Below header

ନୂଆପଡା ସୀମାନ୍ତରେ ପଶି ତାରବାଡ଼ ବାନ୍ଧିବାକୁ ଉଦ୍ୟମ କରୁଥିଲା ଛତିଶଗଡ଼, ରୋକିଲେ ଲୋକ ରୋକିଲା ପ୍ରଶାସନ

ଖାଲି ପାଣି ପାଇଁ ନୁହେଁ ଜମି ପାଇଁ ବି ଦାଦାଗିରି ଦେଖାଉଛି ଛତିଶଗଡ଼ । ମହାନଦୀ ଉପରେ ବେଆଇନ ବ୍ୟାରେଜ ନିର୍ମାଣ ବିବାଦ ଜାରି ରହିଥିବା ବେଳେ ଏବେ ଓଡ଼ିଶାର ନୂଆପଡ଼ା ସୀମାନ୍ତରେ ଆମ ଚାଷୀଙ୍କ ଜମି ଉପରେ ତାରବାଡ଼ ପାଇଁ ସଜବାଜ ହେଉଛି । ଯାହାକୁ ତୀବ୍ର ବିରୋଧ ପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନୂଆପଡା ଜିଲାର କେନ୍ଦୁବାହାରା ଗ୍ରାମ ପଂଚାୟତର ଦୁଇଟି ଗାଁର ଚାଷୀ ଏବେ ଭୟଭୀତ । କାଳେ ସେମାନଙ୍କ ଜମି ଛତିଶଗଡ଼ ଛଡ଼ାଇ ନେବକି ? ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଆମ ନୂଆପଡ଼ା ରିପୋର୍ଟର କୁନୁ କରୁଆଁ ।

NUAPADA-1NUAPADA-2

ମହାନଦୀ ଉପରେ ବେଆଇନ ବ୍ଯାରେଜ ନିର୍ମାଣକୁ ନେଇ ଓଡିଶା ଓ ଛତିଶଗଡ ମଧ୍ଯରେ ବିବାଦ ଥମି ନଥିବା ବେଳେ ଏବେ ସୀମାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ନୂଆପଡା ଜିଲ୍ଲା କେନ୍ଦୁବାହାରା ଗ୍ରାମପଂଚାୟତର ଭଇଁଷାଦରହା ଓ ଗୁର୍ଜିଭଟା ଗାଁ ଉପରେ ପଡୋଶୀ ଛତିଶଗଡ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏହି ଦୁଇ ଗାଁ ସୀମା ନିକଟରେ ଅଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାର ବାଗବାହରା ତହସିଲ । ଦୀର୍ଘ ବର୍ଷରୁ ଉଭୟ ଓଡିଶା ଓ ଛତିଶଗଡର ଚାଷୀ ଭଇଁଷାଦରହା ଗାଁ ନିକଟ ନଟେଇ ନାଲାକୁ ସୀମା ଭାବେ ଗ୍ରହଣ କରିଆସୁଛନ୍ତି । ଦୀର୍ଘ ବର୍ଷ ଧରି ଭଇଁଷାଦରହା ଓ ଗୁର୍ଜିଭଟାର ଗାଁର ଚାଷୀମାନେ ନଟେଇନାଲା କୂଳରେ ଚାଷ କରିଆସୁଛନ୍ତି । ହେଲେ ଏବେ ଛତିଶଗଡ ବନବିଭାଗ କର୍ମଚାରୀମାନେ ନଟେଇନାଲାକୁ ଅତିକ୍ରମ କରି ଓଡିଶା ସୀମା ଭିତରେ ଗାତ ଖୋଳି ତାରବାଡା ଦେବା ପାଇଁ ଯୋଜନା କରୁଛନ୍ତି । ଏହାକୁ ଭଇଁଷାଦରହା ଓ ଗୁର୍ଜିଭଟା ଗାଁର ଚାଷୀମାନେ ତୀବ୍ର ବିରୋଧ କରୁଛନ୍ତି । ଓଡିଶା ସୀମାରେ ଚାଷୀମାନେ ମାନବଶୃଂଖଳ କରି ଛତିଶଗଡ ସରକାରଙ୍କ ଦାଦାଗିରିର ପ୍ରତିବାଦ କରିଛନ୍ତି । ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି । ପୁଣି ଚେତାବନୀ ଦେଇଛନ୍ତି କି ଜମି ପାଇଁ ରକ୍ତାକ୍ତ ସଂଘର୍ଷ କରିବାକୁ ପଛାଇବେ ନାହିଁ ।

