ ଏକ ଡକାୟତ ଗ୍ୟାଙ୍ଗ୍‌ ସିଧା ଏକ ଘର ଭିତରକୁ ପଶିଆସିଥିଲେ ଏବଂ ଘର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ବନ୍ଧକ ଭାବେ ରଖିଥିଲେ। ହତିଆର ବଳରେ ସେମାନେ ଦୁଇଜଣଙ୍କୁ ଘେରି ରହିଥିଲେ। ବାକି ଡକାୟତ ଘରେ ମନଇଚ୍ଛା ଲୁଟ୍‌ପାଟ ଚଳାଇଥିଲେ। ଘରେ ରଖାଯାଇଥିବା ନଗଦ ଦେଢ଼ ଲକ୍ଷ ଟଙ୍କା, ସୁନା ଅଳଙ୍କାର ସମେତ ପାଖାପାଖି ୪ ଲକ୍ଷରୁ ଅଧିକ ଟଙ୍କାର ଲୁଟପାଟ କରି ଚାଲିଯାଇଥିଲେ। ସମସ୍ତଙ୍କ ହାତରେ ହତିଆର ଥିଲା।

ତେବେ ଦମ୍ପତି ରାତି ଖାଦ୍ୟ ଖାଇ ପ୍ରାୟ ୯ଟା ବେଳେ ଲକ୍ଷ୍ନୌରେ ରହୁଥିବା ନିଜ ଝିଅ ସହିତ କଥା ହେଉଥିଲେ। ଏହି ସମୟରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ମାତ୍ର କିଛି ମିନିଟ୍‌ ଭିତରେ ଡକାୟତମାନେ ଘରେ ଭିତରକୁ ପ୍ରବେଶ କରି ଉଭୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଏହାପରେ ପ୍ରାୟ ୩ ଘଣ୍ଟା ଧରି ଲୁଟପାଟ ଚଳାଇଥିଲେ। ଯେଉଁଠୁ ଯେଉଁଠୁ ପଇସା ଓ ଗହଣା ମିଳୁଥିଲା, ସେ ସବୁକୁ ସେ ଲୁଟି ନେଉଥିଲେ। ଏହାରି ଭିତରେ ଜଣଙ୍କ ନଜର ଆଚାର ଡବା ଉପରେ ପଡ଼ିଥିଲା। ତେବେ ଡକାୟତମାନେ ଯିବା ବେଳେ ମହିଳାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଏକ ସିଡି ଜବତ କରିଛି, ଯାହା ସାହାଯ୍ୟରେ ଡକାୟତମାନେ ଘର ଭିତରେ ପ୍ରବେଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.