ଦିନରେ ପାଠପଢା ରାତିରେ ଜମାଟୋ ବୟ, ନିଜ ପାଇଁ ନିଜେ ଲଢନ୍ତି ସରୋଜ

ଆଜିର କେତକ ଯୁବ ପିଢ଼ିଙ୍କ ଭିତରୁ ଏତେ ରାତିରେ ହୁଏତ କିଏ ଛିନ୍ ତାଇ ରାହାଜାନି କିମ୍ବା କାହା ଘର ଆପାର୍ଟମେଣ୍ଟ ଝରକା ତାଡି ଲୁଟ ପାଟ କରୁଥିବେ। ଅଥବା ବ୍ରାଉନସୁଗାର କି ମଦ ପିଇ କୋଉ ବାରରେ ରଙ୍ଗବାଜି କରୁଥିବେ । ହେଲେ ଏହି ରାତିର ଅନ୍ଧାର ବୁକୁ ଚିରି ଏ ସମୟରେ ଏହି ଯୁବକ ଜଣଙ୍କ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା କଥା ଟିକେ ନିଆରା ।

ଭୁବନେଶ୍ୱର(କେନ୍ୟୁଜ): ରାତିର ତୃତୀୟ ପହର ଅର୍ଥାତ ରାତି ଦୁଇଟା ବାଜିବାକୁ ବସିଲାଣି । ଆଉ ସେତେବେଳକୁ ରାଜଧାନୀର ଚାରିଆଡେ ନିସ୍ତବ୍ଦତା ରାଜ୍ କରୁଥାଏ । ସତେ ଯେମିତି ସାରା ସହର ଶୋଇ ଯାଇଥାଏ ନିଘୋଡ଼ ନିଦରେ । ରାସ୍ତା ଚାରିଆଡେ ଶୂନଶାନ୍ । କାଁ ଭାଁ ରାସ୍ତାରେ ବାଲି ବୋଝେଇ ଟ୍ରକ୍ ଗୁଡିକ ଯାଅ ଆସ କରି ନିସ୍ତବ୍ଦତା ଭାଙ୍ଗି ଦେଉଥାନ୍ତି । ଆଉ କେଉଁଠି ଦେଖିବାକୁ ମିଳୁଥାଏ ଜେସିବିଟିଏ । ଯିଏ ଶୂନଶାନ୍ ପରିବେଶରେ ଘଡଘଡ କରି ଶବ୍ଦ କରୁଥାଏ । ପାଖରେ କେତକ କର୍ମଚାରୀ ରହି କାମ କରୁଥାନ୍ତି । ଏହି ନିସ୍ତବ୍ଧ ରାତିଟାରେ ଦେଖିବାକୁ ମିଳିଥିଲା ଏକ ହୃଦୟକୁ ଛୁଇଁଲା ଭଳି ଘଟଣା । ଛାତିର ସ୍ପନ୍ଦନକୁ ଟିକିଏ ବଢ଼ାଇଦେଲା ସେ ଦୃଶ୍ୟ ।

ଅନତି ଦୂରରେ ଜଣେ ଜମାଟୋ ବୟ ଖାଦ୍ୟ ଧରିକି ଅପେକ୍ଷା କରିଥାନ୍ତି ମଗାଇ ଥିବା ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ । ଖାଦ୍ୟ ପାକେଟ ନେଇ ଥୋଇଲେ ଜମାଟୋ ବକ୍ସ ଭିତରେ । କିଛି ସମୟ ଏଣେ ତେଣେ ଚାହିଁ ବାହାରିଲେ ଗନ୍ତବ୍ୟ ସ୍ଥଳରେ ଖାଦ୍ୟ ପହଞ୍ଚାଇବା ପାଇଁ । ଆସିଲେ ପୁଣି ରହୁଥିବା ହଷ୍ଟେଲକୁ ଫେରିବେ । ସେନେଇ ତରବର ହେଉଥିଲେ । ଆମେ ପହଞ୍ଚି ପଚାରିଲୁ କଣ ଏତେ ରାତିରେ ଖାଦ୍ୟ ଯୋଗାଇବାକୁ ଗ୍ରାହକ ପାଖକୁ ଯାଆନ୍ତି । ଯୁବକ ଜଣଙ୍କ କହିଲେ ହଁ । ଆମେ ପୁଣି ପ୍ରଶ୍ନ କଲୁ କଣ ଏମିତି ଆସୁବିଧା ଯେ ଏତେ ଯାଏ ଜମାଟୋ ବୟ ଭାବରେ କାମ କରିବାକୁ ପଡୁଛି?

