ମଦ୍ୟପ ଘଟାଇଲେ ଅମାନବୀୟକାଣ୍ତ : କୁକୁରର ଲାଞ୍ଜ ଓ କାନ କାଟି ଚାଖଣା କରି ଖାଇଲେ ମଦୁଆ

ନୂଆଦିଲ୍ଲୀ : ନିଶା କଣ ବା ନ କରିପାରେ ? ଉତ୍ତରପ୍ରଦେଶର ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ବ୍ୟକ୍ତି ମଦ ନିଶାରେ ଘଟାଇଛନ୍ତି ଅଭାବନୀୟ ଘଟଣା। ନିଶାରେ କୁକୁରର କାନ ଓ ଲାଞ୍ଜ କାଟି ଲୁଣ ମିଶାଇ ଖାଇଥିବା ଜଣାପଡ଼ିଛି। ମଦ ପିଇବା ସମୟରେ ସେ ଏଭଳି କରିଥିବା କୁହାଯାଉଛି। ଗୋଟିଏ କୁକୁର ଛୁଆର କାନ କାଟି ଦିଆଯାଇଥିବା ବେଳେ ଅନ୍ୟ କୁକୁର ଛୁଆର ଲାଞ୍ଜ କାଟି ଦିଆଯାଇଥିବା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଦୁଇ କୁକୁର ଛୁଆଙ୍କର ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ମୁକେଶ ଭାଲମିକି ଏବଂ ଅନ୍ୟ ଜଣେ ଏହି ଅମାନବୀୟ କାର୍ଯ୍ୟ କରିବା ସମୟରେ ଏକାଠି ମଦ୍ୟପାନ କରୁଥିଲେ। ଏହି ସମୟରେ ସେମାନଙ୍କ ଚାଖଣା ଶେଷ ହୋଇ ଯାଇଥିଲା। ପରେ ସେମାନେ ଆଉ କୌଣସି ଚାଖଣା ବା ଖାଦ୍ୟ ନ ପାଇ ବସ୍ତିରେ ବୁଲୁଥିବା କୁକୁର ଛୁଆକୁ ପ୍ରଥମେ ବାଡେଇ ହତ୍ୟା କରିଥିଲେ। ଏବଂ ପରେ ତା କାନ ଓ ଲାଞ୍ଜ କାଟି ଖାଇଦେଥିଲେ। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳ ଲୋକ ସେହି ଦୁଇ ଯୁବକଙ୍କ ବିରୋଧରେ ଥାନାର ଦ୍ବାରସ୍ତ ହୋଇଥିଲେ। ଏବଂ ଥାନାରେ ଏତଲା ଦେଇଥିଲେ। ଏହି ଘଟଣା ପରଠାରୁ ଦୁଇ ଜଣ ଯୁବକ ଫେରାର ରହିଥିବା ସୂଚନା ମିଳିଛି। ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ ମାରୁଛି ।

ତେବେ ଧୀରଜ ପୃଥକ୍ ନାମକ ଜଣେ ବ୍ୟକ୍ତି ଏବଂ ପଶୁମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ପିପୁଲ୍ ଫର୍ ଆନିମଲ୍ସର ସଦସ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯାହା ପରେ କ୍ରୁଏଲ୍ ଟୁ ଆନିମଲ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍ । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଅଖିଲେଶ ଚୌଉରାସିଆ କହିଛନ୍ତି।

ପ୍ରଥମଥର ପାଇଁ ବରେଲୀରେ ପଶୁଙ୍କ ସହ ଏପରି ନୃଶଂସ ଘଟଣା ଘଟିନି। ଏହାପୂର୍ବରୁ ଗୋଟିଏ ମଲା ମୂଷାର ବ୍ୟବଚ୍ଛେଦ ଭେଟନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ମୂଷାଟିର ପଛ ପଟେ କେହି ଗୋଟିଏ ପଥର ପୂରାଇ ତାକୁ ହତ୍ୟା କରିଛି।

ପଶୁମାନଙ୍କ ପ୍ରତି ଅତ୍ୟାଚାର ହେଉଛି ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ, ୧୯୬୦ ଅଧୀନରେ ଏକ ଅପରାଧ। ପଶୁମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଏହାର ଉଦ୍ଦେଶ୍ୟ । ଏହି ଅଧିନିୟମ ଅନୁଯାୟୀ ଭାରତର ପଶୁ କଲ୍ୟାଣ ବୋର୍ଡ ମଧ୍ୟ ଗଠନ କରାଯାଇଛି। ଏବଂ କେତେକ କ୍ଷେତ୍ରରେ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୮ ଅନୁଯାୟୀ, ପଶୁମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମଧ୍ୟ ଦିଆଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.