ସ୍ମାର୍ଟ ସିଟିକୁ ଲାଗିଗଲା ଫନିର ନଜର, କେଇ ଘଣ୍ଟାର କରାଳ ରୂପରେ ବଦଳିଗଲା ଭୁବନେଶ୍ୱରର ଭୂଗୋଳ

ଫନିର ନଜର ଲାଗିଗଲା ସ୍ମାର୍ଟ ସିଟି ଭୁବନେଶ୍ୱରକୁ । କେଇ ଘଣ୍ଟାର କରାଳ ରୂପରେ ବଦଳାଇ ଦେଲା ସମ୍ପୂର୍ଣ୍ଣ ଭୂଗୋଳକୁ । ବାତ୍ୟା ଫନିର ବିଷଜ୍ୱାଳାରେ ଘାରି ହେଉଛି ରାଜ୍ୟର ପ୍ରମୁଖ କ୍ରୀଡ଼ା ଭିତ୍ତିଭୂମି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏସୀୟ କ୍ରୀଡ଼ା ଓ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ହୋଇଥିଲା ଏଇ କଳିଙ୍ଗ ଷ୍ଟାଡିୟମରେ । କୋଟିକୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ଏଠି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଠିଆ କରିଥିଲେ । ଉଭୟ କ୍ରୀଡ଼ା ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ ଏବେ ମାଟିରେ ମିଶି ଯାଇଛ । ମେ ମାସ ୩ ତାରିଖର ପ୍ରଳୟଙ୍କରୀ ବାତ୍ୟା ଫନି କଳିଙ୍ଗ ଷ୍ଟାଡିୟମର ଅଣ୍ଟା ଭାଙ୍ଗି ଦେଇଛି । ଟ୍ରାକ୍‌, ଟର୍ଫ ଠାରୁ ଆରମ୍ଭ କରି ପ୍ୟାଭିଲିୟନ୍‌, ଗ୍ୟାଲେରୀ, ଫ୍ଲଡ୍‌ ଲାଇଟ୍‌ ସବୁ କିଛି ଛାରଖାର ହୋଇଯାଇଛି ଫନିର ଫଁରେ ।

kalinga Stadium faniକଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଆଗକୁ ଆହୁରି ବଡ଼ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଥିଲେ । ହେଲେ ଏବେ ସେ ସବୁର ଆୟୋଜନ କାଠିକର ପାଠ ଭିଳି ମନେ ହେଉଛି । ରାଜ୍ୟ କ୍ରୀଡ଼ାର ପେଣ୍ଠ ଭାବେ ପରିଚୟ ସୃଷ୍ଟି କରିଥିବା କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ଛାତ୍ରାବାସ ମଧ୍ୟ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେହିପରି ସବୁଠୁ ବଡ଼କଥା ହେଉଛି ଷ୍ଟାଡିୟମ ଭିତରର ସୌନ୍ଦର୍ଯ୍ୟକରଣ ଓ ସବୁଜିମା ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଖେଳାଳି, କୋଚ୍‌ ଓ କ୍ରୀଡ଼ାବିତ୍‌ ଏଭଳି ଧ୍ୱଂସଲୀଳା ଦେଖି ଖୁବ୍‌ ଭାଙ୍ଗି ପଡ଼ିଛନ୍ତି । ବର୍ତମାନ ରାଜ୍ୟ ସରକାରଙ୍କ ପାଇଁ କ୍ରୀଡ଼ା ଭିତ୍ତିଭୂମିର ପୁନରୁଦ୍ଧାର ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଠିଆ ହୋଇଛି ।

ସେହିପରେ ବାତ୍ୟା ଫନିର ଆକ୍ରୋଶରୁ ବାଦ୍‌ ପଡ଼ିନି ରାଜ୍ୟ କ୍ରୀଡ଼ାର ପେଣ୍ଠ କଟକର କ୍ରୀଡ଼ା ଭିତ୍ତିଭୂମି। କ୍ଷତିଗ୍ରସ୍ତ ହୋଇଛି ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ । ଛାରଖାର ହୋଇଯାଇଛି କୋର୍ଟ, ରିଙ୍ଗ ଓ ଗ୍ୟାଲେରୀ । କ୍ରୀଡ଼ା କ୍ଷେତ୍ରରେ ବେଶ୍‌ କେଇ ପାଦ ଆଗକୁ ବଢ଼ାଇଥିବା ଓଡ଼ିଶାକୁ ପୁଣି କିଛି ମାଇଲ୍‌ ପଛକୁ ଟାଣି ନେଇଛି ଫନି । ଏସବୁ ଦେଖିଲେ ଯେ କେହି ହତୋତ୍ସାହିତ ହୋଇପଡ଼ିବେ ।

kalinga stadiumଏଠିକା ଭିତ୍ତିଭୂମିର ପୁନରୁଦ୍ଧାର ମଧ୍ୟ ଏବେ ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ । ଷ୍ଟାଡ଼ିୟମ୍‌ର ଆଲୋକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଖେଳ ସମୟ ବାଦ୍‌ ସାଧାରଣ ଲୋକେ ଏବଂ ପର୍ଯ୍ୟଟକ ଏ ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ଆସୁଥିଲେ । ହେଲେ ବାତ୍ୟା ଫନି ପରେ ସେ ସବୁ ଏବେ କେବଳ ଅତୀତର ଗୌରବ ଗାଥା ବୋଲି କୁହାଯାଇପାରେ ।

ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେତେ ସମୟ ଲାଗିବ ତାହା ଏବେ କହିବା ସମ୍ଭବ ନୁହେଁ । କ୍ଷୟକ୍ଷତିର ଆକଳନ ଚାଲିଛି । ପୁଣି ଥରେ ରାଜ୍ୟ କ୍ରୀଡ଼ାର ଏହି ଦୁଇ ପ୍ରମୁଖ ସ୍ଥାନ କିପରି ପୂର୍ବ ଗୌରବ ଫେରି ପାଇବ ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.