ଏମିତି ଏକ ଜାଗା, ଯେଉଁଠାରେ ଭଗବାନଙ୍କ ନାମରେ ନାମିତ ହୁଏ ଗଛ
ସାରା ବିଶ୍ୱରେ ଏବେ ବୃକ୍ଷରୋପଣକୁ ଗୁରୁତର ସହ ନିଆଯାଉଛି। ଯଦି ଗଛ ନ ରହିବ ତେବେ ଗୋଟେ ମୁହୂର୍ତ ବି ବଂଚିବା ସମ୍ଭବ ହେବ ନାହିଁ । କହିବାକୁ ଗଲେ ଗଛ ହିଁ ଆମର ପ୍ରକୃତ ବନ୍ଧୁ । ଅନ୍ୟ ଅର୍ଥରେ କହିଲେ ବୃକ୍ଷ ହିଁ ଜୀବନ। କିନ୍ତୁ ବର୍ତମାନ ସମୟରେ ଲୋକେ ବିକାଶକୁ ପ୍ରାଧାନ୍ୟ ଦେଇ ଗଛ କାଟି ପଦା କରି ଦେବାକୁ ମଧ୍ୟ ପଛାଉନାହାନ୍ତି । ଏମିତି ଚାଲିଲେ ଆମ ସମସ୍ତଙ୍କୁ ଯେ ଭବିଷ୍ୟତରେ ଏକ ଘୋର ସମସ୍ୟାର ସାମ୍ନା କରିବାକୁ ପଡିବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଝାରଖଣ୍ଡର ସମରଜିତ । ଆପଣ ଯଦି କେବେ ଝାରଖଣ୍ଡର ଜାମସେଦପୁରର ଗୋଲାମୁରି ଦେଇ ଯିବେ ତେବେ ଆପଣ ସେଠି ଦଣ୍ଡେ ଛିଡା ନ ହେଇ ରହି ପାରିବେ ନାହିଁ । ଆପଣଙ୍କ ନଜର ରାସ୍ତା କଡରେ ଥିବା ସେହି ଗଛ ଗୁଡିକ ଉପରେ ପଡିବ ନିଶ୍ଚିତ ।
କାରଣ ସେଠି ଆପଣ ଏକ ନିଆରା ଜିନିଷ ଦେଖିବାକୁ ମିଳିବ । ସେଠାରେ ଗଛ ଚାରି କଡରେ ଥିବା ତାର ଜାଲିରେ ଆପଣ ଭଗବାନ ଙ୍କ ନାମ ଲେଖା ଥିବା ପାଇବେ। ଆଉ ଏହାର ଏକ ବିଶେଷ କଥା ହେଉଛି ସର୍ବ ଧର୍ମ ସମନ୍ଵୟରେ ଏହି ଗଛ ଗୁଡିକର ନାମ କରଣ କରା ଯାଇଛି । ହିନ୍ଦୁ ଠାରୁ ଆରମ୍ଭ କରି ଶିଖ ପର୍ଯ୍ୟନ୍ତ ସବୁ ଧର୍ମର ନାମ ମାନଙ୍କରେ ଏହି ଗଛ ଗୁଡିକର ନାମ ଦିଆଯାଇଛି । ରାମ, କୃଷ୍ଣ,ରହିମ, ଗୁରୁ ନାନକ , ଗୁରୁ ଗୋବିନ୍ଦ ସିଂ ଆଦିଙ୍କ ନାମ ଅନୁସାରେ ଗଛ ଗୁଡିକର ନାମ ରଖାଯାଇଛି । ଜାମସେଦପୁର ବାସିନ୍ଦା ସମରଜିତ ସିଂହ ଗଛ ଗୁଡିକର ନାମ କରଣ ଓ ସରଂକ୍ଷଣ କିଛି ବର୍ଷ ହେବ ଏହି ଉପାୟରେ କରିଆସୁଛନ୍ତି। ଏହା କରିବା ପଛରେ ସେ ଏକ ଭିନ୍ନ ଚିନ୍ତାଧାରା ମଧ୍ୟ ରଖିଛନ୍ତି ।