NUAPADA-4
ଓଡିଶା ସୀମାବର୍ତ୍ତୀ ଗାଁଗୁଡିକରେ ଛତିଶଗଡ ସରକାର ବଳପୂର୍ବକ ଜମି ଜବରଦଖଲ କରୁଥିବା ଘଟଣା ନଜରକୁ ଆସିବା ପରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଜନପ୍ରତିନିଧି ଓ ବିଭିନ୍ନ ରଜନୈତିକ ଦଳର ନେତୃବୃନ୍ଦ ତୀବ୍ର ବିରୋଧ କରିଛନ୍ତି । କେନ୍ଦୁବାହାରା ଗ୍ରାମପଂଚାୟତର ଶତାଧିକ ଚାଷୀ ପୁରଷାନୁକ୍ରମେ ବର୍ଷ ବର୍ଷଧରି ପଟ୍ଟାଭୁକ୍ତ ଜମିକୁ ଚାଷ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ହେଲେ ଛତିଶଗଡ ସରକାର ବଳପୂର୍ବକ ସେମାନଙ୍କ ଏକର ଏକର ଚାଷ ଜମିକୁ ଛଡେଇ ନେବାକୁ ଯୋଜନା କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହା ପୂର୍ବରୁ ସିନାପାଲି ବ୍ଲକ ନୂଆମାଲପଡା ଗାଁରେ ଏଭଳି ଘଟିଛି । ଛତିଶଗଡ ସରକାର ସୀମାପାର କରି ଚାଷୀଙ୍କ ଏକର ଏକର ଚାଷ ଜମିକୁ ଜୋର ଜବରଦସ୍ତ ଛତିଶଗଡ ବୁର୍ଜାବାହାଲ ଗାଁର ଭୂମି ହୀନମାନଙ୍କୁ ବଂଟନ କରିଦେଇଛନ୍ତି । ପୁଣି ଓଡିଶ । ସୀମାକୁ ସଂଯୋଗ କରୁଥିବା ଅନେକ ରାସ୍ତାରେ ଓ ନାଳ ଉପରେ ବେନିୟଭାବେ ବ୍ରିଜ ନିର୍ମାଣ କରିଛନ୍ତି । ଏବେ ପୁଣି ନୂଆପଡା ଜିଲା କେନ୍ଦୁବାହାରା ଗ୍ରାମପଂଚାୟତର ଭଇଁଷାଦରହା ଓ ଗୁର୍ଜିଭଟା ଗାଁର ଚାଷୀଙ୍କ ଏକର ଏକର ଜମିକୁ ଛତିଶଗଡ ବନବିଭାଗ ନିଜର ଦଖଲକୁ ନେଇ ଗାତଗୁଡିକ ଖୋଳି ତାରବାଡା ଦେବା ଘଟଣା ଆଉ ଏକ ସୀମା ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ତେଣୁ ପ୍ରତିବାଦ ଜୋର୍‌ ଧରିଛି । ନୂଆପଡା ଜିଲ୍ଲା ଜୟକିଷାନ ମଜଦୁର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀ ଭଇଁଷାଦରହା ଗାଁରେ ପହଂଚି ସ୍ଥାନୀୟ ଚାଷୀଙ୍କୁ ସମର୍ଥନ କରିବା ସହ ଘଟଣାର ସରଜମିନ ତଦନ୍ତ କରିଛନ୍ତି । ଏଥିସହ ଛତିଶଗଡ ସରକାରଙ୍କ ସୀମାପାର ଜମି ଜବରଦଖଲକୁ ତୀବ୍ର ବିରୋଧ କରିବା ସହ ସ୍ଥାନୀୟ ଚାଷୀ ଓ ଜନପ୍ରତିଧିମାନେ ଏକାଠି ହୋଇ ପ୍ରତିବାଦ କରିଥିଲେ ।

NUAPADA-3

ଅପରପକ୍ଷେ, ଏହି ଅଭିଯୋଗ ପାଇବା ପରେ ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ତହସିଲଦାର, ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଘଟଣାସ୍ଥଳରେ ପହଂଚି ଥିଲେ । ଛତିଶଗଡ ବନବିଭାଗ ବେଆଇନ୍‌ ଭାବେ ଖୋଳିଥିବା ଗାତଗୁଡିକୁ ପୋତି ଦେବା ସହ ଓଡିଶା ସୀମାରେ ଖୁଣ୍ଟ ପୋତି ଚିହ୍ନଟ କରିଛନ୍ତି ।

ନୂଆପଡ଼ା ସୀମାନ୍ତରୁ କୁନୁ କରୁଆଁ, କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.