Below header

ଏକୁଟିଆ ଯିବା ବେଳେ କେହି ଆକ୍ରମଣ କଲେ କେମିତି କରିବେ ନିଜକୁ ରକ୍ଷା, ଜାଣନ୍ତୁ କେତେକ ସହଜ ଉପାୟ

ଘରେ ହେଉ ବା ବାହାରେ ଏବେ ସବୁଠି ଅସୁରକ୍ଷିତ ମହିଳା। ଶରୀର ଲୋଭୀଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡ଼ୁନାହାନ୍ତି କୁନି କଳିକା। ସେ ବୟସ୍କା ମହିଳା ହୁଅନ୍ତୁ ବା ଛୋଟ ବାଳିକା, ସମସ୍ତଙ୍କ ଉପରେ ନର ରୂପୀ ରାକ୍ଷସ ନିଜ ନଜର ପକାଇବସିଛନ୍ତି। କେମିତି ସୁଯୋଗ ମିଳିବ ଆଉ ଖିନଭିନ୍‌ କରି ଖାଇଯିବେ କୋମଳ ଶରୀରକୁ। ନିକଟରେ ହାଇଦ୍ରାବାଦରେ ଘଟିଥିବା ବିଭତ୍ସ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଦିଲ୍ଲୀ ନିର୍ଭୟା ଘଟଣାର କ୍ଷତକୁ ପୁଣି ଥରେ ସତେଜ କରିଦେଇଛି। ଏବେ ଏକୁଟିଆ ପଦାକୁ ଗୋଡ଼ କାଢ଼ିବାକୁ ସାହସ କରିପାରୁନାହାନ୍ତି ଯୁବତୀ। କିନ୍ତୁ ଡରିଗଲେ ତ ଅପରାଧ କମିଯିବନି ବରଂ ଅପରାଧୀଙ୍କର ମୁହଁ ବଢ଼ିଯିବ। ଆଉ ବଢ଼ିଚାଲିବ ଗୋଟିଏ ପରେ ଗୋଟିଏ ଅଘଟଣ। ଏହାକୁ ମୁକାବିଲା କରିବାକୁ ଏବେ ଝିଅମାନଙ୍କୁ ହିଁ ସାହସ ବାନ୍ଧିବାକୁ ପଡ଼ିବ। ଏବେ ନିଜକୁ କରିବାକୁ ପଡ଼ିବ ନିଜ ସୁରକ୍ଷା। ଆସନ୍ତୁ ଜାଣିବା ଝିଅମାନେ ଏକୁଟିଆ ଯିବା ବେଳେ କେମିତି ନିଜକୁ ରଖିବେ ସୁରକ୍ଷିତ…

ଏହାସହ ପଢ଼ନ୍ତୁ: ସାପ କାମୁଡ଼ାରୁ ବର୍ତ୍ତିବାକୁ ଏହି ଉପାୟ ଅବଲମ୍ବନ କରନ୍ତୁ ଓ ଆପଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାନ୍ତୁ

୧.ସବୁବେଳେ ଗହଳି ରାସ୍ତାରେ ଯିବାକୁ ଚେଷ୍ଟା କରନ୍ତୁ। କାରଣ ଲୋକ ଭିଡ଼ ଭିତରେ କେହି ଅପରାଧ କରିବାକୁ ସାହସ କରିବ ନାହିଁ।

୨.ଗାଡ଼ି ବ୍ୟବହାର କରୁଥିଲେ ସାଙ୍ଗରେ ସବୁବେଳେ ଟାୟାର କିଟ୍‌ ରଖନ୍ତୁ। ରାସ୍ତା ଉପରେ କେବେ ଯଦି ଗାଡ଼ି ଖରାପ ହୁଏ, ତେବେ ଆପଣ ନିଜ ଗାଡ଼ିକୁ ନିଜେ ସଜାଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ।

