ଚେତାବନୀ ଦେଲା WHO, ଚଳିତବର୍ଷ ଶେଷ ସୁଦ୍ଧା ବି ବିନାଶ ହେବ ନାହିଁ କରୋନା ମହାମାରୀ !

କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଲୋକଙ୍କୁ ଚେତାବନୀ ଦେଇଛି। ଏହା କହିଛି ଯେ ଏବେ କରୋନା ଯାଉନି। ଏହା କହିବା ଭୁଲ୍‌ ହେବ କି, ୨୦୨୧ ଶେଷ ଆଡ଼କୁ ମହାମାରୀ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇଯିବ। WHO ହେଲ୍‌ଥ ଇମରଜେନ୍ସି ପ୍ରୋଗ୍ରାମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ମାଇକଲ ରେୟାନ କହିଛନ୍ତି, ଏହା ଆଶ୍ୱସ୍ତିର କଥା ଯେ ଭ୍ୟାକ୍ସିନ ଆସିବା ଦ୍ୱାରା ଏଣିକି ହସ୍ପିଟାଲ ଯିବା ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବ।

ଏପଟେ ଇରାନ୍‌ କରୋନାର ୪ର୍ଥ ଲହରୀକୁ ନେଇ ଦେଶରେ ଚେତାବନୀ ଜାରି କରିଛି। ଏଠାରେ ପ୍ରତି ୨୪ ଘଣ୍ଟାରେ ୧୦୦ ଲୋକଙ୍କ ମୃତ୍ୟୁ ପରେ ସାବଧାନ କରାଯାଇଛି। ଜାନୁଆରୀ ପରେ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ଏତେ ଉପରକୁ ଯାଇଛି। ସେହିପରି ଫିନ୍‌ଲାଣ୍ଡ ବି ଇମରଜେନ୍ସି ଘୋଷଣା କରି ଦେଇଛି। ଏଠାରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଇମରଜେନ୍ସି ଘୋଷଣା ନେଇ ସଂସଦରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ୮ ମାର୍ଚ୍ଚରୁ ୩ ସପ୍ତାହ ପାଇଁ ସମସ୍ତ ରେଷ୍ଟୁରାଣ୍ଟ ବନ୍ଦ ରହିବାକୁ ଘୋଷଣା କରାଯାଇଛି। ଏଥିସହିତ ଅନ୍ୟ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି।

୧୪୨ ଦେଶକୁ ୨ କୋଟି ୩୭ ଲକ୍ଷ ଭ୍ୟାକ୍ସିନ୍‌ ଡୋଜ୍‌

WHOର ଭ୍ୟାକ୍ସିନ୍‌ ବିତରଣ କାର୍ଯ୍ୟକ୍ରମ ‘କୋଭ୍ୟାକ୍ସ’ ଅଧୀନରେ ୧୪୨ ଦେଶରେ ୨ କୋଟି ୩୭ ଲକ୍ଷ ଭ୍ୟାକ୍ସିନ୍‌ ଡୋଜ୍‌ ବିତରଣ କରାଯାଉଛି। ସଙ୍ଗଠନର ପ୍ରମୁଖ ଟେଡ୍ରୋସ୍‌ ଅଦନୋନ ଘେବରେସସ କହିଛନ୍ତି, କୋଭ୍ୟାକ୍ସ କାର୍ଯ୍ୟକ୍ରମ ଅଧୀନରେ ଅଙ୍ଗୋଲା, କମ୍ବୋଡିଆ, କଙ୍ଗୋ, ନାଇଜେରିଆ ଓ ଘାନାରେ ଭ୍ୟାକ୍ସିନ୍‌ ବିତରଣ କରାଯାଇଛି। ବ୍ରାଜିଲ୍‌ରେ ରୋଗୀ ସଂଖ୍ୟା ବୃଦ୍ଧି ଏବଂ ହସ୍ପିଟାଲଗୁଡ଼ିକର ଅବସ୍ଥା ଖରାପ ଯୋଗୁ ସ୍ୱାସ୍ଥ୍ୟ ଅଧିକାରୀମାନେ ଲକ୍‌ଡାଉନ ଓ କର୍ଫ୍ୟୁ ଲଗାଇବାକୁ କହିଛନ୍ତି। ଇଟାଲିରେ ବି ଦ୍ରୁତ ଗତିରେ ରୋଗୀ ସଂଖ୍ୟା ବଢ଼ୁଛି।

WHOର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କରେନା ମହାମାରୀ ସମୟରେ ଅଦ୍ଭୁତ କ୍ଷମତା ସହିତ କାମ କରିବା ପାଇଁ ଭାରତକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭାରତରେ ୩୦ରୁ ଅଧିକ ଭ୍ୟାକ୍ସିନ୍‌ ବିକଶିତ କରାଯାଉଛି। ସେଥିମଧ୍ୟରୁ ଦୁଇଟି ‘କୋଭ୍ୟାକ୍ସିନ୍‌ ଏବଂ କୋଭିଶିଲ୍ଡ’ର ପ୍ରୟୋଗ ଆରମ୍ଭ ହୋଇଯାଇଛି। ଭାରତ ଏହି ଦୁଇଟି ଭ୍ୟାକ୍ସିନ୍‌କୁ ବିଭିନ୍ନ ଦେଶକୁ ବିତରଣ କରିବା ମଧ୍ୟ ଆରମ୍ଭ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.