ମଣିପୁର : ଗୋଟିଏ ନୁହେଁ, ସିରିଜ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା
ଖାଲି ହିଂସାର ନିଆଁ ନୁହେଁ ବର୍ବରତାର ନିଆଁରେ ଜଳୁଛି ମଣିପୁର । ମଣିପୁରରେ ଗୋଟିଏ ନୁହେଁ, ସିରିଜ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ଗତ ମେ ୪ ତାରିଖରେ ଘଟିଥିବା ପୈଶାଚିକ ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମେ ୩ରେ ସଂରକ୍ଷଣକୁ ନେଇ କୁକି ଆଦିବାସୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ।

ନୂଆଦିଲ୍ଲୀ : ଖାଲି ହିଂସାର ନିଆଁ ନୁହେଁ ବର୍ବରତାର ନିଆଁରେ ଜଳୁଛି ମଣିପୁର । ମଣିପୁରରେ ଗୋଟିଏ ନୁହେଁ, ସିରିଜ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ଗତ ମେ ୪ ତାରିଖରେ ଘଟିଥିବା ପୈଶାଚିକ ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମେ ୩ରେ ସଂରକ୍ଷଣକୁ ନେଇ କୁକି ଆଦିବାସୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ। ଏହାର ଗୋଟିଏ ଦିନ ପରେ ଅର୍ଥାତ ମେ ୪ ରୁ ମେ ୧୫ ପର୍ଯ୍ୟନ୍ତ ଏକାଧିକ ଜଘନ୍ୟ ଗଣଦୁଷ୍କର୍ମ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା। ଶିକାର ହୋଇଥିଲେ ଅନେକ କୁକି ମହିଳା।
ଏ ନେଇ ଜାତୀୟ ମହିଳା କମିଶନଙ୍କୁ ଜୁନ ୧୨ରେ ରିପୋର୍ଟ ଦିଆଯାଇଥିଲା। କିନ୍ତୁ ମେ ୪ ତାରିଖର ଭିଡିଓ ଜୁଲାଇ ୧୯ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ମଣିପୁର ସରକାର। ଅର୍ଥାତ ମାସେ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ମୈତେଇ ସଂପ୍ରଦାୟର ପ୍ରାୟ ୪୦ ଜଣ ଯୁବକ ମେ ୪ରେ ୨ଜଣ କୁକି ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ପରେ ସର୍ବ ସମ୍ମୁଖରେ ଗଣଦୁଷ୍କର୍ମ ଓ ହତ୍ୟା କରିଥିଲେ।
ଉଲଗ୍ନ ହୋଇ ଚାଲିଥିବା ୨ ମହିଳାଙ୍କ ମଧ୍ୟରୁ ଜଣଙ୍କ ସ୍ୱାମୀ କହିଛନ୍ତି, ସେଦିନ ହିଂସ୍ର ପଶୁ ଭଳି ସେମାନେ ମାଡ଼ି ଆସିଥିଲେ। ଏବେ ପ୍ରଶ୍ନ ଉଠିଛି ମହିଳା କମିଶନଙ୍କୁ ମାସେ ପୂର୍ବରୁ ଏ ସଂପର୍କରେ ରିପୋର୍ଟ ଦିଆ ଯାଇଥିଲେ ବି କାହିଁକି ନିରବ ରହିଥିଲା ପୋଲିସ।
ଏପଟେ ମେ ୪ ଘଟଣାରେ ରାଜ୍ୟବ୍ୟାପୀ ନିନ୍ଦା ପାଳନ କରୁଛନ୍ତି ମଣିପୁର ସରକାର। ବିଭିନ୍ନ ସ୍ଥାନରେ ଶହଶହ ମହିଳା ଓ ପୁରୁଷ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ମୈତେଇ ସଂପ୍ରଦାୟର ଜଣେ ଅଭିଯୁକ୍ତର ଘରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ମହିଳା। ଅନେକ ମହିଳା ଏକତ୍ରିତ ହୋଇ ଘର ଉପରେ ଆକ୍ରମଣ ମରିବା ସହ ନିଆଁ ଲଗାଇ ଦେଇଛନ୍ତି। ମଣିପୁର ହିଂସାକୁ ନେଇ ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ପୁଣି ଜୋର ଧରିଛି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି। ତେବେ ଇସ୍ତଫା ପ୍ରସଙ୍ଗକୁ ଏଡ଼ାଇ ଦେଇ ଯାଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ଶାନ୍ତି ଫେରାଇ ଆଣିବା ତାଙ୍କ ଦାୟିତ୍ୱ ବୋଲି କହିଛନ୍ତି।
ମଣିପୁର ଲୋମଟାଙ୍କୁରା ଘଟଣାରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ତାତି। ଆଜି ପୁଣି ଚାଲି ପାରିଲାନି ପାର୍ଲ୍ୟାମେଣ୍ଟ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଝଡ଼। ବାରମ୍ବାର ମୁଲତବୀ ପରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଗୃହରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। ସେହିପରି ରୁଲ ୨୬୭ ଅଧିନରେ ଲମ୍ବା ଆଲୋଚନା କରିବାକୁ ଦାବି କରୁଛନ୍ତି। କିନ୍ତୁ କ୍ଷୁଦ୍ର ଆଲୋଚନା ପାଇଁ ଗତକାଲି ସରକାର ରାଜି ହୋଇଥିଲେ । ବିରୋଧୀ ଜାଣିଶୁଣି ଗୃହ ଚଳାଇ ଦେଉ ନାହାନ୍ତି ବୋଲି ସରକାର ଅଭିଯୋଗ କରିଛନ୍ତି।