ଅଣ୍ଡାଗୁଡ଼ିକୁ ବଞ୍ଚାଇବା ପାଇଁ ମା’ ଚଢ଼େଇର ସଂଘର୍ଷ…! ଶେଷରେ ମମତା ଆଗରେ ମୁଣ୍ଡ ନୁଆଁଇଲା ଜେସିବି; ହଟିଗଲା ପଛକୁ

ଏବେ ସୋସିଆଲ ମିଡିଆରେ ଏକ ମା’ ଚଢ଼େଇର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯିଏ ନିଜ ଅଣ୍ଡାଗୁଡ଼ିକୁ ବଞ୍ଚାଇବା ପାଇଁ ବଡ଼ ବିପଦକୁ ସାମ୍ନା କରୁଥିବା ଦେଖାଯାଉଛି। ଜଣେ ମା’ ନିଜ ପିଲାମାନଙ୍କୁ ବିପଦରେ ଦେଖି ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ବି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଏମିତି କରିବା ସମୟରେ ମା’ କେବେ ବି ନିଜ ଜୀବନକୁ ଖାତିର ସୁଦ୍ଧା କରେ ନାହିଁ। ସେ ଯେତେ ବଡ଼ ବିପଦ ହୋଇଥାଉ ନା କାହିଁକି, ମା’ ତା’ ପିଲାଙ୍କୁ ବଞ୍ଚାଇବା ପାଇଁ ନିଜ ଗୋଡ଼କୁ କଦାପି ପଛକୁ ହଟାଇ ନ ଥାଏ। ମଣିଷଙ୍କ ଭଳି ପଶୁପକ୍ଷୀଙ୍କଠାରେ ମଧ୍ୟ ମା’ର ମମତା ଭରି ରହିଥାଏ।

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଥାଏ, ଯେଉଁଥିରେ ମା’ର ମମତା ଦେଖିବାକୁ ମିଳିଥାଏ। ଏବେ ଯେଉଁ ଚଢ଼େଇର ଫଟୋ ଭାଇରାଲ ହେଉଛି, ତାହା ବେଶ୍‌ ହୃଦୟସ୍ପଶୀ ରହିଛି। ଦୃଶ୍ୟଟି ଏମିତି କି, ଏକ ମା’ ଚଢ଼େଇ ମାଟି ଖୋଳି ତା’ ଭିତରେ କିଛି ଅଣ୍ଡା ଦେଇଥିଲା। ଏବେ ସେହି ସ୍ଥାନରେ ଏକ ଜେସିବି ମାଟି ଖୋଳା ଆରମ୍ଭ କରିଛି। ତେବେ ଜେସିବି ଯେମିତି କାମ ଆରମ୍ଭ କରିଥିଲା, ତ ମା’ କେଉଁଆଡ଼ୁ ଉଡ଼ି ଆସି ତା’ ଅଣ୍ଡାଗୁଡ଼ିକ ଉପରେ ବସି ପଡ଼ିଥିଲା। ଜେସିବି ନିକଟତର ହେଲା ବେଳେ ଚଢ଼େଇଟି ତତ୍‌କ୍ଷଣାତ ଡେଣା ମେଲାଇ ବିପଦକୁ ମୁକାବିଲା କରିଥିଲା।

ଶେଷକୁ ମା’ର ମମତା ଆଗରେ ଜେସିବିକୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା। ଭିଡିଓକୁ ଆଇଏଏସ୍‌ ଅଧିକାରୀ ଅବନୀଶ ଶରଣ ଟ୍ଵିଟରରେ ସେୟାର କରିଛନ୍ତି, ଯେଉଁଥିରେ ମା’ ଚଢ଼େଇ ମାଟି ଖୋଳୁଥିବା ଜେସିବି ସାମ୍ନାରେ ଡେଣା ମେଲାଇ ବସି ତାକୁ ପଛକୁ ହଟିବାକୁ ଈଶାରା କରୁଛି। ଚଢ଼େଇଟିର ଛୁଆ ପ୍ରତି ମମତା ଦେଖି ଜେସିବି ଡ୍ରାଇଭର ବି ପଛକୁ ହଟି ଯାଉଛନ୍ତି। ସୋସିଆଲ ମିଡିଆରେ ଲୋକେ ଡ୍ରାଇଭରଙ୍କ କାମକୁ ବେଶ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.