ଜାଣିଛନ୍ତି କି ସୁପ୍ରିମକୋର୍ଟଙ୍କ ଏହି ୭ ଐତିହାସିକ ନିଷ୍ପତ୍ତି , ଯାହା ନିର୍ଦ୍ଧାରଣ କରୁଛି ଆଗାମୀ ଭାରତର ଉଜ୍ଜଳ ଭବିଷ୍ୟତ

ଚଳିତ ବର୍ଷ ଅନେକ ଐତିହାସିକ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ଯାୟାଳୟ । ଗତ ଏକ ମାସ ମଧ୍ୟରେ ହିଁ ଚାରିଟି ବଡ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ଯାହା ଦେଶର ନାଗରିକଙ୍କୁ ଦେଇଛି ବଡ ଆଶ୍ବାସନା । ଏହି ସମସ୍ତ ଫଇସଲା ନା କେବଳ ନ୍ଯାୟକୁ କରିଛି ସୁନିଶ୍ଚିତ ବରଂ ସେହି ପ୍ରସଙ୍ଗ ଉପରେ ମଧ୍ୟ ଫଇସଲା ଶୁଣାଇଛି ଯାହାକୁ ସମାଜର ଏକ ବଡ ଅଂଶ ସ୍ବୀକାର କରିବାକୁ ନାରାଜ ଥିଲା । ଆଗାମୀ ଦିନରେ ଏହି ଐତିହାସିକ ନିଷ୍ପତ୍ତି ସମାଜରେ ବଡ଼ ପରିବର୍ତ୍ତନ ଆଣିବାରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହେବ । ଚାଲନ୍ତୁ ଜାଣିବା ସେହି ୭ଟି ଐତିହାସିକ ନିଷ୍ପତ୍ତି ବିଷୟରେ ।

ରଦ୍ଦ ହେଲା ଧାରା ୩୭୭ : ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ

377 section
boon photography

ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ । ଆଇପିସିର ୩୭୭ ଧାରା ଉପରେ ଏହି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ପୂର୍ବରୁ ସମଲିଙ୍ଗୀ ଯୌନ ସଂପର୍କକୁ ଆଇନଗତ ମାନ୍ୟତା ଦେବାକୁ ଆଗତ ଏକାଧିକ ଆବେଦନର ଶୁଣାଣି ଶେଷ ହୋଇଥିଲା । ଜୁଲାଇ ୧୭ ତାରିଖରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ପ୍ରାପ୍ତ ବୟସ୍କମାନେ ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ରଖିବା ପ୍ରସଙ୍ଗକୁ ଅପରାଧିକ ଶ୍ରେଣୀରୁ ବାଦ୍ ଦିଆଗଲେ, ଏହାକୁ ନେଇ ଥିବା ସାମାଜିକ ଅପବାଦ ଏବଂ ଘୃଣା ଆପେ ଆପେ ଦୂର ହେବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ । କେନ୍ଦ୍ର ସରକାର ମଧ୍ୟ ନିଜ ମତ ରଖିଥିଲେ । ଆଇପିସିର ଧାରା ୩୭୭ ବ୍ରିଟିଶ ଅମଳରୁ ରହିଥିଲା । ସମୟ ଅନୁସାରେ ଆଇନରେ ମଧ୍ୟ ପରିବର୍ତ୍ତନ ଜରୁରୀ ବୋଲି କୋର୍ଟ କହିଛନ୍ତି । ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ବୋଲି ଭାରତୀୟ ସମାଜ ମନେ କରୁଆସୁଛି ।

୧୮୬୦ ମସିହା ଆଇପିସିର ୩୭୭ ଧାରାରେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇଛି । ସମଲିଙ୍ଗୀ ଯୌନ ସଂପର୍କ ରଖୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ କିମ୍ବା ଫାଇନ ଦେବାର ବ୍ୟବସ୍ଥା ରହିଥିଲା । ୨୦୦୯ ମସିହାରେ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ବୋଲି ବିବେଚନା କରିଥିଲେ । ୨୦୧୩ରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କାଏମ ରଖିଥିଲେ । ପରେ ମାମଲାର ପୁନଃବିଚାର କରିବାକୁ କେନ୍ଦ୍ର ସରକାର ମାମଲା ରୁଜୁ କରିଥିଲେ । ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏଏମ୍ ଖାନୱିଲକର ରାୟ ଘୋଷଣା କରିଥିଲେ । ତେବେ କୌଣସି ପଶୁ ସହ ଯୌନ ସମ୍ପର୍କକୁ ୩୭୭ ଧାରା ଅନୁଯାୟୀ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଆଧାରର ବୈଧତା :

