ଗୋଟିଏ ଗୋଡ଼ରେ ଚାଲୁଥିବା ଝିଅକୁ ସାହାଯ୍ୟ କଲେ ସୋନୁ ସୁଦ, କହିଲେ- ଏବେ ଦୁଇ ଗୋଡରେ ଚାଲିବେ

ନୂଆଦିଲ୍ଲୀ : କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ। କିନ୍ତୁ ଯେତେବେଳେ ନିଜ ଶରୀରର କୌଣସି ଅଙ୍ଗ ସ୍ବପ୍ନ ପୂରଣ ଆଗରେ ବାଧା ସୃଷ୍ଟି କରେ ସେତେବେଳେ କଠିନ ହୋଇଯାଏ ଯାତ୍ରା । ମାତ୍ର ମନର ବଳ ଶାରୀରିକ ଅକ୍ଷମତାକୁ ଫିକା ପକାଇ ଦେଇଥାଏ । ଏପରି ଦୃଢ ମନବଳ ପୋଷଣ କରିଛନ୍ତି ବିହାରର ଜଣେ ୧୦ ବର୍ଷୀୟା ଛାତ୍ରୀ । ଗୋଟିଏ ଗୋଡରେ ସୀମା ଲଙ୍ଘିଯିବାର ଶକ୍ତି ରଖିଛନ୍ତି ସୀମା । ତାଙ୍କର ପାଠପଢି କିଛି କରିବାର ସ୍ବପ୍ନ ଅକ୍ଷମତାକୁ ଅଟ୍ଟହାସ୍ୟ କରୁଛି । ସବୁ କଷ୍ଟ, ସବୁ ଯନ୍ତ୍ରଣା ସହି ସେ ପଢିବେ, ବଢିବେ, ମଣିଷଟିଏ ହେବେ …

ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଏହି କୁନି ଝିଅ। ଦୁଇ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ଦେଇଥିଲେ ବିହାର ଜମୁଇର ସୀମା। ହେଲେ ତାଙ୍କର ପାଠ ପଢ଼ିବାର ଇଚ୍ଛା ଓ ଶିକ୍ଷକ ହୋଇ ପଠା ପଢ଼ାଇବାର ସ୍ୱପ୍ନ ଆଗରେ ହାରମାନିଛି ଭଗବାନଙ୍କର ଏହି ନିଷ୍ଠୁରତା। ସୀମା ଗୋଟିଏ ଗୋଡ଼ରେ ସବୁ ଦିନ ଏକ କିଲୋମିଟର ପାଦରେ ଚାଲି ସ୍କୁଲ ଯାଉଛନ୍ତି। ଏବଂ ମନ ଲଗାଇ ପାଠ ପଢ଼ୁଛନ୍ତି ସେ ବଡ଼ ହେଲେ ଶିକ୍ଷକ ହୋଇ ଆଖପାଖ ଲୋକଙ୍କୁ ଶିକ୍ଷିତ କରାଇବାର ଲକ୍ଷ୍ୟ ରଖିଛନ୍ତି।

