ବାଥରୁମ ବ୍ୟବହାର କରିବା ବାହାନାରେ ଘରେ ପଶି ମହିଳାଙ୍କ ସହ ଅସଦାଚରଣ କଲା ଡେଲିଭରି ବଏ

ମହିଳା ଜଣଙ୍କ ରୋଷେଇ ଘରୁ ପାଣି ଆଣି ଉକ୍ତ ଯୁବକକୁ ଦେଲେ । କିନ୍ତୁ କିଛି ସମୟ ଭିତରେ ଓଲଟ ପାଲଟ ହୋଇଗଲା ସବୁ କିଛି । ଉକ୍ତ ଯୁବକଟି ଦେଖାଇଲା ନିଜର ସଇତାନ ରୂପ । ଘରେ କେହି ନଥିବା ଦେଖି ମହିଳାଙ୍କ ସହ ଅସଦାଚରଣ କରିବା ପାଇଁ ଯୋଜନା କଲା ।

ଅନଲାଇନ୍‌ ରେ ଖାଦ୍ୟ ମଗାଉଛନ୍ତି କି ? ଖାଦ୍ୟ ମଗାଉଥିବା ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ । କାରଣ ନିକଟରେ ଅନଲାଇନରେ ଖାଦ୍ୟ ମଗାଇଥିବା ମହିଳାଙ୍କ ସହ କିଛି ଏପରି ହୋଇଛି, ଯାହା ବିଷୟରେ ଜାଣିଲେ ଆପଣ ବି ଭୟ କରିବେ । ଖାଦ୍ୟ ମଗାଇ ଖାଆନ୍ତୁ ମନା ନାହିଁ କିନ୍ତୁ ଅଜଣା ଅଚିହ୍ନା ଲୋକଙ୍କୁ ଘର ଭିତରକୁ ପୁରାନ୍ତୁ ନାହିଁ । ପାଣି ବାହାନାରେ ହେଉ କି ବାଥରୁମ ବ୍ୟବହାର କରିବା ବାହାନାରେ ହେଉ ଡେଲିଭରି ବଏଙ୍କ ଲୋଲୁପ ନଜରରୁ ବଞ୍ଚିବାକୁ ହେଲେ ଏମାନଙ୍କୁ ଭୁଲରେ ବି ଘରେ ପୂରାଇବାକୁ ଦିଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା ।

ସନ୍ଧ୍ୟା ୬.୪୫ ସମୟ ହୋଇଥାଏ । ଏତିକି ବେଳେ ଡୋର ବେଲ୍‌ ବାଜି ଉଠିଲା । ଘରେ ଥିବା ୩୦ ବର୍ଷିୟ ମହିଳା ଜଣଙ୍କ ଡୋର ଖୋଲିବା ପରେ କବାଟ ବାହାରେ ଡେଲିଭରି ବଏ ଛିଡ଼ା ହୋଇଥିବା ଦେଖିବାକୁ ପାଇଲେ । ଡେଲିଭରିି ବଏ ନିଜ ହାତରେ ଧରିଥିବା ଖାଦ୍ୟକୁ ମହିଳା ଜଣଙ୍କୁ ବଢ଼ାଇଲା । ମହିଳା ବି ଖାଦ୍ୟକୁ ନେଇଗଲେ । ମାନବିକତା ଦୃଷ୍ଟିରୁ ମହିଳା ଜଣଙ୍କ ଡେଲିଭରି ବଏକୁ ପାଣି ପାଇଁ ପଚାରିଲେ । ଡେଲିଭରି ବଏ ବି ହଁ ମାରିଲା । ମହିଳା ଜଣଙ୍କ ରୋଷେଇ ଘରୁ ପାଣି ଆଣି ଉକ୍ତ ଯୁବକକୁ ଦେଲେ । କିନ୍ତୁ କିଛି ସମୟ ଭିତରେ ଓଲଟ ପାଲଟ ହୋଇଗଲା ସବୁ କିଛି । ଉକ୍ତ ଯୁବକଟି ଦେଖାଇଲା ନିଜର ସଇତାନ ରୂପ । ଘରେ କେହି ନଥିବା ଦେଖି ମହିଳାଙ୍କ ସହ ଅସଦାଚରଣ କରିବା ପାଇଁ ଯୋଜନା କଲା ।

