ପରମ୍ପରାରେ ଆଦିବାସୀଙ୍କ ରକ୍ଷା ବନ୍ଧନ, ଏପରି କରିଥାନ୍ତି ପ୍ରକୃତିର ପୂଜା
ରାକ୍ଷୀପୂର୍ଣ୍ଣିମା ଭାରତୀୟ ସଂସ୍କୃତି ର ମହାନ ପରମ୍ପରା। ଭାଇ ର ଶୁଭ ମନାସି ହାତରେ ରାକ୍ଷୀ ବାନ୍ଧି ଦେଈଥାଏ ଭଉଣୀ। ବଦାପନା ପରେ ଫୁଲ ଚନ୍ଦନ ଲଗାଇ ଭଉଣୀ ଭାଇ ହାତରେ ସଂପର୍କର ଡୋରି ବାନ୍ଧି ଦେଇଥାଏ। ପ୍ରତିବଦଳ ରେ ଭଉଣୀ ଙ୍କୁ ସୁରକ୍ଷାର ପ୍ରତିଶୃତି ଦେଇଥାଏ ଭାଇ। କିନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ କିଛି ନୂଆ କରିଥାନ୍ତି ଆଦିବାସୀମାନେ। ସେମାନେ ବିଭିନ୍ନଗଛ କୁ ରାକ୍ଷୀ ବାନ୍ଧିଥାନ୍ତି। ବିଶ୍ୱାସ ରହିଛି ଗଛ ସେମାନଙ୍କୁ ସୁରକ୍ଷା ଦେଇଥାଏ ସେଥିପାଇଁ ଆଦିବାସୀମାନେ ଗଛକୁ ରାକ୍ଷୀ ବାନ୍ଧିଥାନ୍ତି। ତେବେ ଜାଣନ୍ତୁ କିପରି ପାଳିତ ହୋଇଥାଏ ଆଦିବାସୀମାନଙ୍କ ରାକ୍ଷୀ ପୂର୍ଣ୍ଣିମା।
ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଞ୍ଚାୟତ ନିକଟସ୍ଥ ଜବାନବାଡି ଓ ଆଖପାଖ ଆଦିବାସୀ ଇଲାକାରେ ରକ୍ଷା ବନ୍ଧନ ଭିନ୍ନ ଢ଼ଙ୍ଗରେ ପାଳିତ ହୁଏ। ଆଦିବାସୀ ମାନଙ୍କର ବିଶ୍ୱାସ ଯେ ସେମାନେ ଧାନ ଗଛ,ବିଲ, ହଳ ଲଙ୍ଗଳକୁ ବଦାପନା କରି ରାକ୍ଷୀ ବାନ୍ଧିଥାନ୍ତି। ଯାହା ଫଳରେ ବର୍ଷ ସାରା ଧାନ ଫସଲ ଭଲ ହୋଇଥାଏ । ଏହା ଛଡ଼ା ବଟ ଗଛ, ଲିମ୍ୱ ବିଭିନ୍ନ ପ୍ରକାରର ବୃକ୍ଷ କୁ ଏହି ଅଞ୍ଚଳ ର ଆଦିବାସୀ ମାନେ ରାକ୍ଷୀ ବାନ୍ଧିଥାନ୍ତି। ଗଛ ଗୁଡ଼ିକ ବଞ୍ଚି ରହିଲେ ୧୨ ମାସ ଫସଲ ଠିକ୍ ଭାବରେ ହେବା ସହ ବର୍ଷା, ଖରା ଏବଂ ଶିତ ଦାଉରୁ ରକ୍ଷା କରିଥାଏ ବୋଲି ସେମାନେ ବିଶ୍ବାସ ରଖିଛନ୍ତି।
ଆବାହମାନ କାଳରୁ ପୂର୍ବ ପୁରୁଷଙ୍କ ଦ୍ଵାରା ଏହି ପରମ୍ପରା ଅନୁଯାୟୀ ଘରର ମୁଖ୍ୟ ମହିଳା ସକାଳୁ ସ୍ନାନ କରି ଆମ୍ବ, ଅଁଳା, ବେଲ, ଧାନଗଛ, ଧୂପ, ନଡ଼ିଆ, ଚାଉଳ,ଦିପ, ରାକ୍ଷୀ ଧରି ନିଜ ବିଲକୁ ଯାଇ ବନ୍ଦାପନା କରି ଭୂମି ପୂଜା କରିବା ସହ ଏବର୍ଷ ଭଲ ଧାନ ଅମଳ ହେବା ପାଇଁ ନିଜର ଇଷ୍ଟ ଦେବୀଙ୍କୁ ମନାସୀ ଥାନ୍ତି। ଜମି ପୂଜା କରିବା ପରେ ମହିଳାମାନେ ଧାନ ଗଛରେ ରାକ୍ଷୀ ବାନ୍ଧି ସାରି ଘରକୁ ଆସି ଲଙ୍ଗଳ ପୂଜା କରି ସେଥିରେ ରାକ୍ଷୀ ବାନ୍ଧିଥାନ୍ତି।
ରକ୍ଷା ବନ୍ଧନ ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟ ଜିଲ୍ଲାର ଏହି ଆଦିବାସୀମାନେ। ଯେଉଁମାନେ କି ନିଜର ରକ୍ଷା କରିବା ପାଇଁ ଗଛ ମାନଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଯାହା ଆଧୁନିକ ସମାଜ ପାଇଁ go greenର ବାର୍ତ୍ତା ଦେବା ସହ ପରମ୍ପରା ଅନୁଯାୟୀ ସେମାନେ ବୃକ୍ଷକୁ ନିଜର ଭାଇ ଭାବରେ ରାକ୍ଷୀ ବାନ୍ଧିଥାନ୍ତି। ବୃକ୍ଷର ଗୁରୁତ୍ୱକୁ ଏହି ଆଦିବାସୀ ମାନେ ଠିକ୍ ବୁଝିପାରିଛନ୍ତି । ତେବେ ଆଦିବାସୀମାନଙ୍କ ଏହି ପରମ୍ପରା ଆଗକୁ ଏପରି ବିଶ୍ୱାସର ଡୋରିରେ ନିବୁଜ ରହୁ ଏହା ହିଁ ଆମର କାମନା ।