ଘର ମାଲିକଙ୍କ ଉପରେ ବି ପଡ଼ିଛି କରୋନା ପ୍ରଭାବ, କାହାକୁ ଘର ଭଡ଼ା ମିଳୁନି ତ ଆଉ କାହାର ଖାଲି ପଡ଼ିଛି

କରୋନାର ପ୍ରଭାବ ଧନୀଠୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡ଼ିଛି। ଏହି ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ଖାସ୍ କରି ଘର ଭଡ଼ା ଦେଇଥିବା ମାଲିକମାନେ ମହାମାରୀ ଯୋଗୁ ହଟହଟା ହୋଇଛନ୍ତି। କାରଣ କଲେଜ ଓ ଅଫିସ ସବୁ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଓ ଲୋକମାନେ ନିଜ ଘରକୁ ଫେରି ଯାଇଛନ୍ତି। ଆଉ କେତେ ଜଣ ଘର ଛାଡ଼ି ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛନ୍ତି। ଫଳରେ ଘରମାଲିକକୁ ଭଡ଼ା ମିଳିପାରିନାହିଁ।
ଗୋଟେ ପଟେ ଭଡ଼ା ମିଳିନି ଓ ଅନ୍ୟପଟେ ଏବେ ନୂଆ ଭଡ଼ାଟିଆ ବି ମିଳୁନାହାନ୍ତି। ଫଳରେ ସେମାନେ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଖାସ୍ କରି ସହରାଞ୍ଚଳରେ ଏହି ସମସ୍ୟା ଟିକେ ଅଧିକ ବଢ଼ିଯାଇଛି। କାରଣ ଅଧିକାଂଶ କମ୍ପାନୀ ଏବେ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେଇଛନ୍ତି। ଏଣୁ ସମସ୍ତେ ଏବେ ନିଜ ନିଜ ଘରକୁ ଫେରିଯାଇଛନ୍ତି। କରୋନା ସ୍ଥିତି କେବେ ସୁଧୁରିବ ଜଣାନଥିବାରୁ କିଛି ଲୋକ ଘର ଭଡ଼ା ଦେବା ବଦଳରେ ଘର ଛାଡ଼ି ଦେଇଛନ୍ତି। ଫଳରେ ମାଲିକମାନେ ହଇରାଣ ହୋଇଛନ୍ତି।
ଅନ୍ୟପଟେ ସ୍କୁଲ କଲେଜ ଓ କୋଚିଂ କ୍ଲାସ୍ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ଫଳରେ ପିଲାମାନେ ନିଜ ଘରକୁ ଚାଲିଯାଇଛନ୍ତି। ଅଯଥା ଘର ଭଡ଼ା ଦେବାକୁ ଉଚିତ ମଣୁନଥିବାରୁ ପ୍ରାୟ ଅଧିକାଂଶ ପିଲା ହଷ୍ଟେଲ ଛାଡ଼ି ଦେଇଛନ୍ତି। ଫଳରେ ହଷ୍ଟେଲ କରିଥିବା ମାଲିକ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଏହି ସମୟରେ ସ୍କୁଲ କଲେଜ ଖୋଲିବା ସମ୍ଭାବନା ନଥିବାରୁ ନୂଆ ପିଲା ବି ଆସୁନାହାନ୍ତି। ଏଣୁ ତାଙ୍କ ହଷ୍ଟେଲ ବେପାର ପୂରା ମାନ୍ଦା ହୋଇଯାଇଛି।
କେବଳ ଘର ଭଡ଼ା ଓ ହଷ୍ଟେଲ ନୁହେଁ ଜମିବାଡ଼ି ବେପାର କରୁଥିବା ଲୋକ, ଫ୍ଲାଟ ବ୍ୟବସାୟୀ ବି ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଏବେ ସେମାନଙ୍କ ବେପାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ଲୋକମାନେ ଖାଇବାକୁ ପାଉନଥିବାରୁ ଜାଗା କିଣିବା କଥା କିଏ ଚିନ୍ତା କରୁଛି? ଏଣୁ ସେମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି। ଏଥିରୁ ଜଣାପଡ଼ୁଛି କରୋନା କବଳରୁ କେହି ବି ବର୍ତ୍ତିପାରିନାହାନ୍ତି।