ପେଚା କେମିତି ହେଲା ମାତା ଲକ୍ଷ୍ମୀଙ୍କ ବାହନ ? ପଢନ୍ତୁ ଏକ ପୌରାଣିକ କଥା

ଲୁପ୍ତ ହେବାକୁ ବସିଲାଣି ପେଚା । ଏବେ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛନ୍ତି ଏହି ବିରଳ ପକ୍ଷୀ । ତେବେ ଭାରତୀୟ ସଂସ୍କୃତିରେ ପେଚାକୁ ଶୁଭ ଏବଂ ଧନ ସମ୍ପତ୍ତିର ପ୍ରତୀକ ବୋଲି କୁହାଯାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ଡରିଥାନ୍ତି । ଏହି ଡରର କାରଣ ହେଉଛି ଏହାକୁ ଅଶୁଭ ବୋଲି ମଧ୍ୟ କେତେକ ସ୍ଥାନରେ କୁହାଯାଏ । ଏପରିକି ବିଶ୍ବାସ କରାଯାଏ ତାନ୍ତ୍ରିକ ବିଦ୍ୟାରେ ପେଚାକୁ ବ୍ୟବହାର କରାଯାଏ । ତେବେ ଜାଣି ଆଶ୍ଚଯ୍ୟ ହେବେ ପେଚାକୁ ନେଇ ଦେଶ ବିଦେଶରେ ବିଚିତ୍ର ଘଟଣା ସବୁ ଶୁଣିବାକୁ ମିଳେ ।

ରହସ୍ୟମୟୀ ପ୍ରାଣୀ ପେଚା :
ଯେତେବେଳେ ପୁରା ଦୁନିଆଁ ଶୋଇଯାଏ ସେତେବେଳେ ପେଚା ଚେଇଁଥାଏ । ପେଚା ନିଜ ବେକକୁ ୧୭୦ଡିଗ୍ରୀ ଯାଏ ବୁଲାଇପାରେ । ରାତିରେ ଉଡିବା ସମୟରେ କୌଣସି ପ୍ରକାର ଶବ୍ଦ କରିନଥାଏ । ଏହା ସହ ଆଖି ପଲକ ମଧ୍ୟ ପକାଇନଥାଏ । ପେଚାର ହୁ ହୁ ହୁ ଉଚ୍ଚାରଣ ଏକ ମନ୍ତ୍ର ହୋଇଥାଏ ।

ପେଚାର ପାଂଚ ପ୍ରମୁଖ ଗୁଣ :
ପେଚାର ଦୃଷ୍ଟି ଶକ୍ତି ଖୁବ୍ ପ୍ରଖର ହୋଇଥାଏ । ଦ୍ବିତୀୟ ବଡ଼ ଗୁଣ ହେଉଛି ନୀରବ ଭାବରେ ଉଡିବା । ତୃତୀୟ ଗୁଣ ହେଉଛି ପ୍ରଖର ଶୀତରେ ମଧ୍ୟ ଉଡିବାର କ୍ଷମତା । ସେହିପରି ଚତୁର୍ଥ ଗୁଣ ହେଉଛି ଶ୍ରବଣ ଶକ୍ତି । ଆଉ ପଂଚମ ଶ୍ରେଷ୍ଠ ଗୁଣ ହେଉଛି ଅତି ଧୀର ଭାବରେ ଉଡିବାର କ୍ଷମତା । ପେଚାର ଏହି ସବୁ ଗୁଣ ଅନ୍ୟ ପକ୍ଷୀଙ୍କ ନିକଟରେ ଦେଖିବାକୁ ମିଳେ ନାହିଁ । ତେଣୁ ଏହି ସବୁ ଗୁଣକୁ ଆଖି ଆଗରେ ରଖି ବୈଜ୍ଞାନିକମାନେ ଏହିପରି ବିମାନ ତିଆରି କରିବାକୁ ଲାଗିଛନ୍ତି ।

ପେଚା ଏକ ଏଭଳି ପକ୍ଷୀ ଯାହା ଚାଷୀଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ । କାରଣ ପେଚା ରହିଲେ କ୍ଷେତରେ ମୂଷା, ସାପ ଏବଂ ବିଛା ଆଦି ହୋଇନଥାଏ । ଏହା ସହ ଅନ୍ୟ ଛୋଟ ଛୋଟ କୀଟପତଙ୍ଗ ପାଇଁ ଏକ ଦମନକାରୀ ପକ୍ଷୀ ହେଉଛି ପେଚା । ଭାରତରେ ପ୍ରାୟ ୬୦ ପ୍ରଜାତିର ପେଚା ଅଛନ୍ତି ।

