୧୦ ଦିନ ତଳେ ଗର୍ଭବତୀ ଥିବା ଜଣାପଡ଼ିଥିଲା, ୧୧ ତମ ଦିନରେ ହେଲା ଝିଅ ଜନ୍ମ; ଡାକ୍ତର ବି ଜାଣିପାରୁନାହାନ୍ତି କାରଣ

ମାତ୍ର ୧୦ ଦିନ ତଳେ ହିଁ ଜଣାପଡ଼ିଥିଲା ମହିଳା ଗର୍ଭବତୀ ଅଛନ୍ତି ଓ ୧୧ ତମ ଦିନରେ ତାଙ୍କର ଝିଅ ଜନ୍ମ ହୋଇଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ଏକଦମ୍‌ ସତ। ମହିଳା ଗର୍ଭବତୀ ଥିଲେ ମଧ୍ୟ ସେ ନିଜେ ବି ଏକଥା ଜାଣିପାରିନଥିଲେ। ଅଚାନକ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ ଓ ସେତେବେଳକୁ ଡେଲିଭରି ସମୟ ନିକଟତର ହୋଇସାରିଥିଲା।

ଏଭଳି ଅଦ୍ଭୁତ ଘଟଣା ଘଟିଛି ବ୍ରିଟେନ୍‌ର ବ୍ରିଷ୍ଟଲ ସହରରେ। ଏଠାକାର ବାସିନ୍ଦା ସେମ୍‌ ହିକ୍‌ ୧୧ ଜାନୁଆରୀରେ ଏକ ସୁସ୍ଥ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ରିପୋର୍ଟ ମୁତାବକ, ସେମ୍‌ ୩୧ ଡିସେମ୍ବରରେ ନବବର୍ଷ ପାଳନ କରିବା ପରେ ଜାନୁଆରୀ ୧ରେ ଛୁଟିରେ ଥିଲେ। ସେ ଦିନ ସନ୍ଧ୍ୟାରେ ସେ ସ୍ୱାମୀଙ୍କ ସହ ବସି ଟିଭି ଦେଖୁଥିଲେ। ସ୍ୱାମୀ ସେମ୍‌ଙ୍କ ପେଟରେ ହାତ ରଖିବା ବେଳେ ଅଚାନକ ସେ ଜାଣିବାକୁ ପାଇଲେ ଯେ ପତ୍ନୀଙ୍କ ପେଟରେ କେହି ଜଣେ ତାଙ୍କୁ କିକ୍‌ ମାରୁଛି। ଏନେଇ ସେ ପତ୍ନୀଙ୍କୁ କହିବାରୁ ସେ ହସିବାକୁ ଲାଗିଥିଲେ।

ଏହା ପର ଦିନ ସେମାନେ ପ୍ରେଗନାନ୍ସି ଟେଷ୍ଟ କରାଇବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଉଭୟ ପତିପତ୍ନୀ ଏକଥାକୁ ବିଶ୍ୱାସ କରିପାରିଲେ ନାହିଁ। ଡାକ୍ତର କହିଥିଲେ ଯେ ମହିଳା ଜଣକ ଏବେ ୯ ମାସ ଓ ୩ ସପ୍ତାହର ଗର୍ଭବତୀ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ବି ଡେଲିଭରି କରାଇବାକୁ ପଡ଼ିବ। ତେବେ ଡାକ୍ତରଙ୍କ ଠାରୁ ଏହି କଥା ଶୁଣିବାର ଠିକ୍‌ ୧୦ ଦିନ ପରେ ଅର୍ଥାତ୍‌ ୧୧ ଜାନୁଆାରୀରେ ସେମ୍‌ଙ୍କର ଲେବର ପେନ୍‌ ହୋଇଥିଲା। ସେ ହସ୍ପିଟାଲରେ ଏକ ସୁସ୍ଥ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ଝିଅର ନାଁ ଜୁଲିଆ ରଖାଯାଇଛି। ଏହି ଦମ୍ପତିଙ୍କର ପୂର୍ବରୁ ମଧ୍ୟ ଦୁଇଟି ପିଲା ଅଛନ୍ତି।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଗତ ବର୍ଷ ନଭେମ୍ବରରେ ସେମ୍‌ଙ୍କୁ କରୋନା ହୋଇଥିଲା। ଏହି ସମୟରେ ତାଙ୍କର ସବୁ ଟେଷ୍ଟ କରାଯାଇଥିଲା। ମାତ୍ର ପ୍ରେଗ୍‌ନାଣ୍ଟ ଥିବା ଜଣା ବି ପଡ଼ିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.