ସରକାରଙ୍କ ନୂଆ ନିୟମ! ଛାତ୍ରାବାସରେ ମାଆ ସହିତ ରହିବେ ପିଲା, ନିର୍ଦ୍ଧାରିତ ସମୟ ଶେଷ ହେଲେ ହଷ୍ଟେଲ କର୍ତ୍ତୃପକ୍ଷ ମାଗିବେ ଫିଡ୍‌ବ୍ୟାକ

ତ୍ରିପୁରା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ରାଜ୍ୟର ସରକାରୀ ଛାତ୍ରାବାସ ଏବଂ ବୋର୍ଡିଙ୍ଗ୍‌ ସ୍କୁଲଗୁଡ଼ିକରେ ରହୁଥିବା ପିଲାଙ୍କ ସହିତ ସେମାନଙ୍କ ମାଆମାନଙ୍କୁ ମଧ୍ୟ ରହିବା ପାଇଁ ଅନୁମତି ଦିଆଯାଇଛି। ତ୍ରିପୁରା ଶିକ୍ଷା ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି, ଏହି ଯୋଜନା ରାଜସ୍ଥାନ କୋଟାର ଘରୋଇ କୋଚିଂ ସଂସ୍ଥାଗୁଡ଼ିକଠାରୁ ପ୍ରେରଣା ନେଇ ଆରମ୍ଭ କରାଯାଇଛି। ତାଙ୍କ କହିବା ଅନୁସାରେ, ଏହି ଯୋଜନା ଛାତ୍ରାବାସଗୁଡ଼ିକରେ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ କରଯାଇଛି, ଯାହାକି ପିଲାମାନଙ୍କର ଏକାଡେମିକ୍‌ ଉନ୍ନତି ପାଇଁ ଆବଶ୍ୟକ। ସେ କହିଛନ୍ତି କି, ପିଲାମାନଙ୍କର ମାଆମାନେ ଏକ ସପ୍ତାହ ପାଇଁ ହଷ୍ଟେଲରେ ରହି ପାରିବେ। ଏଥିରେ କେହି ବି ଲୋକାଲ ଗାର୍ଡିୟନ ଯେପରି ଭଉଣୀ, ମଉସୀ, ପିଉସୀ ଆଦି ସାମିଲ ହୋଇ ପାରିବେ ନାହିଁ।

ରତନ ଲାଲ ନାଥ ଆହୁରି କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଆଦିବାସୀ କଲ୍ୟାଣ, ଏସ୍‌ସି କଲ୍ୟାଣ ଏବଂ ସଂଖ୍ୟାଲଘୁ କଲ୍ୟାଣ ଭଳି ବିଭାଗ ଅଧୀନରେ ୨୦୦୪ ଛାତ୍ରାବାସ ରହିଛି। ଯୋଜନା ଅନୁସାରେ, ଥରକେ ଦୁଇଜଣ ମାଆ ଛାତ୍ରାବାସରେ ଏକ ସପ୍ତାହ ପାଇଁ ନିଜ ପିଲା ସହିତ ରହି ପାରିବେ। ଛାତ୍ରାବାସ ପ୍ରଭାରୀ ଏବଂ ଅଧୀକ୍ଷକମାନଙ୍କୁ ମାଆମାନଙ୍କର ରହିବା ପାଇଁ ସୁବ୍ୟବସ୍ଥା କରିବାକୁ କୁହାଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ ପିଲାଙ୍କର ମାଆମାନେ ନିର୍ଦ୍ଧାରିତ ଗୋଟିଏ ସପ୍ତାହ ପାଇଁ ହିଁ ଛାତ୍ରାବାସ ପରିସରରେ ରହି ପାରିବେ।

ଶିକ୍ଷା ମନ୍ତ୍ରୀଙ୍କ କହିବା ହେଲା, ଛାତ୍ରାବାସରେ ମାଆଙ୍କ ଉପସ୍ଥିତିରେ ପିଲାମାନଙ୍କଠାରେ ସୁରକ୍ଷା ଭାବନା ସୃଷ୍ଟି ହେବ ଏବଂ ଏକାଡେମିକ୍‌ ଉନ୍ନତିରେ ମଧ୍ୟ ସେମାନଙ୍କ ଭାଗିଦାରୀ ବଢ଼ିବ। ଛାତ୍ରାବାସ ପ୍ରଭାରୀ ଓ ଅଧୀକ୍ଷକ ହଷ୍ଟେଲରେ ସଫାସୁତରା ଏବଂ ପିଲାମାନଙ୍କୁ ଦିଆ ଯାଉଥିବା ଭୋଜନ ତଥା ଅନ୍ୟାନ୍ୟ ସୁବିଧା ଭଳି ପ୍ରସଙ୍ଗରେ ମାଆମାନଙ୍କଠାରୁ ଫିଡ୍‌ବ୍ୟାକ ନେବେ। ମାଆମାନଙ୍କ ରହିବା ପାଇଁ ହଷ୍ଟେଲରେ ଅଲଗା ଭାବେ ବ୍ୟବସ୍ଥା କରାଯିବ, ଯେମିତିକି, ଆବାସ, ଶୌଚାଳୟ ଇତ୍ୟାଦି। ମନ୍ତ୍ରୀ ଏହା ମଧ୍ୟ କହିଥିଲେ କି, ଯେଉଁଠି ସୁବିଧା ଉପଲବ୍ଧ ନ ଥିବ, ସେଠାରେ ଏହି ଯୋଜନା ଲାଗୁ କରାଯିବ ନାହିଁ। ତେବେ ଏହି ଯୋଜନା କେବଳ ଆଇନଗତ ରୂପରେ ପ୍ରମାଣିତ ତଥା ବାୟୋଲୋଜିକାଲ ମାଆମାନଙ୍କ ପାଇଁ ଉପଲବ୍ଧ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟ କୌଣସି ଅଭିଭାବକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଏହାଛଡ଼ା ଯେଉଁ ମାଆମାନଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ରହିବା ପାଇଁ ଅନୁମତି ଦିଆଯିବ, ସେମାନେ ଧାର୍ଯ୍ୟ ସମୟକୁ କମ୍‌ କରି ପାରିବେ। କିନ୍ତୁ ଏହାକୁ ବଢ଼ାଇବାକୁ ଅନୁମତି ଦିଆଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.