ହଜାର ହଜାର ବର୍ଷ ପୁରୁଣା ‘ସ୍ୱର୍ଣ୍ଣନଗରୀ’ ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ୍‌, ମିଳିଲା ପ୍ରଚୁର ପରିମାଣର ମୂଲ୍ୟବାନ୍‌ ଜିନିଷ

ସ୍ୱର୍ଣ୍ଣ ନଗରୀ ଆବିଷ୍କାର କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। ମିଶରର ପ୍ରତ୍ନତତ୍ତ୍ୱବିତ୍‌ମାନେ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଦକ୍ଷିଣ ରାଜ୍ୟ ଲଗ୍‌ଜରରେ ପ୍ରାୟ ୩୦୦୦ ବର୍ଷ ପୁରଣା ଏକ ସ୍ୱର୍ଣ୍ଣ ନଗରୀକୁ ଖୋଜି ବାହାର କରିଛନ୍ତି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବାନୁସାରେ, ଏହି ସହରର ନାମ ହେଉଛି ଏଟନ୍‌। ଏଟନ୍‌ ସହରକୁ ଏମେନୋଟେପ୍‌ ସ୍ଥାପନ କରିଥିଲେ। କୁହାଯାଉଛି ଯେ ତୁତନଖାମେନ୍‌ର ମକବରେ ପରେ ଏହା ସବୁଠାରୁ ବଡ଼ ଆବିଷ୍କାର।

ଏଟନ୍‌ ସହର ଆବିଷ୍କାର ବେଳେ ପ୍ରତ୍ନତତ୍ତ୍ୱବିତ୍‌କୁ କେତେକ ଏଭଳି ଜିନିଷ ମିଳିଛି ଯାହା ସହରଟି ପୂର୍ବରୁ ବେଶ୍‌ ସମୃଦ୍ଧ ଥିବାର ପ୍ରମାଣ ଦେଉଛି। ଏହି ସନ୍ଧାନ ବେଳେ ଭୋଜନକୁ ସାଇତି ରଖିବା ପାଇଁ ଓଭେନ୍‌, ମାଟିର ସୁନ୍ଦର ପାତ୍ର, ବେକେରୀ ଓ ବେଶ୍‌ ବଡ଼ ବଡ଼ ରୋଷେଇ ଘର ମିଳିଛି। ଏହା ବ୍ୟତୀତ ଘରର ସୁରକ୍ଷା ପାଇଁ ନିର୍ମିତ ପାଚେରୀ ବି ଦେଖିବାକୁ ମିଳିଛି। ପାଚେରୀ ଉପରେ କଣ୍ଟା ବିଛା ହୋଇଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ପୂର୍ବରୁ ଲୋକମାନେ ନିଜ ଘରର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଉଥିଲେ।

misar
Image Credit: timesofisrael

ଏଥିସହ ମୁଦି, ରଙ୍ଗୀନ ବାସନକୁସନ, ତାବିଜ୍‌ ଓ ଏମେନଟପ୍‌ର ମୋହର ଲାଗିଥିବା ମାଟିର ଇଟା ମଧ୍ୟ ମିଳିଛି। ଏଥିସହ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ବୁଣାବୁଣି କରିବାରେ ବ୍ୟବହୃତ ଜିନିଷ ମଧ୍ୟ ମିଳିଛି। ସହରର ଆଉ ଏକ ଅଂଶରେ ଜଣେ ବ୍ୟକ୍ତିଙ୍କ ଅବଶେଷ ମିଳିଛି, ଯାହାର ଦୁଇ ହାତ ଖୋଲା ଥିବା ବେଳେ ଆଣ୍ଠୁକୁ ରସିରେ ବନ୍ଧାଯାଇଛି। ଏଥିସହ ଅନ୍ୟ ସ୍ଥାନରେ ଏକ ବଡ଼ କବରସ୍ତାନ ମଧ୍ୟ ରହିଛି।

misar2
Image Credit: Phys.org

ଏହି ପୁରୁଣା ସ୍ୱର୍ଣ୍ଣ ସହରକୁ ଖୋଜିବା ପାଇଁ ଗଠିତ କମିଟିର ସଦସ୍ୟ ଓ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ବେଟ୍ସି ବ୍ରାୟନ ଏନେଇ କହିଛନ୍ତି ଯେ, ତୁତନଖାମେନ୍‌ର ମକବରେ ପରେ ଏହା ଦ୍ୱିତୀୟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତ୍ନତତ୍ତ୍ୱବିତ୍‌ ଆବିଷ୍କାର। ଏହି ଆବିଷ୍କାର ବେଳେ ପ୍ରାଚୀନ ମିଶର ସଭ୍ୟତା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ବୋଲି ମଧ୍ୟ ବ୍ରାୟନ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.