ପାକିସ୍ତାନରେ ଉଡ଼ିଲା ‘ତ୍ରିରଙ୍ଗା’, ଏମିତି ପାଳନ କଲେ ଭାରତର ସ୍ୱାଧୀନତା ଦିବସ
ଭାରତର ୭୩ତମ ସ୍ୱାଧୀନତା ଦିବସ କେବଳ ଦେଶରେ ହିଁ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ପାଳନ କରାଯାଉଛି। ଯେଉଁଠି ଯେଉଁଠି ଭାରତୀୟମାନେ ରହିଛନ୍ତି, ସେଠାରେ ସ୍ୱାଧୀନତା ଦିବସର ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେଉଛି। ଏହି କ୍ରମରେ ପାକିସ୍ତାନରେ ମଧ୍ୟ ଭାରତର ତ୍ରିରଙ୍ଗା ଉଡ଼ିଛି। ପାକିସ୍ତାନର ଇସ୍ଲାମାବାଦଠାରେ ଥିବା ଭାରତୀୟ ଦୂତାବାସରେ ଉଡ଼ାଯାଇଛି ଭାରତର ଜାତୀୟ ପତାକା। ଏଠାକାର ଅଧିକାରୀ ଗୌରବ ଅହଲୁଆଲିୟା ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ରପତିଙ୍କ ସନ୍ଦେଶ ପଢ଼ିଥିଲେ। ଏହି ସମୟରେ ସେଠାରେ ବହୁ ସଂଖ୍ୟକ ଭାରତୀୟ ଉପସ୍ଥିତ ଥିଲେ।
ଏହାସହ ପଢ଼ନ୍ତୁ: ଧାରା ୩୭୦ ଉଚ୍ଛେଦ ହେବା ପରେ ନୂଆ କଶ୍ମୀରରେ ପାଳନ ହେଉଛି ପ୍ରଥମ ସ୍ୱାଧୀନତା ଦିବସ
କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିୟାଙ୍କୁ ଭାରତ ଫେରିଯିବାକୁ କହିଥିଲା ଏବଂ ଏହାପରେ ପାକିସ୍ତାନ ଦ୍ୱିପାକ୍ଷିକ ବ୍ୟପାରକୁ ମଧ୍ୟ ସସ୍ପେଣ୍ଡ କରିଦେଇଥିଲା। ତେଣୁ ଅଜୟ ବିସାରିୟାଙ୍କ ଅନୁପସ୍ଥିତିରେ ଦୂତାବାସରେ ଗୌରବ ଅହଲୁଆଲିୟା ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ଦିବସ ସମାରୋହରେ କୁନି କୁନି ପିଲା ମଧ୍ୟ ସାମିଲ ହୋଇଥିଲେ। ଦୂତାବାସର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଫଟୋକୁ ଅଜୟ ବିସାରିୟା ବି ରିଟୁଇଟ୍ କରିଛନ୍ତି। ତେବେ ପାକିସ୍ତାନ ଭଳି ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ମଧ୍ୟ ତ୍ରିରଙ୍ଗା ଉଡ଼ାଯାଇଛି।