ବିଶ୍ୱର ୧୧ ହଜାର ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ନେଇ କଲେ ଜରୁରୀ ଘୋଷଣା, ଆପଣ ବି ଜାଣନ୍ତୁ

ପୁରାଣରେ ଲେଖା ଅଛି ଏଇ ପୃଥିବୀ ଜଳରୁ ଜନ୍ମ ନେଇଛି । ଆଉ ଦିନେ ନା ଦିନେ ସେହି ଜଳରେ ବୁଡ଼ିଯିବ । ହୁଏତ ଅନେକ ଲୋକ ବିଶ୍ୱାସ କରିବେ ନାହିଁ । ହେଲେ ଏକଥା ଯଦି ବିଜ୍ଞାନ ଓ ବୈଜ୍ଞାନିକ କହିବେ ତାହାହେଲେ ବିଶ୍ୱାସ କରିବେ । ବର୍ତ୍ତମାନ ପୃଥିବୀ ପାଇଁ ବିଶ୍ୱଯୁଦ୍ଧ ଯେତକି ସଂକଟ ସୃଷ୍ଟି କରିବ ନାହିଁ ତାଠାରୁ ଅଧିକ ସଂକଟ ଆଣୁଛି ଜଳବାୟୁ ପରିବର୍ତ୍ତନ । ଏହି ପରିବର୍ତ୍ତନ ଦିନକୁ ଦିନ ଭୟଙ୍କର ରୂପ ନେଲାଣି । ଏବେ ସୁଦ୍ଧା ତ ବିଳମ୍ବ ହୋଇ ସାରିଲାଣି ତଥାପି ବର୍ତ୍ତମାନ ଠାରୁ ସାବଧାନ ନ ହେଲେ ତେବେ ଆଗକୁ ଆହୁରି ସ୍ଥିତି ବିଗିଡି ଯିବ ।

planet b

ଆମେ ନିଜେ ନିଜର ବିନାଶ କରୁଛୁ

ପ୍ରକୃତରେ ଜଳବାୟୁର ସ୍ଥିତି ଖରାପ ହେବାର ମୁଖ୍ୟ କାରଣ ଆମେ ନିଜେ । ଏହି ସମ୍ପୂର୍ଣ୍ଣ ଦୋଷ ପୃଥିବୀର ସବୁଠୁ ବୁଦ୍ଧିମାନ ଜୀବ ବୋଲାଉଥିବା ମଣିଷକୁ ହିଁ ଦିଆଯାଉଛି । ବିକାଶ ନାଁରେ ଯେ ମଣିଷ ବିନାଶ ଆଡକୁ ମୁଁହାଇଲାଣି ଏ କଥା ହୁଏତ ସେ ଏପର୍ଯ୍ୟନ୍ତ ବୁଝି ପାରିନାହିଁ । ବେପରୁଆ ଭାବେ ପ୍ରାକୃତିକ ସମ୍ପଦଗୁଡିକର ବ୍ୟବହାର, ନିଜର ସୁଖ ସୁବିଧା ପାଇଁ ମନଇଚ୍ଛା କାରବାର, ଅତ୍ୟାଧୁନିକ କୌଶଳ ଗୁଡିକର ଆବିଷ୍କାର ଯେ ଆମର ଏହି ପୃଥିବୀ ଉପରେ ଭାରି ପଡୁଛି ଏକଥା ହୁଏତ ସାଧାରଣ ମଣିଷ ମୁଣ୍ଡରେ ଏଯାବତ ପଶି ପାରିନାହିଁ ।

planet b

କିନ୍ତୁ ନିକଟରେ ଏନେଇ ବିଶ୍ୱର ୧୫୩ ଦେଶର ପ୍ରାୟ ୧୧ ହଜାର ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଜରୁରୀ ଘୋଷଣାନାମାରେ ସ୍ଵାକ୍ଷର କରିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତିକି ଭୂମଣ୍ଡଳ ସଂରକ୍ଷଣ ନେଇ ଏବେଠୁ ସଚେତନ ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପଡିବ ।