ସୀମା ଖେରା ବ୍ଲକ ମାଓପ୍ରବଣ ଅଞ୍ଚଳ ଫତେପୁର ଗାଁରେ ରୁହନ୍ତି। ମହାଦଳିତ ସମ୍ପ୍ରଦାୟର ଖୀରନ ମାଞ୍ଝିଙ୍କ ଝିଅ ସୀମା । ବାପା ଖିରନ ମାଣ୍ଡି ଅନ୍ୟ ରାଜ୍ୟକୁ ଯାଇ ଦିନ ମଜୁରୀ କାମ କରନ୍ତି । ମା’ ଇଟାଭାଟିରେ କାମ କରେ । ବାପାମା’ଙ୍କ କୁଲିମଜୁରୀ ଟଙ୍କାରେ ପରିବାର ଚଳେ । ପିଲାଟି ଦିନରୁ ଦାରିଦ୍ର୍ୟକୁ ଅତି ପାଖରୁ ଦେଖିଛି ସୀମା । ଆଉ ଏଥିପାଇଁ ପାଠ ପଢ଼ି ଶିକ୍ଷକ ହେବାର ଲକ୍ଷ୍ୟ ନେଇ ସେ କଠିନ ପରିଶ୍ରମ କରୁଥିଲା । ହେଲେ ଏହି ଗରିବ ପରିବାର ଉପରେ ଦାଉ ସାଝିଲା ଦଇବ । ଏକ ଟ୍ରାକ୍ଟର ଧକ୍କା ଦେବାରୁ ସୀମା ଗୁରୁତର ଆହତ ହୋଇଥିଲା । ଚିକିତ୍ସା ସମୟରେ ଡାକ୍ତରମାନେ ସୀମାର ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଗୋଡ଼ କାଟି ଦେଇଥିଲେ। ଦଶ ବର୍ଷର ଝିଅର ଜୀବନ ସିନା ବଞ୍ଚିଗଲା, କିନ୍ତୁ ସେ ଦିବ୍ୟାଙ୍ଗ ହୋଇଗଲା । ଏତେସବୁ ଘଟିଲା ପରେ ବି ପାଠପଢା ପ୍ରତି ତାଙ୍କର ଥିବା ଇଚ୍ଛାକୁ ଆହୁରି ଦୃଢ ହୋଇଥିଲା। ସୀମାଙ୍କ ଇଚ୍ଛାଶକ୍ତି ଦେଖି ବିଦ୍ୟାଳୟର ଶିକ୍ଷକ ସୀମାଙ୍କ ନାମ ଲେଖାଇଥିଲେ ।

ତାଙ୍କ ମା’ ବେବୀ ଦେବୀଙ୍କ କହିବା ଅନୁସାରେ ସୀମା ସଡ଼କ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ତା’ର ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି ଆମେ ଭାବିଥିଲୁ । କିନ୍ତୁ ଅନ୍ୟ ପିଲାଙ୍କୁ ବିଦ୍ୟାଳୟ ଯାଉଥିବା ଦେଖି ସୀମା ବିଦ୍ୟାଳୟ ଯିବାକୁ ଇଚ୍ଛା କଲା । ତେବେ ଗୋଟିଏ ଗୋଡ଼ରେ ଏକ କିଲୋମିଟର ଯିବା ପାଇଁ ସୀମାଙ୍କୁ ଆଉ ଅସୁବିଧା ହେଉନଥିବା କହିଛନ୍ତି ।

ତେବେ ଗୋଟିଏ ପାଦରେ ସ୍କୁଲ ଯାଉଥିବା ସୀମାର ଏହି ସଙ୍ଘର୍ଷ ଓ ପ୍ରେରଣାରେ ଭିଡିଓ ସୋନୁ ସୁଦ ଦେଖିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୋନୁ ଟ୍ୱିଟ କରି ଲେଖିଛନ୍ତି, ଆଉ ସେ ଗୋଟିଏ ଗୋଡରେ ନୁହେଁ ଦୁଇଟି ଗୋଡରେ ଡେଇଁଡେଇଁ ସ୍କୁଲ ଯିବ । ଟିକେଟ୍ ପଠାଇଲି, ସମୟ ଆସିଛି ଏବେ ଦୁଇଟି ଗୋଡରେ ଚାଲିବାକୁ । ସୋନୁଙ୍କ ଏହି ଟୁଇଟ ସୀମାଙ୍କ ଜୀବନରେ ନୂଆ ଆଶା ଆଣିଦେଇଥିବା ବେଳେ ଆଗାମୀ ଭବିଷ୍ୟତ ସୁଖମୟ ହେବା ସହ ଗରିବ ଝିଅ ସୀମା ଦେଖିଥିବା ଶିକ୍ଷୟିତ୍ରୀ ସ୍ୱପ୍ନ ସତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.