ଆଖି ବୁଜିଲା ପ୍ରଥମ ଶାକାହାରୀ କୁମ୍ଭୀର ‘ବାବୀୟା’, ସମ୍ମାନର ସହ ହେଲା ଶେଷ କୃତ୍ୟ

ଆଖି ବୁଜିଲା ଶାକାହାରୀ କୁମ୍ଭୀର ‘ବାବୀୟା’ । କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। କେରଳର ପଦ୍ମନାଭସ୍ୱାମୀ ମନ୍ଦିର ହ୍ରଦରେ ରହୁଥିଲା କୁମ୍ଭୀର ‘ବାବୀୟା’ । କୁହାଯାଏ ଏହି କୁମ୍ଭୀର କୌଣସି ସାଧାରଣ କୁମ୍ଭୀର ନଥିଲା । କାରଣ ଏହି କୁମ୍ଭୀରର ସ୍ୱଭାବ ସମ୍ପୂର୍ଣ୍ଣ ଅଲଗା ଥିଲା । ଅର୍ଥାତ ଅନ୍ୟ କୁମ୍ଭୀରଙ୍କ ପରି ଏ ମାଂସ ଖାଉନଥିଲା, ସମ୍ପୂର୍ଣ୍ଣ ଶାକାହାରୀ ଥିଲା । ଯାହାର ବୟସ ୭୫ ବର୍ଷଥିଲା । ଏହି ସାକାହାରୀ କୁମ୍ଭୀରର ଏଭଳି ମୃତ୍ୟୁରେ ସ୍ଥାନୀୟ ଲୋକଙ୍କ ସହ ଭକ୍ତଙ୍କ ମଧ୍ୟରେ ଏକ ଅଦ୍ଭୁତ ଶୋକର ଛାୟା ଖେଳିଯାଇଛି । ସବୁଦିନ ପାଇଁ ଆଖିବୁଜି ଦେଇଛି ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ‘ବାବୀୟା’ । କୁହାଯାଉଛି ଗତ ରବିବାର ରାତିରେ ଏହାର ମୃତ୍ୟୁ ହୋଇଛି । ଗତ ଶନିବାରରୁ ଏହା ନିଖୋଜ ଥିଲା ।

ରବିବାର ରାତିରେ ତା’ର ଶବ ପୋଖରୀରେ ଭାସୁଥିବା ମନ୍ଦିର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଶତାଧିକ ଲୋକ ଶାକାହାରୀ କୁମ୍ଭୀରର ଶେଷ ଦର୍ଶନ କରି ତା’ ପ୍ରତି ସମ୍ମାନ ଜଣାଇଥିଲେ । ମନ୍ଦିର କର୍ମକର୍ତ୍ତାଙ୍କ ଦାବି ଏହି କୁମ୍ଭୀର ମନ୍ଦିର ପୋଖରୀରେ ଦୀର୍ଘ ୭୦ ବର୍ଷ ଧରି ରହି ପୋଖରୀରେ ରହି ଆସୁଥିଲା। ସମସ୍ତ ତାକୁ ‘ବାବୀୟା’ ବୋଲି ଡାକୁଥିଲେ। କୁମ୍ଭୀର ‘ବାବୀୟା’ କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା ମାଛ ସେ ଆଦୌ ଖାଉନଥିଲା । ମନ୍ଦିରର ସମସ୍ତ ସ୍ଥାନକୁ ତା’ର ଅବାଧ ପ୍ରବେଶ ଥିଲା । ସ୍ଥାନୀୟ ଲୋକଙ୍କର ଅତି ପ୍ରିୟ ଥିଲା ସେ । ଏତେ ବର୍ଷ ଧରି କେବେ କାହାର କ୍ଷତି କରି ନ ଥିବା କୁହନ୍ତି ସ୍ଥାନୀୟ ଲୋକେ।

ଖବର ଅନୁଯାୟୀ ୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନ୍ୟ ଅନ୍ୟ ଏକ କୁମ୍ଭୀରକୁ ଗୁଳି କରିବାର କିଛି ଦିନ ପରେ ମନ୍ଦିର ପୋଖରୀରେ ବାବୀୟା କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ । ମନ୍ଦିର ଆଖପାଖ ଲୋକଙ୍କ କହିବା ଅନୁସାରେ, ଏହା ମନ୍ଦିର ପୋଖରୀରେ ବିଚରଣ କରୁଥିବା ୩ୟ କୁମ୍ଭୀର ଥିଲା । ଏଠାରେ ଗୋଟିଏ କୁମ୍ଭୀର ଦେଖାଯାଉଥିଲା । ସେ ବୃଦ୍ଧ ହୋଇ ମରିବା ପରେ ହଠାତ୍‌ ଆଉ ଏକ କୁମ୍ଭୀର ନଜର ଆସୁଥିଲା ।

ଲୋକ ମାନ୍ୟତା ଅନୁଯାୟୀ, ବାବିୟା ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ସୁରକ୍ଷା କରୁଥିଲା ଏବଂ ଭଗବାନ ବିଷ୍ଣୁଙ୍କ ପାଇଁ ସେ ସତେ ଯେପରି ସମର୍ପିତ ଥିଲା । ଏହି ଦିବ୍ୟ କୁମ୍ଭୀର ବାବୀୟାକୁ ପୂଜା କରିଲେ ଶୁଭ ଖବର ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି । ତେବେ ଶନିବାରଠାରୁ ବବିଆକୁ ଆଉ ପୋଖରୀରେ ଦେଖିବାକୁ ମିଳୁ ନ ଥିଲା। ରବିବାର ବିଳମ୍ବିତ ରାତିରେ ସେ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ପୋଖରୀରୁ କୁମ୍ଭୀରର ଶବକୁ ବାହାର କରିଥିଲେ। ପରେ କୁମ୍ଭୀରର ଶବକୁ ଏକ କାଚ ବାକ୍ସରେ ରଖାଯାଇଥିଲା। ତା ପାଖରେ ଧୂପ, ଦୀପ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ମନ୍ଦିର ପରିସର ମଧ୍ୟରେ ହିଁ ତାହାର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ମନ୍ଦିରରେ ରହିଥିବା ଏହି ଦିବ୍ୟ କୁମ୍ଭୀର ବାବିୟାକୁ ଜଣେ ସାଧୁ ସନ୍ଥର ମାନ୍ୟତା ରୂପକ ସ୍ୱତନ୍ତ୍ର ବିଦାୟ ଦିଆଯାଇଥିବା କୁହାଯାଉଛି । ହଜାର ହଜାର ଲୋକଙ୍କ ଗହଣରେ ମନ୍ଦିର କର୍ତ୍ତୁପକ୍ଷ ବାବିୟାର ସସମ୍ମାନର ସହ ଅନ୍ତିମ ସଂସ୍କାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.