୩.ଏକୁଟିଆ ଦେଖି କେହି ଯଦି ଆପଣଙ୍କୁ ଆକ୍ରମଣ କରିବାକୁ ଆସୁଛି, ତେବେ ଦୁଇ ହାତ ସାହାଯ୍ୟରେ ତାକୁ ପଛକୁ ଠେଲି ଜୋର୍‌ରେ ଚିଲ୍ଲାନ୍ତୁ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ଠାରୁୁ ଦୂରେଇ ଯିବ ଓ ପାଖରେ ଥିବା ଲୋକ ଆପଣଙ୍କୁ ସାହାଯ୍ୟ ଦରକାର ବୋଲି ଜାଣିପାରିବେ।

୪.ସାମ୍ନାରୁ କେହି ଆଟାକ୍‌ କରିବାକୁ ଚେଷ୍ଟା କରୁଥିଲେ ହାତ ପାପୁଲିର ତଳ ଅଂଶରେ ତା’ ନାକକୁ ବଳ ପ୍ରୟୋଗ କରି ଠେଲନ୍ତୁ। ଏଭଳି କରିବା ଦ୍ୱାରା ଦୁର୍ବୃତ୍ତର ନାକରେ ଭୀଷଣ ଯନ୍ତ୍ରଣା ହେବ ଓ ଆପଣ ସାହାଯ୍ୟ ମାଗିବାକୁ ସମୟ ପାଇଯିବେ।

୫.ଆପଣଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲେ ଗାଡ଼ି ଚାବି ଲେନ୍ଥାକୁ ଆଙ୍ଗୁଠି ମଝିରେ ରଖି ଆତ୍ମସୁରକ୍ଷା ପାଇଁ ବ୍ୟବହାର କରିପାରିବେ। ଖାଲି ହାତରେ ମାରିବା ଅପେକ୍ଷା ହାତରେ ଚାବି ରଖି ମାରିଲେ ଦୁର୍ବୃତ୍ତକୁ ଅଧିକ ଯନ୍ତ୍ରଣା ହେବ।

୬.ଘରେ ଥିବା ବେଳେ ଛୁରୀ, କଟୁରୀ, ପନିକି ଯେକୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆତ୍ମରକ୍ଷା କରିପାରିବେ।

୭.ଦୁର୍ବୃତ୍ତ ଆପଣଙ୍କ କାନ୍ଧକୁ ଧରି ଅସଦ୍‌ଆଚରଣ କରିବାକୁ ଚେଷ୍ଟା କଲେ କହୁଣୀରେ ତାଙ୍କ ମୁହଁକୁ ଆଘାତ କରିପାରିବେ।

୮.ଝିଅମାନେ ସାଙ୍ଗରେ ସବୁବେଳେ ଗୋଲମରିଚ ସ୍ପ୍ରେ ରଖନ୍ତୁ। କେହି ଦୂରରୁ ଆପଣଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଆଭାସ ପାଇଲେ ତୁରନ୍ତ ତାଙ୍କ ମୁହଁରେ ସ୍ପ୍ରେ କରନ୍ତୁ।

୯.ଯଦି କୌଣସି ସ୍ଥାନକୁ କାରରେ ଯାଉଛନ୍ତି ଓ ମଝି ରାସ୍ତାରେ ଗାଡ଼ି ଖରାପ ହେଉଛି, ତେବେ ତୁରନ୍ତ ନିକଟସ୍ଥ ବନ୍ଧୁଙ୍କୁ ଫୋନ୍‌ କରନ୍ତୁ। କିଛି ଅସ୍ୱାଭାବିକ ପରିଲକ୍ଷିତ ହେଲେ ପୋଲିସକୁ ୧୦୦ ନମ୍ବର ଡାଏଲ କରି ସାହାଯ୍ୟ ମାଗନ୍ତୁ।

୧୦.ରାତିରେ କାର୍‌ରେ ଯିବା ବେଳେ ୪ଟି ଯାକ ଡୋର୍‌କୁ ଲକ୍‌ କରିବାକୁ ଜମା ଭୁଲନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.