ଏହା ବିଷୟରେ ସମରଜିତଙ୍କୁ ଯେତେବେଳେ ପଚରା ଯାଇଥିଲା ଏହାର ଉତ୍ତରରେ ସେ କହିଥିଲେ କି ସୁସ୍ଥ ଜୀବନ ଯାପନ ନିମନ୍ତେ ଗଛ ନିହାତି ଦରକାର । ଗଛ ବିନା ଗୋଟିଏ କ୍ଷଣ ମଧ୍ୟ ବଂଚିବା ଜମା ସମ୍ଭବ ନୁହେଁ । ଭାରତରେ ବିଭିନ୍ନ ପର୍ବ ପର୍ବାଣି ଗୁଡିକରେ ମଧ୍ୟ ଗଛ ଗୁଡିକର ପୂଜାର୍ଚ୍ଚନା କରା ଯିବାର ପ୍ରଥା ରହିଅଛି । ଗୋଟେ ପଟେ ଲୋକେ ଗଛ ମାନଙ୍କୁ ଭଗବାନ ରୂପେ ପୂଜା କରୁଥିବା ବେଳେ ଅନ୍ୟ ପଟେ କିନ୍ତୁ କ୍ଷଣିକ ଭିତରେ ଗଛ କାଟି ପଦା କରିଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏମିତିରେ ବିକାଶ ନାଁରେ ପ୍ରତିଦିନ କେତେ ଯେ ଗଛ କଟା ଯାଉଛି ତାର କୌଣସି ଠିକଣା ନାହିଁ। ଖାଲି ସେତିକି ନୁହେଁ ଗଛ ଚାରିପଟକୁ ଅପରିଷ୍କାର କରିବାକୁ ମଧ୍ୟ ଲୋକ ପଛାନ୍ତି ନାହିଁ ।ଯାବତୀୟ ଅଳିଆ ଆବର୍ଜନା କୁଢ଼ କରି ଗଛ ଚାରି ପଟକୁ ଅପରିଷ୍କାର କରିଦିଅନ୍ତି ।
ଏହା ସହ ପଢନ୍ତୁ:
ବୈଜ୍ଞାନିକମାନେ ଖୋଜି ବାହାର କଲେ ପକ୍ଷୀ ମାନଙ୍କର ଭାଷା, ଏମାନେ ବି କରିଥାନ୍ତି ମଣିଷଙ୍କ ଭଳି କରିଥାନ୍ତି କଥାବାର୍ତ୍ତା
ଲୋକଙ୍କର ଏହି ଧାରଣାକୁ ବଦଳେଇବା ପାଇଁ ହିଁ ସେ ଏହି ପ୍ରୟାସ ଆରମ୍ଭ କରିଥିଲେ । ପ୍ରଥମେ ସେ ଗଛ ଗୁଡିକୁ ଲଗାଇ ସେ ଗୁଡିକର ଦେଖାରେଖା କରିବାକୁ ଲୋକଙ୍କୁ ବୁଝାଇଲେ । କିପରି ଗଛ ଚାରିପଟକୁ ଆବର୍ଜନା ମୁକ୍ତ କରାଯାଇପାରିବ ସେ ଦିଗରେ ଲୋକଙ୍କୁ ସଚେତନ ମଧ୍ୟ କରାଇଲେ । କିନ୍ତୁ ଲୋକେ ନିଜ ପୁରୁଣା ଅଭ୍ୟାସକୁ ଛାଡିପାରୁ ନ ଥିଲେ । ଏହା ଦେଖି ସମରଜିତଙ୍କ ମନ ଦୁଃଖ ହେଉଥିଲା।