ଜୀବନ ସହ ସଂଗ୍ରାମ କରି ଚାଲିଗଲେ ବାପ-ପୁଅ, ବିଶାଖାପାଟଣାରେ ବଞ୍ଚିବା ପାଇଁ ଲଢେଇ କରୁଛି ମାଆ

ମୃତ୍ୟୁ ଏମତି ବି ଆସେ । ଯାହା ଆପଣ କେବେ ଭାବି ନଥିବେ । ବାପା ଓ ପୁଅର ଗ୍ୟାସ ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି । ହସପିଟାଲ ବେଡ୍‌ରେ  ଜୀବନ ସହ ସଂଗ୍ରାମ କରୁଛି ମାଆ । କାନ୍ଦ ବୋବାଲି ଫାଟି ପଡ଼ୁଛି ଘର । ଘରର ଦୁଇ ଦୁଇ ଜଣ ପୁରୁଷଙ୍କୁ ହରାଇ ସାରିଛି ପରିବାର ।

କେନ୍ୟୁଜ୍‌(ବ୍ୟୁରୋ): ମୃତ୍ୟୁ ଏମତି ବି ଆସେ । ଯାହା ଆପଣ କେବେ ଭାବି ନଥିବେ । ବାପା ଓ ପୁଅର ଗ୍ୟାସ ନିଆଁରେ ପୋଡ଼ି ମୃତ୍ୟୁ ହୋଇ ସାରିଥିବା ବେଳେ ହସପିଟାଲ ବେଡ୍‌ରେ  ଜୀବନ ସହ ସଂଗ୍ରାମ କରୁଛି ମାଆ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚିକିଟିଗଡ଼ରେ । ଗତ ଏପ୍ରିଲ ୨୭ ତାରିଖରେ କୁମ୍ଭାର ସାହିରେ ରହୁଥିବା ବିଶ୍ୱନାଥ ବେହେରାଙ୍କ ଘରେ ଥିବା ଗ୍ୟାସ ସିଲିଣ୍ଡର ଖରାପ ହୋଇଥିଲା । ଗ୍ୟାସ ମରାମତି କରୁଥିବା ଦେବେନ୍ଦ୍ର ମହାନ୍ତିଙ୍କୁ ମରାମତି ପାଇଁ ଡାକିଥିଲେ ବିଶ୍ୱନାଥ । ମରାମତି ସମୟରେ ହଠାତ ଗ୍ୟାସହାଣ୍ଡି ଉପରେଥିବା ଠିପି ଖୋଲି ଯାଇଥିଲା । ନିକଟରେ ଜଳୁଥିବା କାଠଚୁଲାରୁ ନିଆଁକୁ ଟାଣି ଆଣିଥିଲା ଗ୍ୟାସ । ଦେଖୁ ଦେଖୁ ବିଶ୍ୱନାଥ, ପତ୍ନୀ ସୁବାସିନୀ, ପୁଅ କିଷନ ଓ ମରାମତି କରିବାକୁ ଆସିଥିବା ଦେବେନ୍ଦ୍ରଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଚାରି ଜଣଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲକୁ ନେଇଥିଲେ ପରିବାର ଲୋକେ । ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।

ଅବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୫ ତାରିଖରେ ଜୀବନ ସହ ସଂଗ୍ରାମ କରି ହାରି ଯାଇଥିଲା ପୁଅ କିଷନ । ପୁଅ ଆର ପାରିକି ଚାଲି ଯାଇଥିବା ବେଳେ ଏହାର ଗୋଟିଏ ଦିନ ପରେ ବାପା ବିଶ୍ୱନାଥଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଚାରି ଭାଇଙ୍କ ଭିତରେ ବିଶ୍ୱନାଥ ଦ୍ୱିତୀୟ ଭାଇ ହୋଇଥିବା ବେଳେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । କାନ୍ଦ ବୋବାଲି ଫାଟି ପଡ଼ୁଛି ଘର । ଘରର ଦୁଇ ଦୁଇ ଜଣ ପୁରୁଷଙ୍କୁ ହରାଇ ସାରିଛି ପରିବାର । ମାଆ ଏବେ ବିଶାଖାପାଟଣାର ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏପଟେ ଘରେ ସ୍ୱାମୀର କ୍ରିୟାକର୍ମ ଜାରି ରହିଛି ।

ବିଶ୍ୱନାଥ ତାଙ୍କ ଘରପାଖ ଛକରେ ଏକ ଚା ଦୋକାନ କରି ପରିବାର ଚଳାଉଥିଲେ । କିଷନ ବାଙ୍ଗାଲୋରରେ ରହି ଘରୋଇ କମ୍ପାନୀରେ ଚାକିରି କରୁଥିଲେ । କିଛି ଦିନ ହେବ ଘରକୁ ଆସିଥିବା ବେଳେ ଏପରି ଏକ ଅଘଟଣ ଘଟି ଯାଇଛି । ମାଆକୁ ଭଲ ଚିକିତ୍ସା ଯୋଗାଇ ଦେଲେ ସେ ବଞ୍ଚିଯିବେ ବୋଲି ପରିବାର ଲୋକେ ଦାବି କରିଛନ୍ତି । ଏହାସହ ସେମାନେ ସାହାଯ୍ୟର ଭିକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.