ଦେବଦଳନରେ ବସି ମାଉସୀ ମା’ ଘରକୁ ଯାଇଥାନ୍ତି ଗେହ୍ଲୀ ଭଉଣୀ ସୁଭଦ୍ରା, ଜାଣନ୍ତୁ ଏହି ରଥ ବିଷୟରେ କିଛି ରୋଚକ କଥା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ। ଦିନକ ପରେ ଅର୍ଥାତ୍‌ ଜୁଲାଇ ୧ରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା। ତିନି ରଥରେ ଆରୋହଣ କରି ମାଉସୀ ଗୁଣ୍ଡିଚାଙ୍କ ଘରକୁ ଯିବେ ତିନି ଦିଅଁ। ତେବେ ଅଣସରରେ ୧୪ ଦିନ ରହିବା ପରେ ଆଜି ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି ତିନି ଠାକୁର। ଦୀର୍ଘ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି ଭକ୍ତ। ଜଗାକୁ ଟିକେ ଦେଖିବା ପରେ ଆତ୍ମତୃପ୍ତି ହେବା ଆଶାରେ ଧାଡ଼ି ବାନ୍ଧି ବଡ଼ଦାଣ୍ଡରେ ରାତି ଅଧରୁ ଠିଆ ହୋଇଛନ୍ତି ଭକ୍ତବୃନ୍ଦ।

ରଥଯାତ୍ରା ପାଇଁ ମହାପ୍ରଭୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେଣେ ଠାକୁରଙ୍କୁ ନେବାକୁ ରଥ ବି ତିଆରି ହୋଇସାରିଲାଣି। ଭକ୍ତଙ୍କ ଗହଳରେ ଗହଳି ଲଗାଇ ତିନି ଦିଅଁ ୯ ଦିନ ପାଇଁ ଯିବେ ମାଉସୀ ମା’ଙ୍କ ଘରକୁ। ସେଥିପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷରେ, ବଡ଼ ଦିଅଁ ବଡ଼ଠାକୁର ତାଳଧ୍ୱଜରେ ଓ ଦେବୀ ସୁଭଦ୍ରା ଦେବ ଦଳନ ବା ଦର୍ପ ଦଳନରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ତେବେ ୩ ଠାକୁରଙ୍କ ୩ ରଥର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ। ଆଜି ଆସନ୍ତୁ ଜାଣିବା ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ବା ଦର୍ପଦଳନ ବିଷୟରେ…

ଦେବୀ ସୁଭଦ୍ରାଙ୍କ ରଥର ନାଁ ହେଉଛି ଦର୍ପ ଦଳନ। ଦର୍ପ ବା ଗର୍ବକୁ ଯେ ଭାଙ୍ଗେ ତାହାକୁ ଦର୍ପଦଳନ କୁହାଯାଏ। ଦେବୀ ସୁଭଦ୍ରା ରଥରେ ବସି ଲୋକଙ୍କ ମିଛ ଗର୍ବ, ଅଭିମାନ ଭାଙ୍ଗିବାକୁ ବର୍ଷକୁ ଥରେ ମନ୍ଦିରରୁ ବାହାରକୁ ଆସିଥାନ୍ତି। ଏହି ରଥର ଗଠନ ଶୈଳୀ ବି ଅନ୍ୟ ଦୁଇ ରଥ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ରଥରେ ମୋଟ୍‌ ୭୧୧ ଖଣ୍ଡ କାଠ ବ୍ୟବହୃତ ହୋଇଥାଏ। ରଥର ଚକ ସଂଖ୍ୟା ହେଉଛି ୧୨। ପ୍ରତିଟି ଚକର ବ୍ୟାସର ଆକାର ୬ ଫୁଟ୍‌। ଏହି ରଥର ଉଚ୍ଚତା ୪୪ ଫୁଟ୍‌ ୦୬ ଇଞ୍ଚ୍‌। ଏହି ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ସେହିପରି ଦ୍ୱାରପାଳ ହେଉଛନ୍ତି ଗଙ୍ଗା ଓ ଯମୁନା।

subhadra

ଦେବୀ ସୁଭଦ୍ରାଙ୍କ ରଥର ସାଥୀ ହେଉଛନ୍ତି ଅର୍ଜୁନ। ରଥର ଅସ୍ତ୍ର ହେଉଛି ପଦ୍ମ ଓ କହ୍ଲାର। ଏହି ରଥରେ ୪ଟି ଘୋଡ଼ା ଯଚା ହୋଇଥାନ୍ତି। ଏହି ଘୋଡ଼ାର ନାଁ ହେଉଛି ରୋଚିକା, ମୋଚିକା, ଜିତା ଓ ଅପରାଜିତା। ଦେବୀର ରଥର ସମସ୍ତ ଘୋଡ଼ାଙ୍କ ରଙ୍ଗ ନାଲି। ଏହି ରଥର ଦଉଡ଼ି ନାଁ ହେଉଛି ସ୍ୱର୍ଣ୍ଣଚୂଡ଼। ଭୁବନେଶ୍ୱରୀ ଓ ଚକ୍ରା ହେଉଛନ୍ତି ରଥର ଶକ୍ତି। ଦେବୀ ସୁଭଦ୍ରାଙ୍କ ରଥର ରଙ୍ଗ ନାଲି ଓ କଳା। ରଥର ପତାକାର ନାଁ ହେଉଛି ନାଦମ୍ବିକା। ରଥରେ ବିମଳା, ବନଦୁର୍ଗା, ବାରାହୀ, ଚାମୁଣ୍ଡା, ଭୁବନେଶ୍ୱରୀ, ହରଚଣ୍ଡୀ, ଜୟଦୁର୍ଗା, ସର୍ବ ମଙ୍ଗଳା, ଉଗ୍ରତାରା ପ୍ରମୁଖ ପାର୍ଶ୍ୱ ଦେବାଦେବୀ ରହିଛନ୍ତି। ଦର୍ପ ଦଳନ ରଥରେ ଋଷି ସମୂହଙ୍କ ମଧ୍ୟରେ ଅଛନ୍ତି ଭୃଗୁ, ସୁପ୍ରଭା, ବଜ୍ର, ଶୃଙ୍ଗି, ଧ୍ରୁବ ଓ ଉଲ୍ଲୁକ।

ମାଉସୀଙ୍କ ଘରକୁ ରଥଯାତ୍ରାରେ ଯିବା ସମୟରେ ଆଗରେ ବଡ଼ ଭାଇ ବଡ଼ ଠାକୁର ବଳଭଦ୍ର ପ୍ରଥମେ ତାଳଧ୍ୱଜରେ ଯାଇଥାନ୍ତି। ତା’ ପରେ ଦ୍ୱିତୀୟରେ ଯାଆନ୍ତି ଦେବୀ ସୁଭଦ୍ରା ଓ ସର୍ବ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଘଣ୍ଟ, ଘଣ୍ଟା, ଶଙ୍ଖ, ଭେରୀ, ତୁରୀ ନାଦରେ ଗହଳି ଲଗାଇ ଯାତ୍ରା କରିଥାନ୍ତି।

Also Read: ପିଲା ଆସିବା ପୂର୍ବରୁ ଘରେ ହୋମର ଆୟୋଜନ କଲେ ରଣବୀର କପୁର-ଆଲିଆ ଭଟ୍ଟ, ସାମ୍ନାକୁ ଆସିଲା ପୂଜା ବେଳର ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.