ଉକ୍ତ ଡେଲିଭରି ବଏ ପାଣି ପିଇବା ପରେ ପଳାଇଥିଲା କିନ୍ତୁ ମାତ୍ର କେଇ ସେକେଣ୍ଡରେ ପୁଣି ମହିଳାଙ୍କ ଘରର ଡୋରକୁ ବାଡ଼େଇଲା । ମହିଳା ବି କବାଟ ଖୋଲିଲେ । ଆଉ ଉକ୍ତ ଡେଲିଭରି ବଏ ମହିଳାଙ୍କୁ ତାଙ୍କ ଘରର ବାଥରୁମ୍‌ ବ୍ୟବହାର କରିବା ପାଇଁ ପଚାରିଥିଲା । ମହିଳା ଜଣଙ୍କ ବି ଯୁବକ ଉପରେ ଭରସା କରି ବାଥରୁମ ବ୍ୟବହାର କରିବା ପାଇଁ ଅନୁମତି ଦେଇଥିଲେ । ଯୁବକଙ୍କୁ ବାଥରୁମର ରାସ୍ତା ଦେଖାଇଥିଲେ ମହିଳା । ଉକ୍ତ ଯୁବକ ବାଥରୁମ୍‌ ବ୍ୟବହାର କରିବା ପରେ ଘରେ ସେମିତି ଛିଡ଼ା ହୋଇ ରହିଲେ । ମହିଳାଙ୍କୁ ଅଳ୍ପ ସନ୍ଦେହ ହେଲା ସେ ଯୁବକଙ୍କୁ ଘରୁ ଯିବା ପାଇଁ କହିଲେ । କିନ୍ତୁ ଏହି ସମୟରେ ଯୁବକ ଜଣଙ୍କ ମହିଳାଙ୍କୁ ଆଉ ଥରେ ପାଣି ମାଗିଥିଲେ । ମହିଳା ବି ପାଣି ଆଣିବାକୁ ପୁଣି ଥରେ ରୋଷେଇ ଘରକୁ ଗଲେ । ବାସ ଏହି ସମୟରେ ଡେଲିଭରି ବଏ ମୁଣ୍ଡରେ ପଶିଥିଲା କୁବୁଦ୍ଧି । ହଠାତ ମହିଳାଙ୍କ ହାତ ଧରି ପକାଇଥିଲା ଯୁବକ । ଡେଲିଭରି ବଏର ଏମିତି କାମ ଦେଖି ମହିଳା ଜଣଙ୍କ ଚିଲେଇବାକୁ ଲାଗିଲେ ଏବଂ ଏକ ଫ୍ରାଇଙ୍ଗ ପ୍ୟାନରେ ଯୁବକର ମୁଣ୍ଡକୁ ବାଡ଼େଇଥିଲେ । ଆଘାତ ପାଇ ଯୁବକ ସେଠାରୁ ଖସି ପଳାଇଥିଲା ।

ଏଭଳି ଘଟଣା ବେଙ୍ଗାଲୁର ବ୍ରୁକଫିଲ୍ଡ ଅଞ୍ଚଳରେ ଘଟିଯାଇଛି । ଜଣେ ୩୦ ବର୍ଷିୟା ସଫ୍ଟେଓ୍ଵୟାର ଇଞ୍ଜିନିୟର ଏଭଳି ଅସଦାଚରଣର ଶିକାର ହୋଇଛନ୍ତି । ସେ ମାର୍ଚ୍ଚ ୧୭ରେ ନିକଟସ୍ଥ ରେଷ୍ଟୁରାଣ୍ଟରୁ ଅନଲାଇନରେ ଖାଦ୍ୟ ମଗାଇଥିଲେ । ପରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ମହିଳାଙ୍କ କହିବା ଅନୁସାରେ ଅଭିଯୁକ୍ତ ଯୁବକ ଏକ ମାସ୍କ ପିନ୍ଧିଥିଲା ଏବଂ ତାର ଦାଢ଼ି ଥିଲା । ମହିଳାଙ୍କ ସହ ଏଭଳି ଘଟଣା ଘଟିବା ପରେ ମହିଳା ୧୧୨ ହେଲ୍ପଲାଇନ୍‌ ନମ୍ବରରେ କଲ୍‌ କରି ସମସ୍ତ ଘଟଣା ଜଣାଇଥିଲେ । ପରେ ହ୍ଵାଇଟଫିଲ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନେ ଏଚଏଏଲ ପୋଲିସ୍‌ ଥାନାରେ ଅଭିଯୋଗ କରିବା ପାଇଁ ମହିଳାଙ୍କୁ ବୁଝାଇଥିଲେ ।

ତେବେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ବିଲ୍ଡିଂରେ ଲାଗିଥିବା ସିସିଟିଭି କ୍ୟାମେରାରେ ଡେଲିଭରି ବଏ ଯିବା ଆସିବାର ଚିତ୍ରକୁ କଏଦ କରାଯାଇଛି । ଉକ୍ତ ଯୁୁବକର ନାଁ ଆକାଶ ବି ବୋଲି ଜଣାପଡ଼ିଛି ଯାହାକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଯଦି ଆପଣ ବି ଏମିତି ଅଚିହ୍ନା ଲୋକଙ୍କୁ ଘରେ ପୂରାଉଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଏମାନଙ୍କ ଅସଲ ଚେହେରା ବିଷୟରେ ଆପଣ ବି ଜାଣି ନଥିବେ । କେତେବେଳେ ଯେ କଣ ଘଟିବ ତାହା କେହି କହି ପାରିବେନି । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ନିଜେ ସତର୍କ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.