ଗଞ୍ଜାମ ଡେରା ସମ୍ପ୍ରଦାୟର ନିଆରା ପରମ୍ପରା, ବିବାହ ପରେ ବାପ ଘରକୁ ଆସି କରନ୍ତି ଫଳଦାନ

ବ୍ରହ୍ମପୁର (କେନ୍ୟୁଜ୍‌) : ଆମ ଦେଶ ଏବଂ ରାଜ୍ୟରେ ଯେମିତି ବିଭିନ୍ନ ସମ୍ପ୍ରଦାୟର ଲୋକେ ରହିଛନ୍ତି ସେମାନଙ୍କ ସଂସ୍କୃତି ଓ ପରମ୍ପରା ମଧ୍ୟ ଜଣକ ଠାରୁ ଜଣେ ଭିନ୍ନ । ଏମିତି ଏକ ସମ୍ପ୍ରଦାୟ ହେଉଛନ୍ତି ଡେରା । ସେମାନଙ୍କ ପରମ୍ପରା ବିଷୟରେ ହୁଏତ ଆପଣମାନେ ଜାଣି ନଥିବେ । ଡେରା ସମ୍ପ୍ରଦାୟରେ ଝିଅମାନେ ବିବାହ କରିବା ପରେ ଥରେ ଫଳ ଦାନ କରିବାର ପରମ୍ପରା ରହି ଆସିଛି । ଏଥିପାଇଁ ସେମାନଙ୍କୁ ଶାଶୁ ଘରୁ ବାପ ଘରକୁ ଆସିବାକୁ ପଡ଼େ । ସତର ବର୍ଷ ପରେ ଏହି ପୂଜା ପଡିଥିବାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁରରେ ଆୟୋଜିତ ହୋଇଥିଲା ଏହି ଡେରା ପୂଜା । କାର୍ତ୍ତିକ ମାସ ପଞ୍ଚୁକରେ ତିନି ଦିନ ଧରି ଆୟୋଜିତ ହୋଇଥିବା ଏହି ପୂଜାରେ ଶାଶୁ ଘରକୁ ଯାଇଥିବା ମହିଳାମାନେ ଆସି ସାମିଲ ହୋଇଥିଲେ ।

ନୂଆ ଲୁଗା ପିନ୍ଧି ପୂଜାରେ ବସିଥିଲେ । ଧୂପ, ଦୀପ, ୮ ପ୍ରକାର ଫଳ ସାଙ୍ଗକୁ କଖାରୁ ଆଦି ପୂଜାରେ ଲାଗେ l ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ବେଶ୍‌ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ପୂଜା ସତର ବର୍ଷ ପରେ ପଡ଼ିଛି ବୋଲି କହନ୍ତି ପୂଜାରେ ସାମିଲ ମହିଳାମାନେ । ବିବାହ କରି ଶାଶୁ ଘରକୁ ଯାଇଥିବା ନାରୀ ହିଁ ଏହି ପୂଜା କରିବା ପରମ୍ପରା ରହି ଆସିଛି । ତେବେ ବହୁ ବର୍ଷ ବ୍ୟବଧାନରେ ନୀତି ନିୟମ ଅନୁସାରେ ଏହି ପୂଜା ପଡୁଥିବା ରୁ ଦୂର ଦୂରାନ୍ତର ଥିବା ବିବାହିତା ମହିଳାମାନେ ମଧ୍ୟ ବାପ ଘରକୁ ଆସି ପୂଜାର୍ଚ୍ଚନା କରିଥିଲେ ।

dera-2

କାର୍ତ୍ତିକ ମାସ ଦଶମୀ, ଏକାଦଶୀ ଓ ଦ୍ୱାଦଶୀ ତିଥିରେ ତିନିଦିନ ଧରି ଏହି ପୂଜା କରିବା ବିଧି ରହିଛି l ଜୀବନରେ ଥରେ ଏହି ପୂଜା କରିବା ବାଧ୍ୟତା ମୂଳକ ବୋଲି କୁହାଯାଏ । ପୂଜାର ପ୍ରଥମ ଦିନ ଫଳ ପୂଜା, ଦ୍ଵିତୀୟ ଦିନ ସାଲିପିଣ୍ଡି ଓ ତୃତୀୟ ଦିନ ଫଳ ଦାନ କରାଯାଏ ।

ଏହି ଡେରା ପୂଜା ସହ ଗାଁରେ ଉତ୍ସବର ପରିବେଶ ସୃଷ୍ଟି ହୁଏ । ବାଜା ବାଜଣାରେ ଗାଁ ପରିକ୍ରମା କରିବା ସହ ମହିଳାମାନେ ପୋଖରୀକୁ ଯାଇ ପୂଜା କରିଥାନ୍ତି । ସେଠାରୁ ଫେରିଲା ପରେ ବିଭିନ୍ନ ଖେଳରେ ନିଜକୁ ହଜାଇ ଦିଅନ୍ତି । ଡେରା ସମ୍ପ୍ରଦାୟରେ ଯୌତୁକ ପରମ୍ପରା ନାହିଁ । ତେଣୁ ବାହା କରାଯାଇଥିବା ଝିଅକୁ ଘରକୁ ଡାକି ତିଥି ଅନୁସାରେ ବ୍ରାହ୍ମଣଙ୍କୁ ସୁବର୍ଣ୍ଣ ଫଳ ଦାନ କରିବା ପ୍ରଥା ରହି ଆସିଛି ଵୋଲି ବରିଷ୍ଠ ବ୍ୟକ୍ତି କୁହନ୍ତି ।

dera-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.