ଯାହାକୁ ରଖିବେ ଅନନ୍ତ ! ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଞ୍ଚିଗଲା ଗୋଟିଏ ପିଲା

ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ। ସେଭଳି ଘଟଣା ଘଟିଥିଲା ୨୦୧୦ ମସିହା ମେ ୧୨ ତାରିଖରେ। ସେଦିନ ସକାଳ ପ୍ରାୟ ୬ଟା ବେଳେ ଆଫ୍ରିକୀୟା ଏୟାରୱେଜ୍‌ର ଏକ ଏୟାରବସ୍‌ (ଏ ୩୩୦-୨୦୦) ଲ୍ୟାଣ୍ଡ କରିବା ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୯୩ ଜଣ ଯାତ୍ରୀ ଓ ୧୧ ଜଣ କର୍ମଚାରୀ ଥିଲେ। ଜୋହାନ୍ସବର୍ଗରୁ ବାହାରିଥିବା ଏହି ବିମାନ ଲିବ୍ୟାର ଟ୍ରାଇପୋଲି ବିମାନ ବନ୍ଦରକୁ ଆସୁଥିଲା। ଏକ ବିରାଟ ଶବ୍ଦ କରି ଖଣ୍ଡ ଖଣ୍ଡ ହୋଇଗଲା ବିମାନଟି। ଘଟଣା ଘଟିଥିବା ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଲା ବିମାନର ଭଗ୍ନାବଶେଷ। ଅନେକ ଜାଗାରେ ଦେଖିବାକୁ ମିଳିଲା ବିମାନ ସିଟ୍‌ ସହ ପଡ଼ିଥିବା ମୃତଦେହ। ଏଥିରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ହେଲେ ବଞ୍ଚି ଯାଇଥିଲା ଗୋଟିଏ ଛୋଟ ପିଲା। ୯ ବର୍ଷର ରୁବେନ୍‌ ବନ୍‌। ହଲାଣ୍ଡର ଏହି ପିଲାଟି ଅତି ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିଲା। ଯଦିଓ ତାର ବାପା ମା ଉଭୟ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସୂଚନା ଅନୁସାରେ, ଦୁର୍ଘଟଣା ବେଳେ ବିମାନଟି ମାଟିରେ ପିଟି ହେବା ପୂର୍ବରୁ ପିଲାଟି ତଳକୁ ଖସି ପଡ଼ିଥିଲା। ଆଉ ସେ ମାଟିରେ ପଡ଼ି ଯାଇଥିଲା। ଲାଗୁଥିଲା ଯେମିତି କେହି ତାକୁ ବିମାନ ଭିତରୁ ବାହାରକୁ ଫିଙ୍ଗି ଦେଇଛି। ପିଲାଟି ପଡ଼ିବା ପରେ ପରେ ବିମାନଟି ମାଟିରେ ମାଡ଼ ହୋଇ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ହେଲେ ପିଲାଟି ବର୍ତ୍ତି ଯାଇଥିଲା ମୃତ୍ୟୁ ମୁହଁରୁ। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା। ଆଉ ଜୀବନ୍ତ ପିଲାଟିକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ଉଦ୍ଧାରକାରୀ। ସେତେବେଳେ ଡାକ୍ତର କହିଥିଲେ ଯେ ପିଲାଟି ସୁସ୍ଥ ଅଛି କିନ୍ତୁ ତାର ଦୁଇ ଗୋଡ଼ରେ ଆଘାତ ଲାଗିଛି। ତାର ହାଡ଼ ଭାଙ୍ଗି ଯାଇଛି। ହେଲେ ତାର ବଞ୍ଚିଯିବା ଘଟଣା ସମସ୍ତଙ୍କୁ ଖୁବ୍‌ ଚକିତ କରିଥିଲା। କାରଣ ବିମାନରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଏହି ୯ ବର୍ଷର ପିଲାଟି ବଞ୍ଚିଗଲା କେମିତି ତାହା ସେତେବେଳେ ପ୍ରଶ୍ନ ଘେରରେ ଥିଲା, ତାକୁ ସେତେବେଳେ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା।

Libya
Image Credit: Twitter

ଏହି ବିମାନ ଦୁର୍ଘଟଣାକୁ ଏହା ଭିତରେ ୧୨ ବର୍ଷ ବିତିଗଲାଣି। ଆଉ ସେଇ ୯ ବର୍ଷର ପିଲା ରୁବେନ୍‌ ଏବେ ୨୧ ବର୍ଷରେ ପଦାର୍ପଣ କଲାଣି। ଦୁର୍ଘଟଣା ପରେ ତାକୁ ସମ୍ପର୍କୀୟମାନେ ରଖି ଲାଳନ ପାଳନ କରିଥିଲେ। ସେ ଟିଲବର୍ଗର ଏକ ସ୍କୁଲରେ ପାଠ ପଢ଼ିଛନ୍ତି। ରୁବେନ୍‌ ବର୍ତ୍ତମାନ ସ୍ୱାଭାବିକ ଜୀବନ ବିତାଉଛନ୍ତି। ହେଲେ ସେହି ଦୁର୍ଘଟଣା ସମୟର ଚିତ୍ର ଏବେ ବି ତାଙ୍କୁ ଦୁଃସ୍ୱପ୍ନ ଭଳି ଲାଗୁଛି। ଏ ପର୍ଯ୍ୟନ୍ତ ବିଶ୍ୱରେ ଯେତେ ବିମାନ ଦୁର୍ଘଟଣା ଘଟିଛି ସେଥିରୁ ମାତ୍ର ୧୪ ଜଣ ଏଭଳି ଭାବେ ଜୀବିତ ଅଛନ୍ତି। ଆଉ ରୁବେନ୍‌ ଏହି ତାଲିକାର ୧୪ ନମ୍ବରରେ ଅଛନ୍ତି। ସତରେ କୁହାଯାଏ ଯେ ଆୟୁଷ ଥିବା ପର୍ଯ୍ୟନ୍ତ ଯମ ବି କାହାକୁ ନେଇ ପାରେନା। ଇଏ ସେହିଭଳି ଏକ ଘଟଣା।

Also Read: ବାଂଲାଦେଶ ହାତରେ ଅଛି ଆଉ ମାତ୍ର ୫ ମାସ, ତା’ପରେ ହେବ ଶ୍ରୀଲଙ୍କା ଭଳି ସ୍ଥିତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.