ବିମାନରେ ବସି ଘର ଘର ବୁଲି ଭୋଗ ଖାଉଛନ୍ତି ଦୋଳଗୋବିନ୍ଦ, ଦର୍ଶନ କରନ୍ତୁ

“ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଚ ମଧୁସୂଦନମ୍,

ରଥେତ୍ୱଂ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ।”

ଅର୍ଥାତ, ଦୋଳ ବିମାନରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଓ ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନର୍ଜନ୍ମ ହୋଇନଥାଏ, ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିଥାଏ।

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥିକୁ ଦୋଳ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ପ୍ରତିବର୍ଷ ଏହି ଦିନକୁ ଶ୍ରଦ୍ଧାର ସହିତ ଅପେକ୍ଷା କରି ରହିଥାନ୍ତି ଭକ୍ତଗଣ। ଚଳିତ ଥର ମଧ୍ୟ ଭକ୍ତ ମାନେ ଅତି ଶ୍ରଦ୍ଧାର ସହ ନିଜ ପ୍ରିୟ ଦୋଳ ଗୋବିନ୍ଦଙ୍କୁ ଭୋଗ ଖୁଆଇଛନ୍ତି। ଓଡ଼ିଶାର ସବୁ ସ୍ଥାନରେ ଏ ଅବସରରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ପରିବେଶ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବାହାକଣ୍ଡିଆ ଗ୍ରାମର ବହୁ ପୁରାତନ ମଠର ଦୋଳବିମାନରେ ଦୋଳଗୋବିନ୍ଦ ବେଶରେ ଲକ୍ଷ୍ମୀ ନାରାୟଣ ଦୋଳ ଦଶମୀରେ ବାହାରି ଗାଁର ସର୍ବ ପୁରାତନ ଭାଗବତ ଗାଦିରେ ପ୍ରଥମେ ଭୋଗଖାଇ ଦୋଳ ମେଲଣକୁ ବାହାରିଛନ୍ତି। ଏଥିସହ ଗ୍ରାମର କିଛି ଲୋକଙ୍କ ଘରେ ଭୋଗ ଖାଇଛନ୍ତି ଗାଁର ଆରାଧ୍ୟ ଦେବତା ଲକ୍ଷ୍ମୀ ନାରାୟଣ।

dola2

ସେହିପରି କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଦୋଳ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଓଳକଣା ମେଳଣ ଅନୁଷ୍ଠିତ ହୋଇଛି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡ଼ିଛି ମେଳଣ l ଶନିବାର ଦିନ ୧୧ ଟା ରୁ ରବିବାର ଦିନ ୧୧ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପଡ଼ିଆରେ ୧୪୪ ଧାରା ଜାରି ସହ ୪ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି l କେବଳ ପରମ୍ପରାକୁ ବଜାୟ ରଖିବା ପାଇଁ ଠାକୁର ବିମାନରେ ଆସିବେ ମାତ୍ର ବିନା ଭକ୍ତରେ l ଥାନପତି ଗାଦି ଆଳୀରାଜା ବିମାନ ଡେରାବିଶର ମହାଲକ୍ଷ୍ମୀଙ୍କୁ ଧରି ପ୍ରଥମେ ପୂର୍ବ ଦିଗରୁ ଓଳକଣା ପଡିଆକୁ ପ୍ରବେଶ କଲା ପରେ ଦକ୍ଷିଣ ପଟୁ ଗାଦିଶ୍ୱର୍ ଦଧିବାମନ ଜୀଉ ମଣ୍ଡୁଅ ବିମାନ, ପଶ୍ଚିମ ପଟୁ ଲଳିତଗିରି ମିଶ୍ର ଘର ବିମାନ, ଉତ୍ତର ପଟୁ ମିଶ୍ର ଘର ଓ ଓଳାଶୁଣି ବିମାନ, ବୀର ଭଦ୍ରେଶ୍ୱର, ପୋଡାମରାଇ, ଗୋବିନ୍ଦ ଜୀଉ, ସଏମ, ପଞ୍ଚୁପାଣ୍ଡବ, ପରିପଲେଇ, ଗିରିଧାରୀ ବଜାର ମଠ ଭଳି ୧୩୦ ଖଣ୍ଡ ବିମାନ ପଡିଆକୁ ପ୍ରବେଶ କରିଥାନ୍ତି l ଫଗୁ ଚତୁର୍ଦ୍ଦଶୀ ରାତି ପୂର୍ଣ୍ଣିମା ଦିନ ବ୍ରାହ୍ମ ମୁହୂର୍ତ୍ତରେ ମେଳଣ ଅନୁଷ୍ଠିତ ହୋଇଥାଏ l ବିରାଟ ପଟୁଆର ସହ ବିମାନ ସବୁ ମେଳଣ ପଡିଆକୁ ଆଣିଥାନ୍ତି l ମାତ୍ର ଏବର୍ଷ ୧୪୪ ଧାରା ପାଇଁ ଫିକା ପଡ଼ିଯାଇଛି ଏହି ଓଳକଣା ମେଳଣ l

ଏହି ପୀଠରେ ହରିହର ମିଳନ ଦ୍ଵାପର ଯୁଗରୁ ଅନୁଷ୍ଠିତ ହୋଇ ଆସୁଛି l କିମ୍ବଦନ୍ତୀ କହେ ବିଦୁର ଗାଦିରେ ଶାଗ ଭାତରେ ହରିହର ମିଳନକୁ ବିଦୁର ମହାପୁରୁଷ ଦର୍ଶନ କରନ୍ତି l ଭଦ୍ରେଶ୍ୱର ଶିବ ମନ୍ଦିରରୁ ଚୂଳମାଳ ସହ ୧୦୮ ଘଣ୍ଟ ଧରି ବିମାନ ଆଣିଥାନ୍ତି l ବଜାର ମଠର ଗିରିଧାରୀ ଜୀଉଙ୍କ ବିମାନ ରେ ଡିବି ଝାଡ ଧରି ମେଳଣ ପଡିଆକୁ ପ୍ରବେଶ କରିଥାନ୍ତିl ଏଠି ମେଳଣରେ ମହାଲକ୍ଷ୍ମୀଙ୍କ କଳସ ବସିଥିବା ଧାନକୁ ଭକ୍ତମାନେ ଧନ ସଂପତ୍ତି ବୃଦ୍ଧି ପାଇଁ ନେଇଥାନ୍ତି l ଏହି ମେଳଣର ସ୍ୱତନ୍ତ୍ରତା ହେଉଛି ଏଠାକୁ କୌଣସି ବିମାନକୁ ନିମନ୍ତ୍ରଣ କରାଯାଏ ନାହିଁ କି ବିଦାୟ ଦିଆଯାଏନାହିଁ l ଭକ୍ତମାନେ ସ୍ୱତଃ ପ୍ରବୃତ୍ତ ଭାବେ ଏଠାରେ ବିମାନ ସମ୍ମୁଖରେ ଭୋଗ ଲାଗି କରିଥାଆନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.