ଚଳିତ ବର୍ଷ ସୁବର୍ଣ୍ଣପୁରରେ ପାଳିତ ହୋଇଛି କୈବର୍ତ ମାନଙ୍କ ଇଷ୍ଟଦେବୀ ମାଆ ଲଙ୍କେଶ୍ୱରୀଙ୍କ ଚଇତି ଯାତ୍ରା

ସୁବର୍ଣ୍ଣପୁର (କେ ନ୍ୟୁଜ): ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ବାରମାସରେ ପାଳନ କରାଯାଏ ତେର ପର୍ବ। ସବୁ ପର୍ବ ମଧ୍ୟରୁ ସୁବର୍ଣ୍ଣପୁରର ଲଙ୍କେଶ୍ୱରୀ ଯାତ୍ରା ରହିଥାଏ ଟିକିଏ ଭିନ୍ନ। ସୁବର୍ଣ୍ଣପୁର ସହରରେ ଥିବା ମହାନଦୀ ଗର୍ଭରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା। ମାଆ ଲଙ୍କେଶ୍ୱରୀ ମହାନଦୀର ଅକାତ କାତ ପାଣି ମଝିରେ ସ୍ଥାପିତ ହୋଇଛନ୍ତି। ଆଜି ଆମେ ଏହି ମନ୍ଦିର ସମ୍ପର୍କରେ ଆପଣଙ୍କୁ କହିବୁ। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ମନ୍ଦିର ସମ୍ପର୍କରେ ଜାଣି ନାହାନ୍ତି।

ମାଆ ଲଙ୍କେଶ୍ୱରୀ ମନ୍ଦିର। ସୁବର୍ଣ୍ଣପୁରରେ ପ୍ରସିଦ୍ଧ ମାଆଙ୍କ ଏହି ପ୍ରାଚୀନ ମନ୍ଦିର । ରାଜା ରାଜୁଡାଙ୍କ ସମୟରୁ ମହାନଦୀ ଗର୍ଭରେ ରହିଆସିଛି ମାଆଙ୍କ ଏହି ଭବ୍ୟ ମନ୍ଦିର। ପ୍ରଥମେ ଗଣ୍ଡରେ ଥିବା ପଥର ଚଟାଣରେ ମାଆଙ୍କୁ ପୂଜା କରାଯାଉଥିବା ବେଳେ ପରେ ସେଠାରେ ଏକ ମନ୍ଦିର ନିର୍ମାଣ କରାଗଲା। ସେହି ସମୟରେ ମହାନଦୀ ମଧ୍ୟରେ ନୌବାଣିଜ୍ୟ ପରମ୍ପରା ଚାଲିଥିଲା। ତେଣୁ ଲୋକମାନେ ସେହି ବାଟଦେଇ ଯିବା ସମୟରେ ମାଆଙ୍କୁ ମୁଣ୍ଡାଇ ମାରି ଯାଉଥିଲେ । ମାଆଙ୍କ ଆଶିର୍ବାଦ ନେଇ ତାଙ୍କ କାମ ଆରମ୍ଭ କରିଥିଲେ।

ସେହିଭଳି ମାଆ ଲଙ୍କେଶ୍ୱରୀଙ୍କୁ ଗୁହାରୀ କରି ଏହି ଘାଟରେ ନାଉରୀ ମାନେ ଲୋକଙ୍କୁ ଡଙ୍ଗାରେ ପାରି କରୁଥିଲେ। ମାଆଙ୍କ କୃପା ଦୃଷ୍ଟି ପାଇଁ ଏହି ଘାଟରେ କେବେ ବି ଡଙ୍ଗା ବୁଡ଼ିନଥିବାର ଶୁଣିବାକୁ ମିଳିଛି। ଏବେ କିନ୍ତୁ ମହାନଦୀ ଉପରେ ସେତୁ ହୋଇଯାଇଥିବାରୁ ଏବେ ଆଉ ଡଙ୍ଗାର ସାହାଯ୍ୟ ପଡ଼ୁନାହିଁ। କିନ୍ତୁ ମାଆଙ୍କ ମହିମା ସେହି ସମୟରେ ଯେମିତି ଥିଲା ଏବେ ବି ସେମିତି ରହିଛି। ଲୋକଙ୍କ ଆସ୍ଥା ଓ ଭକ୍ତିର କେନ୍ଦ୍ର ପାଲଟିଛି ଏହି ମନ୍ଦିର। ମହାନଦୀ ଗର୍ଭରେ ଥିବା ମାଆଙ୍କ ଏହି ମନ୍ଦିରକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଆସିଥାନ୍ତି।

କୈବର୍ତମାନଙ୍କ ଇଷ୍ଟଦେବୀ ହେଉଛନ୍ତି ମାଆ ଲଙ୍କେଶ୍ୱରୀ। କାହିଁ କେଉଁ କାଳରୁ କୈବର୍ତ ସମାଜ ପ୍ରତି ଗୋଟିଏ ବର୍ଷ ବ୍ୟବଧାନରେ ଥରେ ଚୈତ୍ର ମାସର ତୃତୀୟ ମଙ୍ଗଳବାରରେ ଏହିଠାରେ ଯାତ୍ରା ଅନୁଷ୍ଠିତ କରାଇଥାନ୍ତି। ଚଳିତ ବର୍ଷ ଏହି ଯାତ୍ରା ଯୋଗ ପଡ଼ିଥିବା ବେଳେ ବଡ଼ ଯାକଯମକରେ ପାଳିତ ହୋଇଛି ମାଆ ଲଙ୍କେଶ୍ୱରୀଙ୍କ ଏହି ଯାତ୍ରା।

ପ୍ରାତଃ ସମୟରେ କୈବର୍ତ ମାନେ ପୂଜକ,ବରୁଆ ଏବଂ ବଜା ଗଜାଧରି ଲଙ୍କେଶ୍ୱରୀ ଗଣ୍ଡକୁ ଯାଇ ମାଁଙ୍କୁ ବରଣ କରିଥିଲେ । ପରେ ପୀଠରେ ପୂଜାଧଜା ପରେ ମାଁ ବରୁଆଙ୍କ ଦେହରେ ପ୍ରବେଶ ପରେ ଛତି ଛତ୍ର ସହ ମାଁଙ୍କୁ ଦୁଇଟି ଦେଶୀ ଡଙ୍ଗାର ଚାପରେ ଅଣାଯାଇ ସହର ପରିକ୍ରମା କରାଯାଇଥିଲା । ଏହି ସମୟରେ ପ୍ରତ୍ୟକ ଘର ସାମନାରେ ମାଁଙ୍କୁ ପଜା କରାଯାଇଥିଲା । ପରେ ମାଁଙ୍କୁ ପୁଣି ଲଙ୍କେଶ୍ୱରୀ ଗଣ୍ଡକୁ ନେଇ ରଖାଯାଇଥିଲା । ଚଳିତବର୍ଷ କରୋନା କଟକଣା ହଟିଯାଇଥିବାରୁ କୈବର୍ତମାନେ ଯାକ ଜମକରେ ଲଙ୍କେଶ୍ୱରୀ ଯାତ୍ରାକୁ ପାଳନ କରିଛନ୍ତି । ଏହି ପୂଜା କରିବାଦ୍ୱାରା ପୁରା ସମାଜର ମଙ୍ଗଳ ହେଉଥିବା ବିଶ୍ୱାସ ରହିଥିବାରୁ ଏହି ଯାତ୍ରା ହୋଇଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.