୪୧ ଜୀବନ ବଞ୍ଚାଇଥିବା ‘ର‍୍ୟାଟ୍‌ ମାଇନର୍ସ’ଙ୍କୁ ମିଳିବ ୫୦,୦୦୦ ଲେଖାଏ ପୁରସ୍କାର ରାଶି, ଘୋଷଣା କଲେ ଉତ୍ତରାଖଣ୍ଡ ସରକାର

ଉତ୍ତରକାଶୀ ଟନେଲ୍‌ ଦୁର୍ଘଟଣାର ୧୭ ଦିନ ପରେ ସୁରକ୍ଷିତ ଭାବେ ବାହାରିଛନ୍ତି ସମସ୍ତ ୪୧ ଜଣ ଶ୍ରମିକ। ଏବେ ଏହି ଶ୍ରମିକମାନଙ୍କ ଜୀବନ ବଞ୍ଚାଇଥିବା ‘ର‍୍ୟାଟ୍‌ ମାଇନର୍ସ’ଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର।

ଉତ୍ତରକାଶୀ ଟନେଲ୍‌ ଦୁର୍ଘଟଣାର ୧୭ ଦିନ ପରେ ସୁରକ୍ଷିତ ଭାବେ ବାହାରିଛନ୍ତି ସମସ୍ତ ୪୧ ଜଣ ଶ୍ରମିକ। ଏବେ ଏହି ଶ୍ରମିକମାନଙ୍କ ଜୀବନ ବଞ୍ଚାଇଥିବା ‘ର‍୍ୟାଟ୍‌ ମାଇନର୍ସ’ଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର। ରାଜ୍ୟ ସରକାର କହିଛନ୍ତି, ଯେଉଁ ଲୋକମାନେ ଦିନରାତି ଏକ କରି ସୁଡ଼ଙ୍ଗ ଖୋଳିବାରେ କାମ କରିଛନ୍ତି, ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ଉତ୍ତରକାଶୀର ଚିନ୍ୟାଲିସୌଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୧ ଜଣ ଶ୍ରମିକଙ୍କୁ ଭେଟିଛନ୍ତି। ସିଏମ୍‌ ଏକ ବୟାନରେ କହିଛନ୍ତି ଯେ ‘ମୁଁ ସମସ୍ତଙ୍କୁ ଭେଟିଛି। ସେମାନେ ସୁସ୍ଥ ଏବଂ ଖୁସି ଅଛନ୍ତି। ଡାକ୍ତରୀ ପରୀକ୍ଷା କରାଯାଇଛି। କାହାର କୌଣସି ସମସ୍ୟା ନାହିଁ। ପରବର୍ତ୍ତୀ ଡାକ୍ତରୀ ପରୀକ୍ଷା ପାଇଁ ସେମାନଙ୍କୁ ଏମ୍ସ ପଠାଯିବ। ପ୍ରତିଶ୍ରୁତି ମୁତାବକ, ଉଦ୍ଧାର ଶ୍ରମିକମାନଙ୍କୁ ୧-୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯିବ। ଏହା ବ୍ୟତୀତ ଖନନ କରିବାକୁ ସୁଡ଼ଙ୍ଗ ଭିତରକୁ ଯାଇଥିବା ଉଦ୍ଧାର କର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୫୦-୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ’।

ସୂଚନାଥାଉ କି, ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ। ସମସ୍ତେ ନୂଆ ଜୀବନ ପାଇଛନ୍ତି। ଏଥିରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ। ସଂଘର୍ଷ ଭିତରେ ଶ୍ରମିକମାନେ ଏପରି ସଫଳତା ପୂର୍ବକ ଉଦ୍ଧାର ହେବେ ବୋଲି କାହାରିକୁ ଜଣା ନ ଥିଲା। ହେଲେ ଏହି ଅସମ୍ଭବ କାମ ସମ୍ଭବ ହୋଇପାରିଛି। ଶ୍ରମିକମାନେ ଶେଷରେ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି। ତେବେ ଉଦ୍ଧାର ପାଇଁ ପ୍ରତ୍ୟେକ ଦିନ ଡ୍ରିଲିଂ କାର୍ଯ୍ୟ ଚାଲୁଥିବା ବେଳେ ଖାଦ୍ୟ, ପାନୀୟ ଆଦି ସବୁକିଛିର ବ୍ୟବସ୍ଥା କରାଯାଇଥିଲା।