Aadhar-cardଆଧାର ସାମ୍ବିଧାନିକ ଭାବରେ ବୈଧ । ବ୍ୟାଙ୍କ ଓ ମୋବାଇଲ୍‌ରେ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ ନୁହେଁ । ସେହିପରି ସ୍କୁଲରେ ଆଡମିସନ୍‌ ବେଳେ ଏହାକୁ ବାଧ୍ୟତାମୂଳକ କରାଯାଇ ପାରିବ   ନାହିଁ । ତେବେ ୟୁଜିସି, ନିଟ୍‌ ସିବିଏସସି ପରୀକ୍ଷାରେ ଆଧାର ବାଧ୍ଯତାମୂଳକ ନୁହେଁ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସେହିପରି କୋର୍ଟ କହିଛନ୍ତି, ଘରୋଇ କମ୍ପାନୀ ଆଧାର ନମ୍ବର ମାଗି ପାରିବେ ନାହିଁ । ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏହା ଅନ୍ୟ ସମସ୍ତ ପ୍ରମାଣପତ୍ରଠାରୁ ଭିନ୍ନ । ଜଣେ ବ୍ୟକ୍ତିଙ୍କୁ ଦିଆଯାଉଥିବା ଆଧାର ନମ୍ବର ସମ୍ପର୍ଣ୍ଣ ଭାବରେ ସ୍ୱତନ୍ତ୍ର ଓ ଆଧାରର ନକଲ ହେବା ଅନୁଚିତ । ତଥ୍ୟକୁ ଗୋପନୀୟ ଓ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଦୃଢ଼ ଆଇନ ଆଣିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ସୁପ୍ରିମକୋର୍ଟ   କହିଛନ୍ତି ।

ପରକୀୟା ପ୍ରୀତି ଅପରାଧ ନୁହେଁ :

adulteryବିବାହ ପରେ ଅନ୍ୟ କୌଣସି ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଅପରାଧ ନୁହେଁ । ବ୍ୟଭିଚାର ମାମଲାରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୧୫୮ ବର୍ଷ ପୁରୁଣା ଆଇପିସିର ଧାରା ୪୯୭କୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି । ଏହାସହ ସୁପ୍ରିମକୋର୍ଟ କହିଛନ୍ତି, ସାମାନ୍ୟ ବ୍ୟଭିଚାରକୁ ଅପରାଧ ବୋଲି ବିବେଚନା କରାଯାଇ ପାରିବ ନାହିଁ । କିନ୍ତୁ ଜଣେ ମହିଳା ଯଦି ନିଜ ସ୍ୱାମୀଙ୍କ ବ୍ୟଭିଚାର କାରଣରୁ ଆତ୍ମହତ୍ୟା କରୁଛନ୍ତି ଓ ପ୍ରମାଣିତ ହେଲେ, ଏହାକୁ ଆତ୍ମହତ୍ୟା ଅପରାଧ ବୋଲି ଧରାଯିବ । ବ୍ୟଭିଚାରକୁ ଅପରାଧ ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୨୦୧୬ ଡିସେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ଏହାର ସାମ୍ବିଧାନିକ ଦିଗକୁ ତର୍ଜମା କରିଥିଲେ ।

ମହିଳାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରୁଥିବା କିମ୍ବା ଭେଦଭାବ କରୁଥିବା ଆଇନ ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏମିତିକି ସ୍ବାମୀ ନିଜ ସ୍ତ୍ରୀର ମାଲିକ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଅବଶ୍ୟ ବ୍ୟଭିଚାରକୁ ଛାଡ଼ପତ୍ରର ଏକ କାରଣ ବୋଲି ଦର୍ଶାଯାଇ ପାରିବ । ତେବେ ଆଇନକୁ ସମର୍ଥନ କରି ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ ବିବାହ ଏକ ପବିତ୍ର ବନ୍ଧନ । ଏହାର ପବିତ୍ରତା ରକ୍ଷା କରିବା ପାଇଁ ବ୍ୟଭିଚାରକୁ ଅପରାଧ ଭାବେ ଧରାଯିବା ଉଚିତ । ତେବେ ସ୍ତ୍ରୀର ବିନା ଅନୁମତିରେ ସ୍ବାମୀ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ନୁହେଁ ବ୍ୟଭିଚାର ବୋଲି ଧରାଯିବ ବୋଲି କୋର୍ଟ କହିଛନ୍ତି । ସହମତିରେ ଅନ୍ୟତ୍ର ସମ୍ପର୍କ ଅପରାଧ ନୁହେଁ ।

