ଏକାଥରେ ୫୦ କୁକୁର ମଲେ କେମିତି, ଚାଲିଛି ତଦନ୍ତ

ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ବଡ଼ ତଦନ୍ତ ଆରମ୍ଭ ହୋଇଛି । ତେଲ୍ଲଦେବାପଲ୍ଲୀ ଗାଁର ଏକାସାଙ୍ଗରେ ପ୍ରାୟ ୫୦ଟି କୁକୁର ମରି ଶୋଇଗଲେ । ପଛରେ ଜଣାପଡ଼ିଲା ସେଠାକାର ସରପଞ୍ଚ ପପ୍ପା ନାୟକଙ୍କ ନିର୍ଦ୍ଦେଶରେ ଏହି କୁକୁରଙ୍କୁ ବିଷ ପିଆଇ ହତ୍ୟା କରାଯାଇଛି । ଏହାପରେ ସେମାନଙ୍କ ମୃତଦେହକୁ ନକ୍କଲ ଗାନ୍ଧୀ ଡ୍ୟାମ୍‌ ନିକଟରେ ଫୋପାଡ଼ି ଦିଆଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି କୁକୁରମାନେ ପ୍ରବଳ ଉତ୍ପାତ କରୁଥିଲେ । ଲୋକଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରୁଥିଲେ । ବାରମ୍ବାର କୁକୁର ଆକ୍ରମଣର ଶିକାର ହେବା ଫଳରେ ସେମାନେ ଏଭଳି ଭାବେ କୁକୁରଙ୍କୁ ମାରି ଦେଇଛନ୍ତି ।
ଏହି ମାମଲାରେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ଡିଷ୍ଟ୍ରିକ୍ଯ ମାଜିଷ୍ଟ୍ରେଟ୍‌ । କୁକୁରଗୁଡିକୁ ପ୍ରକୃତରେ ବିଷ ଦେଇ ହତ୍ୟା କରାଯାଇଛି କିମ୍ବା ଏହାର ଅନ୍ୟ କୌଣସି କାରଣ ଥିଲା ସେ ବିଷୟରେ ଜାଣିବା ପାଇଁ ବିଭାଗୀୟ ଅଧିକାରୀ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।
ଏଠାରେ କହି ରଖୁଛୁ ଯେ ଗତ କିଛିଦିନ ପୂର୍ବେ ସିଦ୍ଧିପେଟ ଗ୍ରାମରେ ପ୍ରାୟ ୭୮ଟି କୁକୁରଙ୍କୁ ବିଷ ଦେଇ ମାରିବା ଅପରାଧରେ ୪ ଜଣ ନଗର ନିଗମ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା । କେବଳ ଏତିକି ନୁହେଁ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.