କେମିତି ଲକ୍ଷ୍ମୀଙ୍କ ବାହନ ହେଲା ପେଚା :
କୁହାଯାଏ ପ୍ରାଣୀ ଜଗତର ସଂରଚନା କରିବା ପରେ ଦିନେ ସମସ୍ତ ଦେବା ଦେବୀ ଧରିତ୍ରୀକୁ ବୁଲି ଆସିଥିଲେ । ତେବେ ଏହି ଦେବା ଦେବୀଙ୍କୁ ବିଚରଣ କରୁଥିବାର ଦେଖି କୌଣସି ପଶୁ ପକ୍ଷୀଙ୍କୁ ଭଲ ଲାଗିନଥିଲା । ତେଣୁ ସମସ୍ତେ ଏକତ୍ରିତ ହୋଇ ସେମାନଙ୍କ ନିକଟକୁ ଯାଇ କହିଥିଲେ ଆପଣଙ୍କଠାରୁ ଉତ୍ପନ୍ନ ହୋଇ ଆମେ ଧନ୍ୟ ହୋଇଛୁ । ଆମେ ଆପଣଙ୍କୁ ଦୁନିଆଁର ଯେଉଁଠାକୁ ଚାହିଁବୁ ନେଇପାରିବୁ। ଦୟାକରି ଆପଣ ଆମକୁ ବାହାନ ରୂପରେ ପସନ୍ଦ କରି ଆମ ଜୀବନ ଧନ୍ୟ କରନ୍ତୁ ।

ଦେବା ଦେବୀ ଏହି ପଶୁ ପକ୍ଷୀଙ୍କ କଥା ମାନି ନିଜ ନିଜ ବାହାନ ରୂପରେ ବାଛିବାକୁ ଲାଗିଲେ । ଯେତେବେଳେ ଲକ୍ଷ୍ମୀଙ୍କ ପାଳି ଆସିଲା ସେତେବେଳେ ସେ ଦ୍ବନ୍ଦ୍ବରେ ପଡିଗଲେ । ସେପଟେ ପଶୁ ପକ୍ଷୀଙ୍କ ମଧ୍ୟରେ ମଧ୍ୟ ଝଗଡା ଆରମ୍ଭ ହୋଇଯାଇଥିଲା କିଏ ମାତା ଲକ୍ଷ୍ମୀଙ୍କ ବାହାନ ହେବ । ତେଣୁ ସେମାନଙ୍କୁ ଚୁପ୍ କରିବାକୁ ଯାଇ ଲକ୍ଷ୍ମୀ କହିଲେ ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟାରେ ମୁଁ ପୃଥିବୀକୁ ବିଚରଣ କରିବାକୁ ଆସିଥାଏ । ସେହିଦିନ ଆପଣମାନଙ୍କ ମଧ୍ୟରୁ ଜଣକୁ ମୋର ବାହାନ କରିବି । କାର୍ତ୍ତିକ ଅମାବାସ୍ୟା ଯାଏଁ ସମସ୍ତ ପଶୁ ପକ୍ଷୀ ଚାହିଁ ରହିଥିଲେ । ତେବେ ଯେଉଁଦିନ ମାତା ଲକ୍ଷ୍ମୀ ପୃଥିବୀକୁ ଆସିଲେ ପେଚା ନିଜର ତୀବ୍ର ଦୃଷ୍ଟି ଶକ୍ତିରେ ଦେଖିପାରି ତାଙ୍କ ନିକଟରେ ପହଂଚିଯାଇଥିଲା । ଆଉ ନିଜକୁ ତାଙ୍କ ବାହାନ କରିନେବା ପାଇଁ ପ୍ରାର୍ଥନା କରିବାକୁ ଲାଗିଲା । ମାତା ଲକ୍ଷ୍ମୀ ଚାରିଆଡେ ଅନାଇଲେ ଦେଖିଲେ ଆଉ କୌଣସି ପଶୁ ପକ୍ଷୀ ନଜର ଆସୁନାହାଁନ୍ତି । ତେଣୁ ପେଚାକୁ ନିଜର ବାହାନ ଭାବରେ ସ୍ବୀକାର କରିନେଲେ । ସେବେଠାରୁ ମାତା ଲକ୍ଷ୍ମୀଙ୍କ ବାହାନ ହୋଇଗଲା ପେଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.