ଧାରା ୪୯୭ ଅସାମ୍ବିଧାନିକ

୧୫୮ ବର୍ଷ ପୁରୁଣା ଆଇପିସିର ଧାରା ୪୯୭କୁ ହଟାଇ ଦେଲେ ସୁପ୍ରିମ୍ କୋର୍ଟ

ସାମାନ୍ୟ ବ୍ୟଭିଚାର ଅପରାଧ ବୋଲି ବିବେଚନା ହେବ ନାହିଁ

ଛାଡ଼ପତ୍ର ପାଇଁ ବ୍ୟଭିଚାରକୁ ଏକ କାରଣ ଭାବେ ଦର୍ଶାଯାଇ ପାରିବ

ସ୍ତ୍ରୀର ବିନା ଅନୁମତିରେ ସ୍ବାମୀ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ନୁହେଁ ବ୍ୟଭିଚାର ବୋଲି ଧରାଯିବ

ସହମତିରେ ଅନ୍ୟତ୍ର ସମ୍ପର୍କ ଅପରାଧ ନୁହେଁ

ତିନି ତଲାକକୁ ସୁପିମକୋର୍ଟଙ୍କ କବର

Triple-talaq-caseଗତ ବର୍ଷ ଅଗଷ୍ଟ ମାସରେ ତିନି ତଲାକକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଏହି ପ୍ରଥାକୁ ଅସିଦ୍ଧ ଘୋଷଣା କରିବା ସହିତ ଅସାମ୍ବିଧାନିକ ବୋଲି ରାୟରେ କହିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ. ଖେହରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ. ଖେହର, ଜଷ୍ଟିସ କୁରିୟନ ଜୋସେଫ, ଜଷ୍ଟିସ ରୋହିତନ ନରୀମନ, ଜଷ୍ଟିସ ୟୁ.ୟୁ ଲଳିତ ଓ ଜଷ୍ଟିସ ଅବଦୁଲ ନଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ପ୍ରସଙ୍ଗର ଶୁଣାଣୀ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହି ୫ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ତିନିଜଣ ତିନି ତଲାକୁ ଅସାମ୍ବିଧାନିକ କହିଥିବା ବେଳେ ଦୁଇଜଣ ଏହା ସପକ୍ଷରେ ରହିଥିଲେ । ତେବେ ମାମଲାର ଶୁଣାଣୀ କରୁଥିବା ଏହି ପାଂଚଜଣ ବିଚାରପତି ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ଏହା ଏକ ଐତିହାସିକ ଶୁଣାଣୀ ବୋଲି କୁହାଯାଉଛି । ଏହା ପରେ ତିନି ତଲାକ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ । ଏହି ଅଧ୍ୟାଦେଶ ଅନୁସାରେ ତିନି ତଲାକ ଏକ ଅପରାଧ ଭାବେ ବିବେଚିତ ହେବ ।

ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ଅନ୍ତର୍ଭୁକ୍ତ

right to privacy

ରାଇଟ ଟୁ ପ୍ରାଇଭେସୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂପୂର୍ଣ୍ଣ ରାୟ । ଗୋପନୀୟତା ମୌଳିକ ଅଧିକାର ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ରାଇଟ ଟୁ ପ୍ରାଇଭେସୀକୁ ସୁପ୍ରିମକୋର୍ଟ ମୌଳିକ ଅଧିକାର ସ୍ୱୀକାର କରି ଏହା ସପକ୍ଷରେ ରାୟ ଦେଇଥିଲେ । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଶୁଣାଇଥିଲେ । ସମ୍ବିଧାନର ଅନୁଚ୍ଛେଦ ୨୧ଆଧାରରେ ଗୋପନୀୟତାକୁ ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ବିଭିନ୍ନ ସମୟରେ ଏକାଧିକ ଥର ସୁପ୍ରିମକୋର୍ଟର ଖଣ୍ଡପୀଠ ସବୁ ଏହାକୁ ମୌଳିକ ଅଧିକାର ନୁହେଁ ବୋଲି ଦେଇଥିବା ରାୟକୁ ଖଣ୍ଡନ କରିଥିଲେ ଏହି ସାମ୍ବିଧାନିକ ଖଣ୍ଡପୀଠ ।

ଇଚ୍ଛା ମୃତ୍ୟୁକୁ ଅନୁମତି :

