ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧାର ହେବାରେ ଲାଗିଛି, ମିଶନ୍ ଚନ୍ଦ୍ରାୟନ-୨କୁ ନେଇ କ୍ଷୀଣ ହୋଇଛି ଇସ୍ରୋର ଆଶା
କେନ୍ୟୁଜ୍ (ବ୍ୟୁରୋ):ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧାର ହେବାରେ ଲାଗିଛି। ଏହା ସହ ମିଶନ୍ ଚନ୍ଦ୍ରାୟନ-୨କୁ ନେଇ କ୍ଷୀଣ ହୋଇଛି ଇସ୍ରୋର ଆଶା। ରାତି ହେବା ସହ ଚନ୍ଦ୍ରର ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯିବ। ବିକ୍ରମ ଲ୍ୟାଣ୍ଡର କୌଣସି ପ୍ରକାର ରେଡିଓ ଆଇସୋଟପ ହିଟର ଲାଗିନି। ଫଳରେ ଲ୍ୟାଣ୍ଡରରେ ଥିବା ସୌର ପ୍ୟାନେଲ୍ ଚାର୍ଜ ହେବ ନାହିଁ । ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ,ଭୂପୃଷ୍ଠରେ ୧୪ ଦିନ ସହ ସମାନ । ତାପମାତ୍ରା ହ୍ରାସ ସହ ଅଧିକ ଥଣ୍ଡା କାରଣରୁ ବିକ୍ରମ ସହ ସମ୍ପର୍କ ସ୍ଥାପନ ଏକ ପ୍ରକାର ଅସମ୍ଭବ ହୋଇଯିବ। ୭ ତାରିଖ ଭୋର ୧ଟା ୫୫ ମିନିଟିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ବିକ୍ରମ । କିଛି ସମୟ ପରେ ବିକ୍ରମ ଦେହରୁ ବାହରିଥାନ୍ତା ରୋଭର ପ୍ରଜ୍ଞା । କିନ୍ତୁ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ସଂପର୍କ ବିଛିନ୍ନ ହେବାର ଦୁଇ ଦିନ ପରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କରିଥିଲା ଅରବିଟର୍ । ପଠାଇଥିଲା ଏହାର ଥର୍ମାଲ ଇମେଜ୍ । ଆଗକୁ ୭ବର୍ଷ ଯାଏ ଲ୍ୟାଣ୍ଡର ବିକ୍ରମ ବିଷୟରେ ଅପଡେଟ ଦେବ ବୋଲି କହିଛନ୍ତି ଇସ୍ରୋର ବୈଜ୍ଞାନିକ।