ମଧୁପୁର ବାରାଦ ନଦୀରେ ବାକ୍ସ ଜାଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ତୁରନ୍ତ ସମାଧାନ କରିବାକୁ ଦାବି

କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ବାରାଦ ନଦୀରେ ବାକ୍ସ ଜାଲ ମାଳ ମାଳ । ଯାହା ପଡିବା କାରଣରୁ ନଦୀରେ ମାଛ ବଂଶ ଲୋପ ପାଇବାର ଆଶଙ୍କା ପ୍ରକାଶ ପାଇଛି । ଗାଁର କେତେକ ମାଛ ଧରାଳି ବେଆଇନ ଭାବେ ନଦୀରେ ୩କି.ମି ବ୍ୟାପି ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଏହି ଜାଲ ବିଛାଇଛନ୍ତି । ଯାହାଫଳରେ ହାତ ଗଣତି ପାଞ୍ଚଜଣ ବ୍ୟକ୍ତି ମାଲା ମାଲ ହୋଇଥିବା ବେଳେ ଏହି ମଧୁପୁର ଗ୍ରାମର ଆହୁରି ୧୨ଶହ ପରିବାର ନିଜ ମୌଳିକ ବୃତ୍ତି ହରାଇଛନ୍ତି । ତେବେ ତୁରନ୍ତ ଏହି ବେଆଇନ ଜାଲକୁ ନ ହଟାଇଲେ ତହସିଲ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଯାହା ବର୍ତ୍ତମାନ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ସୂଚନାନୁଯାୟୀ, ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ଥିବା ବାରାଦ ନଦରେ ୧୨ ଶହ ପରିବାର ମାଛ ଧରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି । କିନ୍ତୁ ଏହି ଗ୍ରାମର ୭ ଜଣ ବ୍ୟକ୍ତି ଏହି ନଦୀରେ ବେଆଇନ ଭାବେ ବାକ୍ସ ଜାଲ କରି ତିନି କିଲୋ ମିଟର ବାଟ ପର୍ଯ୍ଯନ୍ତ ବିଛାଇଛନ୍ତି । ଏହି ବାକ୍ସରେ ଥିବା ଜାଲରେ ଛୋଟରୁ ଛୋଟ ମାଛ ମଧ୍ୟ ପଶିଲେ ବାହାରି ପାରିବେନାହିଁ ଯାହା ଫଳରେ ମାଛର ବଂଶ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ମାଛ ବଂଶ ଲୋପ ପାଇବା ଦ୍ୱାରା ଶହ ଶହ ସତ୍ସ୍ୟଜୀବୀ ପରିବାର ଜୀବିକା ହରାଇବାର ଆଶଙ୍କା ପ୍ରକାଶ ପାଇଛି । ଏନେଇ ଗ୍ରାମବାସୀ ଅସ୍ତରଙ୍ଗ ତହସିଲଦାରଙ୍କ ନିକଟରେ ନ୍ୟାୟ ଆବେଦନ କରିଛନ୍ତି ।

netମଧୁପୁର ଗ୍ରାମର ବାବାଜୀ ବେହେରା , ତପନ ପରିଡା, ସୁଶାନ୍ତ ବେହେରାଙ୍କ ସହ ଅନ୍ୟ ଚାରି ଜଣ ବର୍ଷ ବର୍ଷ ଧରି ଏହି ବେଆଇନ ବାକ୍ସ ଜାଲ ପକାଇ ମାଲାମାଲ ହେଉଛନ୍ତି । ଅନ୍ୟପକ୍ଷରେ ନଦୀରେ ଜାଲ ପକାଇବା ପାଇଁ ଆହୁରି ଅନେକ ଜାଗା ଅଛି ବୋଲି ସେମାନେ ଓଲଟି ଅଭିଯୋଗ କରିଛନ୍ତି । ଜାଲ ନ ପକାଇଲେ ତାଙ୍କୁ ଚଳିବାରେ ଅସୁବିଧା ହେବ ବୋଲି ମଧ୍ୟ ସେମାନେ କହିଛନ୍ତି ।

ତେବେ ମଧୁପୁର ବାରାଦ ନଦୀରେ ବାକ୍ସ ଜାଲ କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଅଭିଯୋଗ ଦୁଇ ପକ୍ଷରୁ ଆସିଥିବାରୁ ଏହାର ତଦନ୍ତ କରାଯାଉଛି ବୋଲି ଅସ୍ତରଙ୍ଗ ତହସିଲଦାର କହିଛନ୍ତି ।ତେବେ ଏହି ସମସ୍ୟାକୁ ଠିକ ସମୟରେ ସମାଧାନ ନ କଲେ ବାରାଦରେ ଚିଲିକା ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ଦେଖାଯିବ । ବର୍ତ୍ତମାନ ପ୍ରଶାସନର ଉଚିତ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.