ଭଗବାନ ବିଷ୍ଣୁ ଏବଂ ଶଙ୍କରଙ୍କ ପ୍ରତୀକ ଅଳାଁ ବୃକ୍ଷ, ପୂଜା କରିବା ଦ୍ୱାରା ଦୂର ହୋଇଥାଏ ଦାରିଦ୍ର୍ୟ

ଅକ୍ଷୟ ନବମୀ କିମ୍ବା ଅଳାଁ ନବମୀକୁ ହିନ୍ଦୁ ସଂସ୍କୃତିରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଏକ ବୋଲି କୁହାଯାଇଥାଏ । ଏହି ଉତ୍ସବକୁ ହିନ୍ଦୁୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିରେ ପାଳନ କରଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହି ପର୍ବ ୨୩ ନଭେମ୍ବରରେ ପାଳନ କରାଯିବ। ଏହି ପର୍ବ ପ୍ରକୃତି ପ୍ରତି କୃତଜ୍ଞ ବ୍ୟକ୍ତ କରିବାର, ଭାରତୀୟ ସଂସ୍କୃତିର ପର୍ବ। ଏହି ଦିନ ଅଁଳା ଗଛ ପୂଜା କରି ପରିବାର ପାଇଁ ସୁଖ-ସୌଭାଗ୍ୟ ଏବଂ ଆରୋଗ୍ୟ କାମନା କରିଥାନ୍ତି। ଏହି ଦିନ କରାଯାଇଥିବା ତପ, ଜପ, ଦାନ ଇତ୍ୟାଦି ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି କରିବା ସହ ସମସ୍ତ ପ୍ରକାର ମନୋସ୍କାମନା ପୂରଣ କରିଥାଏ। ଶାସ୍ତ୍ର ଅନୁଯାୟୀ ଅକ୍ଷୟ ନବମୀ ଦିନ ଅଳାଁ ବୃକ୍ଷରେ ଭଗବାନ ବିଷ୍ଣୁ ଏବଂ ଶିବ ବାସ କରିଥାନ୍ତି। ମାନ୍ୟତା ରହିଛି ଏହିଦିନ ବୃକ୍ଷ ତଳେ ବସିବା କିମ୍ବା ଭୋଜନ କରିବା ଦ୍ୱାରା ସମସ୍ତ ପ୍ରକାର ରୋଗ ନାଶ ହୋଇଥାଏ।

amla_navmiସର୍ବ ପ୍ରଥମେ ଅଳାଁ ବୃକ୍ଷ ପୂଜା କରିଥିଲେ ମାତା ଲକ୍ଷ୍ମୀ

ଅଳାଁ ନବମୀରେ ଅଳାଁ ଗଛ ପୂଜା ଏବଂ ଏହି ବୃକ୍ଷର ତଳେ ବସି ଭୋଜନ କରିବାର ପ୍ରଥା ମାତା ଲକ୍ଷ୍ମୀ ଆରମ୍ଭ କରିଥିଲେ ବୋଲି କୁହାଯାଇଥାଏ। ପୌରାଣିକ କଥା ଅନୁଯାୟୀ, ଥରେ ମାତା ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ କରିବାକୁ ଆସିବା ପରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ପୂଜା ଏକାଠି କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ମାତା ଲକ୍ଷ୍ମୀ ନାରାୟଣ ଏବଂ ଶଙ୍କରଙ୍କ ପୂଜା କିପରି ଏକାଠି ହୋଇପାରିବ ଚିନ୍ତା କରିଥିଲେ। ଏହି ସମୟରେ ମା’ ଲକ୍ଷ୍ମୀଙ୍କର ମନେ ପଡିଥିଲା, ଶ୍ରୀହରିଙ୍କ ପ୍ରିୟ ତୁଳସୀ ଏବଂ ଶିବଙ୍କ ସ୍ୱରୂପ ବେଲର ଗୁଣ ଏକାଠି ଅଳାଁ ବୃକ୍ଷରେ ରହିଥାଏ। ଏହାପରେ ଅଳାଁ ବୃକ୍ଷକୁ ମାତା ଲକ୍ଷ୍ମୀ ବିଷ୍ଣୁ ଏବଂ ଭଗବାନ ଶଙ୍କରଙ୍କର ପ୍ରତୀକ ଚିହ୍ନ ଭାବି ପୂଜା କରିଥିଲେ। ପରେ ଏହି ପୂଜାରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ଏବଂ ଶିବ ପ୍ରକଟ ହୋଇଥିଲେ। ଏହାପରେ ଲକ୍ଷ୍ମୀମାତା ଅଳାଁ ବୃକ୍ଷ ତଳେ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀହରି ଏବଂ ଭଗବାନ ଶଙ୍କରଙ୍କୁ ଭୋଜନ କରାଇବା ପରେ ସ୍ୱୟଂ ଭୋଜନ କରିଥିଲେ।

amla_navamiଅଳାଁ ନବମୀ ପୂଜା

ଅଳାଁ ନବମୀ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ଅଳାଁ ବୃକ୍ଷ ପୂଜା କରିବାର ବିଧାନ ରହିଛି। ଅଳାଁ ଗଛ ମୂଳରେ କ୍ଷୀର ଅର୍ପଣ କରିବା ସହ ସିନ୍ଦୂର, ଅକ୍ଷତ, ଫୁଲ ଆଦି ଜିନିଷ ବ୍ୟବହାର କରି ପବିତ୍ର ବୃକ୍ଷର ପୂଜା କରନ୍ତୁ। ଏହାପରେ ଅଳାଁ ବୃକ୍ଷ ଚାରିପଟେ ୭ ଥର ପରିକ୍ରମା କରିବା ପରେ ଦୀପ ପ୍ରଜ୍ବଳିତ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.