୧୫ ଦେଶରେ ମାଡ଼ି ଗଲାଣି ମଙ୍କିପକ୍ସ! ସାରା ବିଶ୍ୱରେ ୨୧୯ ମାମଲା; ରୋଗକୁ ହାଲୁକା ନ ନେବାକୁ କହିଲା WHO

କରୋନା ଭାଇରସ୍‌ ମହାମାରୀ ଭିତରେ ଏବେ ମଙ୍କିପକ୍ସର ବିପଦ ବଢ଼ିବାରେ ଲାଗିଛି। ମାତ୍ର ୧୫ ଦିନ ମଧ୍ୟରେ ଏହି ରୋଗ ୧୫ଟି ଦେଶରେ ବ୍ୟାପି ଗଲାଣି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଆଫ୍ରିକାରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି। ୟୁରୋପୀୟ ୟୁନିଅନ ଡିଜିଜ୍‌ ଏଜେନ୍ସିର ତଥ୍ୟ ମୁତାବକ, ସାରା ବିଶ୍ୱରେ ଏବେ ମଙ୍କିପକ୍ସର ୨୧୯ ମାମଲା ସାମ୍ନାକୁ ଆସିଛି। ଯଦିଓ ଭାରତରେ ଏହାର କୌଣସି ମାମଲା ନାହିଁ, ତଥାପି ସରକାର ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ଚେତାବନୀରୁ ଜଣାପଡ଼ୁଛି ଯେ ଏହି ରୋଗକୁ ହାଲୁକା ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ। WHO ମୁତାବକ, କୌଣସି ବି ଦେଶରୁ ଯଦି ଗୋଟିଏ ବି କେସ୍‌ ମିଳୁଛି, ତା’ ହେଲେ ଏହାକୁ ଆଉଟ୍‌ବ୍ରେକ ବୋଲି ଧରାଯିବ।

ମଙ୍କିପକ୍ସର ସବୁଠାରୁ ଅଧିକ ବିପଦ ୟୁରୋପରେ ଦେଖିବାକୁ ମିଳିଛି। ଯଦିଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ରୋଗ ବ୍ୟାପୁଛି। ଗତ ୧୫ ଦିନ ଭିତରେ ଆମେରିକା, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ସ୍ୱିଡେନ, ସ୍ପେନ୍‌, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଜର୍ମାନୀ, ଇସ୍ରାଏଲ, କାନାଡା, ନେଦରଲ୍ୟାଣ୍ଡ, ବେଲ୍‌ଜିୟମ, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡ ଭଳି ଦେଶରେ ମଙ୍କିପକ୍ସ କାୟା ବିସ୍ତାର କରିଛି।

ମଙ୍କିପକ୍ସ ଭାଇରସ୍‌ ହେଉଛି ବହୁତ ଛୋଟ ଜୀବିତ ପାର୍ଟିକଲ, ଯାହାକୁ ରୋକାଯିବା ବହୁତ ମୁସ୍କିଲ ହୋଇଥାଏ। ଏହି ରୋଗ ସଂକ୍ରମିତ ପଶୁ ଏବଂ ମଣିଷଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଥାଏ। ଏହାର ଟ୍ରାନ୍ସମିଶନ ରେଟ୍‌ ୩.୩ରୁ ୩୦ ପ୍ରତିଶତ ବୋଲି କୁହାଯାଉଛି। କିନ୍ତୁ ନିକଟରେ କଙ୍ଗୋରେ ଏହି ରେଟ୍‌ ୭୩ ପ୍ରତିଶତ ଥିଲା। ଭାଇରସ୍‌ କଟି ଯାଇଥିବା କିମ୍ବା ଫାଟିଥିବା ତ୍ୱଚା, ଶ୍ୱାସନଳୀ, ଆଖି, ନାକ ଓ ମୁହଁ ଜରିଆରେ ଶରୀରରେ ପ୍ରବେଶ କରିଥାଏ। ଏହି ରୋଗ ସଂକ୍ରମିତ ବ୍ୟକ୍ତିଙ୍କ କପଡ଼ା କିମ୍ବା ଚାଦର ସଂସ୍ପର୍ଶରେ ଆସିଲେ ବ୍ୟାପିବାର ସମ୍ଭାବନା ରହିଛି।

ମଙ୍କିପକ୍ସରେ ସଂକ୍ରମିତ ହେଲେ ସାଧାରଣତଃ ଲକ୍ଷଣ ଆସିବାକୁ ୫ରୁ ୧୫ ଦିନ ସମୟ ଲାଗିଥାଏ। ଏଥିରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା, କମ୍ପନ, ଥକ୍କାପଣ ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ଲକ୍ଷଣଗୁଡ଼ିକୁ ଅନୁଭବ କରିବାର ୧ରୁ ୫ ଦିନ ପରେ ଶରୀରରେ ଛୋଟ ଛୋଟ ଦାନା ଦେଖାଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବକ, ଏହି ରୋଗ ୧୦ ସଂକ୍ରମିତ ଲୋକଙ୍କ ମଧ୍ୟରୁ ଜଣଙ୍କ ପାଇଁ ମରଣାନ୍ତକ ହୋଇପାରେ। କିନ୍ତୁ ଅଧିକାଂଶ ରୋଗୀ କିଛି ହିଁ ସପ୍ତାହ ଭିତରେ ସୁସ୍ଥ ହୋଇ ଯାଉଛନ୍ତି। ମଙ୍କିପକ୍ସ ପାଇଁ ବର୍ତ୍ତମାନ ସମୟରେ କୌଣସି ବିଶେଷ ଚିକିତ୍ସା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.