planet b

ପ୍ରତିଟି ମଣିଷର ଦାୟିତ୍ୱ

ପୃଥିବୀର ପ୍ରତିଟି ଦେଶ ଓ ପ୍ରତ୍ୟେକ ମଣିଷ ଏ ଦିଗକୁ ଯଦି ସମୟ ଥାଉ ଥାଉ ଦୃଷ୍ଟି ନ ଦିଅନ୍ତି ତେବେ ପରିସ୍ଥିତି ଜଟିଳ ହୋଇପଡିବ । ବୈଜ୍ଞାନିକମାନେ ‘ବାୟୋ ସାଇନ୍ସ’ ନାମକ ଏକ ପତ୍ରିକାରେ ଏ ନେଇ ଏକ ଗବେଷଣାତ୍ମକ ରିପୋର୍ଟ ମଧ୍ୟ ପ୍ରକାଶ କରିଛନ୍ତି । ସେଥିରେ କୁହାଯାଇଛି, ଏବେଠାରୁ ଯଦି ମଣିଷ ସଚେତନ ନହେବ ତେବେ ପୃଥିବୀର ଅସ୍ତିତ୍ୱ ବେଶି ଦିନ ତିଷ୍ଠି ପାରିବ ନାହିଁ । ଓରଗାନ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକମାନଙ୍କ ନେତୃତ୍ୱରେ ହିଁ ଏହି ସ୍ଵାକ୍ଷର କରାଯାଇଛି । ଅନ୍ୟ ପକ୍ଷରେ ଏହି ଘୋଷଣାନାମାରୁ ନିଜକୁ ଦୁରେଇ ରଖିଛନ୍ତି ଆମେରିକା ଓ ପ୍ୟାରିସ ପରି ବିକଶିତ ରାଷ୍ଟ୍ର । ଏହି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ୍ଵିଲିୟମ ରିପଲ ଓ ଖ୍ରୀଷ୍ଟୋଫର ବୁଲକ୍‌ଙ୍କ ଅନୁଯାୟୀ ଜଳବାୟୁ ସଚେତନତାର ୪୦ ବର୍ଷ ପରେ ବି କୌଣସି ରାଷ୍ଟ୍ର ସେତେଦୂର ସଚେତନ ହୋଇ ପାରିନାହାନ୍ତି ।

ଏହା ସହ ପଢନ୍ତୁ: ଭାରତକୁ ଗ୍ରାସ କଲାଣି ଏହି ସବୁ ରୋଗ, ପ୍ରାୟ ୬.୫ କୋଟି ଲୋକ ହୋଇସାରିଲେଣି ଆକ୍ରାନ୍ତ

ଛଅଟି ଗୁରୁତ୍ୱପୂର୍ଣ୍ଣ କଥା

ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଜଳବାୟୁ ସଚେତନତା ଘୋଷଣାନାମାର ଦୀର୍ଘ ୪ ଦଶନ୍ଧି ପରେ ବି ଏପରି ଏକ ବିକଟ ପରିସ୍ଥିତିକୁ ମୁକାବିଲା କରାଯାଇ ପାରିନାହିଁ । ଏହି ଘୋଷଣାରେ ଦସ୍ତଖତ କରିଥିବା ୧୧ ହଜାର ବୈଜ୍ଞାନିକ ୬ଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି । ଏଭିତରେ ରହିଛି ଇନ୍ଧନ ବଦଳରେ ଅସରନ୍ତି ଶକ୍ତି ଉତ୍ସର ବ୍ୟବହାର, ମିଥେନ ଗ୍ୟାସର ବ୍ୟବହାର ଯେତେଦୂର ସମ୍ଭବ କମ୍‌ କରିବା, ସାକାହାରୀ ଭୋଜନ ଗ୍ରହଣ କରିବା ସହ ମାଂସାହାରକୁ ବର୍ଜନ କରିବା, ଅଙ୍ଗାରକାମ୍ଳ ମୁକ୍ତ ଅର୍ଥବ୍ୟବସ୍ଥାକୁ ଆପଣେଇବା ସହ ଜନ ସଂଖ୍ୟା ହ୍ରାସ ପ୍ରତି ଦୃଷ୍ଟି ଦେବା । ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀ ଆମର ଏକ ମାତ୍ର ଘର । ଏଠାରୁ ଆମେ ଅନ୍ୟ କୌଣସି ଗ୍ରହକୁ ଯାଇ ବସବାସ କରି ପାରିବା ନାହିଁ । ଏଣୁ ଏଥିପାଇଁ ଯତ୍ନବାନ ହେବା ଆମର ପ୍ରମୁଖ ଦାୟିତ୍ୱ । ସୌରମଣ୍ଡଳ ଅନ୍ୟ ଗ୍ରହମାନଙ୍କ ଭିତରେ କେବଳ ପୃଥିବୀ ଉପରେ ହିଁ ଜୀବନ ଧାରଣ ସମ୍ଭବ ହୋଇ ପାରିଛି ।

EARTH

ସାକାହାରୀ ଭୋଜନ ପାଇଁ ଆହ୍ଵାନ

ବୈଜ୍ଞାନିକମାନେ ବିଶେଷ ଭାବେ ପୃଥିବୀବାସୀଙ୍କୁ ସାକାହାରୀ ଭୋଜନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଯେତେଦୂର ସମ୍ଭବ ଫଳ ଓ ପନିପରିବା ପରି ଉଦ୍ଭିତ ଜାତ ପଦାର୍ଥ ଖାଇବାକୁ କହିଛନ୍ତି । ଆହୁରି ମଧ୍ୟ ଯେତେ ସମ୍ଭବ ଖାଦ୍ୟ ପଦାର୍ଥ ଗୁଡିକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଷ ସାରା ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ଖାଦ୍ୟ ନଷ୍ଟ ହୋଇଥାଏ । ବୈଜ୍ଞାନିକମାନଙ୍କ ଚେତାବନୀ ଉପରେ ଯଦି ଏବେଠାରୁ ଦୃଷ୍ଟି ନ ଦିଆଯାଏ ତେବେ ଆଗକୁ ଆମର ଏଇ ପୃଥିବୀର ବିଧ୍ବଂସକୁ କେହି ରୋକି ପାରିବେ ନାହିଁ ।

EARTH-4

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.