ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ, ଶ୍ରୀହୀନ ଶ୍ରୀକ୍ଷେତ୍ରର ଶିରି ଫେରାଇ ଆଣିବାକୁ ଦେଲେ ପ୍ରତିଶୃତି

ବାତ୍ୟା ଫନି ପ୍ରଭାବିତ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବରେ ଗଢ଼ାଯିବ । ଆଜି ପୁରୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ଅଗ୍ରଗତିର ସମୀକ୍ଷା ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ସହାୟତା ପ୍ୟାକେଜ ବି ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୧୦ଦିନରେ ଥରେ ମାଗଣାରେ ଅଢ଼େଇ ଲିଟର କିରୋସିନି ଦିଆଯିବ । ସେହିପରି ମହିଳାଙ୍କୁ ୨ ମାସ ପାଇଁ ଯୋଗାଇଦିଆଯିବ ସାନିଟାରୀ ନାପକିନ୍। ସେପଟେ ଆଜି ବଡ଼ଦାଣ୍ଡ, ଶ୍ରୀମନ୍ଦିର ଓ ସରକାରୀ ଅଫିସରେ ଜଳିଛି ବିଜୁଳି ଆଲୁଅ। ରାତି ସୁଦ୍ଧା ପୁରୀ ସମେତ ନିମାପଡ଼ା ଓ କୋଣାର୍କ ମ୍ୟୁନିସିପାଲିଟିରେ ପର‌୍ୟ୍ୟାୟକ୍ରମେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

naveen patnaik puri

ପୁରୀରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ଅଗ୍ରଗତିର ସମୀକ୍ଷା। ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଭଳି ଚାଲିଛି ରିଲିଫ ବଣ୍ଟନ କାମ? ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି କାମ କେତେ ଆଗେଇଛି? ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ପରିବାରକୁ ମିଳିବ ଅଢେଇ ଲିଟର କିରୋସିନି। ୧୦ ଦିନରେ ଥରେ ମାଗଣାରେ ଦିଆଯିବ କିରୋସିନି। ବିପନ୍ନଙ୍କୁ ୧୦ ଲକ୍ଷ ମହମବତୀ ଓ ମହିଳାଙ୍କୁ ଯୋଗାଇ ଦିଆଯିବ ସାନିଟାରୀ ନାପ୍କିନ୍। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ। ଜଳିଲା ଷ୍ଟ୍ରିଟ୍ ଲାଇଟ୍। ସେହିପରି ଶ୍ରୀମନ୍ଦିର ଓ ସରକାରୀ ଅଫିସକୁ ବି ଦିଆଯାଇଛି ବିଦ୍ୟୁତ ସଂଯୋଗ। ସହରର ଅନ୍ୟ ସମସ୍ତ ଅଞ୍ଚଳକୁ ସପ୍ତାହେ ଭିତରେ ବିଦ୍ୟୁତ ସେବା ମିଳିବ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଜୁଳି ପୁନରୁଦ୍ଧାର କାମ। ନିୟୋଜିତ ଅଛନ୍ତି ୧୦ ହଜାର କର୍ମଚାରୀ। ସେହିପରି ପୁରୀ ଜିଲ୍ଲାରେ ୭ ଲକ୍ଷରୁ ଅଧିକ ଲୋକଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ। ୩ ଲକ୍ଷ ୧୪ ହଜାର ପରିବାରକୁ ଚାଉଳ ଓ ୩ ଲକ୍ଷ ୨୪ ହଜାର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀକୁ ସଂଯୋଗ କରୁଥିବା ସବୁ ଗ୍ରାମାଞ୍ଚଳ ରାସ୍ତାର ପୁନରୁଦ୍ଧାର କାମ ସରିଛି। ୧୬୮ଟି ବ୍ୟାଙ୍କ ଶାଖା କାର‌୍ୟ୍ୟକ୍ଷମ ହୋଇଥିବା ବେଳେ ୬୯ଟି ଏଟିଏମ୍ ଓ ୨୧ଟି ମୋବାଇଲ୍ ଭ୍ୟାନ୍ କାମ କରୁଛି।

ବାତ୍ୟା ବଦଳାଇ ଦେଇଛି ପର‌୍ୟ୍ୟଟନ ସହରର ଭୋଗଳିକ ମାନଚିତ୍ର। ସୌନ୍ଦର‌୍ୟ୍ୟ ହରାଇଛି ପୁରୀ। ଶ୍ରୀହୀନ ଶ୍ରୀକ୍ଷେତ୍ରର ଶିରି ଫେରାଇ ଆଣିବାକୁ ବ୍ୟାପକ ପଦକ୍ଷେପ ନେଉଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ବାତ୍ୟା ଫନି କ୍ଷୟକ୍ଷତି ନେଇ ଓ୍ଵାର୍ଲଡ ବ୍ୟାଙ୍କ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସଚିବାଳୟରେ ଏନେଇ ବୈଠକ ବସିଥିଲା। ବିପର‌୍ୟ୍ୟୟ ନିରୋଧକ ଭିତ୍ତିଭୂମି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ବାତ୍ୟା ପରେ ଗୃହ, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.