ଏଣୁ ତାଙ୍କ ମନରେ ଏକ ନୂଆ ଉପାୟ ଆସିଥିଲା । ସେ ଲଗାଇ ଥିବା ଗଛ ଗୁଡିକ ଚାରିପଟେ ତାର ଜାଳି ଦେଇ ସେଥିରେ ସେ ବିଭିନ୍ନ ଭଗବାନ,ମହାପୁରୁଷ ଓ ଧର୍ମଗୁରୁ ମାନଙ୍କ ନାମ ଲେଖିବା ଆରମ୍ଭ କଲେ । ଏହା ପରେ ଲୋକେ ବେଶ ସତର୍କ ହେଲେ । ଧୀରେ ଧୀରେ ଗଛ ଚାରିପଟ ପରିସ୍କାର ରହିବାକୁ ଲାଗିଲା । ସମାରଜିତଙ୍କ ମନରେ ବିଶ୍ୱାସ ଥିଲା ଭଗବାନଙ୍କୁ ଲୋକେ ଅହେତୁକ ବିଶ୍ୱାସ କରିଥାନ୍ତି ।
ତେଣୁ ଈଶ୍ୱରଙ୍କ ନାମକୁ ଅସମ୍ମାନ କଲାଭଳି କୌଣସି କାମ ସେମାନେ କରିବେ ନାହିଁ । ଏହା ପ୍ରଭାବରେ କିଛି ଦିନ ପରେ ଲୋକଙ୍କ ଉପରେ ଅଦ୍ଭୁତ ପରିବର୍ତ୍ତନ ଘଟିଥିବା ଲକ୍ଷ କରାଯାଇଥିଲା । ଗୋଲାମୁରି ନିବାସୀ ସମରଜିତ ୨୦୦୨ ମସିହାରେ ଉଷା ମାର୍ଟିନ କମ୍ପନିରୁ ଅବସର ଗ୍ରହଣ କରିଥିଲେ । ଏବେ ତାଙ୍କୁ ୭୮ ବର୍ଷ ହେଲାଣି । ଯେତେବେଳେ ସେ ଗୋଲାମୁରୀକୁ ପ୍ରଥମେ ରହିବାକୁ ଆସିଲେ ତ ଏହାର ଅପରିଷ୍କାର ପରିବେଶ ତାଙ୍କୁ ଅତ୍ୟନ୍ତ ବ୍ୟସ୍ତ କରିପକାଇଥିଲା । ତେଣୁ ସେ ନିଜେ ହିଁ ପ୍ରଥମେ ପରିସ୍କାର କରିବା କାମରେ ଲାଗି ପଡିଲେ । ସମରଜିତ ବିଗତ ୧୮ ବର୍ଷ ଭିତରେ ପ୍ରାୟ ୧୨୦୦ ଗଛ ଲଗାଇସାରିଲେଣି। ଏଗୁଡିକର ଚାରି ପାର୍ଶ୍ୱରେ ତାର ବାଡ଼ ସେ ନିଜ ପଇସାରେ ହିଁ କରିଥାନ୍ତି । ତାଙ୍କୁ ଏଥିପାଇଁ ଗୋଟେ ଗଛ ପିଛା ପ୍ରାୟ ୬ ହଜାର ତାଙ୍କ ଖର୍ଚ୍ଚ କରିବାକୁ ପଡିଥାଏ । ଗଛ ଗୁଡିକର ଦେଖା ରେଖା ସେ ନିଜେହିଁ କରିଥାନ୍ତି । ଏ କ୍ଷେତ୍ରରେ ତାଙ୍କ ପରିବାର ଲୋକ ବି ତାଙ୍କୁ ସହଯୋଗ କରିଥାନ୍ତି । ଗଛ ଗୁଡିକରେ ରଙ୍ଗ ବିରଙ୍ଗର ଫୁଲ ଓ ଫଳ ହେଉଥିବା ଦେଖି ମନ ଖୁସି ହୋଇଥାଏ । ତାହା ଛଡା ଜୀବନ ବଞ୍ଚାଇବା ପାଇଁ ହେଲେ ଗଛ ଲଗାଇବା ନିହାତି ଜରୁରୀ ହୋଇଥାଏ । ତେଣୁ ସମରଜିତଙ୍କ ଏହି ପ୍ରୟାସ ଅନ୍ୟ ମାନଙ୍କ ଠାରେ ଏକ ପରିବର୍ତନ ଆଣିବ ବୋଲି ବିଶ୍ୱାସ ଅଛି ।