passive euthanasiaଚଳିତ ମାର୍ଚ୍ଚ ମାସରେ ଇଚ୍ଛାମୃତ୍ୟୁ ଉପରେ ଐତିହାସିକ ରାୟ ଶୁଣାଇଥିଲେ ଦେଶର ସର୍ବୋଚ୍ଚ ନ୍ୟାୟଳୟ । ପ୍ରତ୍ୟେକ ନାଗରିକର ସମ୍ମାନର ସହ ମରିବାର ଅଧିକାର ଅଛି ବୋଲି କହିଥିଲେ ସୁପ୍ରିମକୋର୍ଟ । କମନ୍ କଜ୍ ନାମକ ଏକ ଏନଜିଓର ଆବେଦନ ଉପରେ ବିଚାର କରି ଏହି ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । କଡା ସର୍ତ୍ତ ସହ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ୫ ଜଣିଆ ଖଣ୍ଡପୀଠ ମିଳିତ ଭାବେ ପରୋକ୍ଷ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ । ସର୍ତ୍ତ ଅନୁଯାୟୀ ଯେତେବେଳେ ଜଣେ ରୋଗୀଙ୍କ ବଂଚିବା ପାଇଁ ଆଉ କୌଣସି ବିକଳ୍ପ ନଥିବ ଏବଂ ସେ କେବଳ ଲାଇଫ୍ ସପୋର୍ଟ ସିଷ୍ଟମରେ ହିଁ ବଂଚିପାରୁଥିବେ, ସେହି ଅବସ୍ଥାରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଇପାରିବ ଟସୁପ୍ରିମକୋର୍ଟର ଗାଇଡ଼୍ ଲାଇନ୍ ଅନୁଯାୟୀ –

– ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ କିମ୍ବା କୋମା ଷ୍ଟେଜକୁ ଗତି କରୁଥିବା ରୋଗୀ ହୋସ ଥିବା ବେଳେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିପାରିବେ ।

– କିଏ ରୋଗୀର ଇଚ୍ଛାମୃତ୍ୟୁକୁ କାର୍ଯ୍ୟକାରୀ କରିବ ଏବଂ ଏ ନେଇ ମେଡିକାଲ୍ ବୋର୍ଡର କି’ ଭୂମିକା ରହିବ ଏହା ମଧ୍ୟ ନିର୍ଦ୍ଧାରଣ ହେବ ।

– ତେବେ ରୋଗୀର ଏହି ଇଚ୍ଛା ବିରୋଧରେ ତାଙ୍କର ବନ୍ଧୁ ଓ ପରିବାରବର୍ଗ ମଧ୍ୟ ହାଇକୋର୍ଟରେ ଆବେଦନ କରିପାରିବେ ।

– ଇଚ୍ଛାମୃତ୍ୟୁ ଜରୁରି କି ନାହିଁ ଏ ନେଇ ମେଡିକାଲ ବୋର୍ଡକୁ ପ୍ରଶ୍ନ କରିପାରିବେ ହାଇକୋର୍ଟ ।

ସମସ୍ତଙ୍କୁ ସ୍ବାଗତ : କେରଳ ସବରିମାଲା ମନ୍ଦିର ଭିତରକୁ ଯାଇ ପାରିବେ ମହିଳା

Sabarimalaଭକ୍ତିରେ ଭେଦଭାବ ରହିବା ଉଚିତ ନୁହଁ । ବିନା କୌଣସି ଭେଦଭାବରେ ସମସ୍ତଙ୍କୁ ମନ୍ଦିରରେ ପୂଜା କରିବାକୁ ଅନୁମତି ମିଳିବା ଆବଶ୍ୟକ। ମହିଳାଙ୍କୁ ମନ୍ଦିର ପ୍ରବେଶରେ ବାରଣ ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ। ସବରିମାଲା ମାମଲାରେ ରାୟ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଏହା ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ସବୁ ବୟସ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶ ସପକ୍ଷରେ ରାୟ ଦେଇଛନ୍ତି । ମନ୍ଦିରର ୮ଶହ ବର୍ଷର ପରମ୍ପରା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ୧୦ରୁ ୫୦ ବର୍ଷ ବୟସ ବର୍ଗ ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଥିଲା । ଏବେ ମହିଳାମାନେ ମଧ୍ୟ ପ୍ରଭୁ ଆୟପ୍ପାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ପାରିବେ ।

ଇଣ୍ଡିଆନ୍‌ ୟଙ୍ଗ ଲୟର୍ସ ଆସୋସିଏସନ୍‌ ଓ ଅନ୍ୟମାନେ ଏହି ପ୍ରଥାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଏହି ପ୍ରଥା ଲିଙ୍ଗଗତ ପ୍ରଭେଦ କରୁଥିବା ଅଭିଯୋଗ ହୋଇଥିଲା । ଆବେଦନକାରୀ କହିଥିଲେ ଯେ ଏହାଦ୍ୱାରା ସାମ୍ବିଧାନିକ ସମାନତାର ଅଧିକାର କ୍ଷୁଣ୍ଣ ହେଉଛି। ସେପଟେ ଏହି ଆବେଦନ ବିରୋଧରେ ଯୁକ୍ତି ଦର୍ଶାଯାଇ ଶହ ଶହ ବର୍ଷର ପୁରୁଣା ଏହି ପ୍ରଥାରେ ସୁପ୍ରିମକୋର୍ଟ ଦଖଲ ଦେବା ଠିକ୍‌ ନୁହେଁ ବୋଲି କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.