ଯୁବକ ଜଣଙ୍କ ବଖାଣି ଚାଲିଲେ ଗୋଟି ଗୋଟି କରି ସବୁ କଥା । ଯୁବକ ଜଣଙ୍କ କଥା ଶୁଣି ଆମ ଛାତି ଗର୍ବରେ ଫୁଲି ଉଠିଲା । ସତରେ ଆଜିର କେତକ ଯୁବ ପିଢ଼ିଙ୍କ ଭିତରୁ ଏତେ ରାତିରେ ହୁଏତ କିଏ ଛିନ୍ ତାଇ ରାହାଜାନି କିମ୍ବା କାହା ଘର ଆପାର୍ଟମେଣ୍ଟ ଝରକା ତାଡି ଲୁଟ ପାଟ କରୁଥିବେ। ଅଥବା ବ୍ରାଉନସୁଗାର କି ମଦ ପିଇ କୋଉ ବାରରେ ରଙ୍ଗବାଜି କରୁଥିବେ । ହେଲେ ଏହି ରାତିର ଅନ୍ଧାର ବୁକୁ ଚିରି ଏ ସମୟରେ ଏହି ଯୁବକ ଜଣଙ୍କ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା କଥା ଟିକେ ନିଆରା ଲାଗୁଥିଲା ।

ତେବେ ଜାଣନ୍ତୁ ଏ ରାତିରେ କଷ୍ଟ ପଛର କାହାଣୀ । ଯୁବକ ଜଣଙ୍କ ନାମ ସରୋଜ ସିଙ୍ଗ ଖୁଣ୍ଟିଆ । ଘର ଯାଜପୁର ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ । ସରୋଜ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦେବରାଇ କଲେଜରେ ସ୍ନାତକରେ ବିଜ୍ଞାନ ବିଭାଗର ଛାତ୍ର । ଦିନରେ ସରୋଜ କଲେଜ ଯାଆନ୍ତି । ପାଠ ପଢା ଦିନରେ ସାରିବା ପରେ ହଷ୍ଟେଲ ଆସି କଲେଜ ପାଠ ପଢା ସାରି ଦିଅନ୍ତି । ସନ୍ଧ୍ୟା ହେବା ପରେ ଟିକିଏ ରାତି ଛୁଇଁଲେ ହଷ୍ଟେଲରୁ ବାହାରି ଜମାଟୋ ବୟ ସାଜି ଘର ଘର ଯାଇ ଗ୍ରାହଙ୍କୁ ଖାଇବା ଦେଇ ଆସନ୍ତି । ଆଉ ସବୁଠାରୁ ବଡ଼ କଥା କଣ ଜାଣନ୍ତି, ଜମାଟୋ ବୟ ଭାବେ ଯାହା ରୋଜଗାର ହୁଏ ତାହା ନିଜର ପଢା ଖର୍ଚ୍ଚରେ ଲଗାନ୍ତି ଆଉ କିଛି ସଂଚୟ କରନ୍ତି।

ଘର ପରିବାର ଲୋକେ ଖର୍ଚ୍ଚ ଦିଅନ୍ତି ସତ ହେଲେ ସରୋଜ ଚାହାଁନ୍ତିନି ପରିବାର ଉପରେ ଟଙ୍କାର ଭାର ପଡ଼ୁ । ତେଣୁ ଆଜି ଅଧ ରାତି ଯାଏ କାମ କରି ନିଜର ଖର୍ଚ୍ଚ ନିଜେ ଉଠାଇବା ସହିତ ସେଥିରେ ବହି ପତ୍ର ପଢା ଖର୍ଚ୍ଚ ତୁଲାଇ ନିଅନ୍ତି । ଏଭଳି ଜଣେ ବିଜ୍ଞାନ ବିଭାଗର ଛାତ୍ରଙ୍କ ମନୋଭାବ ସମସ୍ତଙ୍କୁ ମନକୁ ଛୁଇଁଛି । ଅନେକ ଯୁବକ ଅବାଟରେ ଯିବା ବନ୍ଦ କରି ସରୋଜଙ୍କ ଭଳି ସ୍ୱାବଲମ୍ବୀ ହୋଇ ନିଜେ ରୋଜଗର ନିଜେ କରିବା ଆରମ୍ଭ କଲେଣି, ଯେଉଁଦିନ ଠାରୁ ତାଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସରୋଜଙ୍କ ଭଳି ଯଦି ସବୁ ଯୁବପିଢି ଅବାଟରେ ନଯାଇ ନିଜ ଗୋଡରେ ନିଜେ ଠିଆ ହେବାର ଜୋସ୍ ରଖିବେ, ତେବେ ଏ ସମାଜର ଉନ୍ନତି ହେବ ସହିତ ଏକ ବଡ ପରିବର୍ତ୍ତନ ହେବ ଏଥିରେ ଦ୍ଵନ୍ଦ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.