କରୋନା କରିଦେଲା ସଫଳ ଉଦ୍ୟୋଗୀ, ଆଗରୁ ପର ପାଖେ ଖଟୁଥିବା ରଞ୍ଜନ ଏବେ ନିଜେ ମାଲିକ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଗୁଣ୍ଠି ଗାଁର ଜଣେ ଯୁବକ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ବି ରହିଛି । ତାଙ୍କ ନାଁ ହେଉଛି ରଞ୍ଜନ କୁମାର ସାହୁ। ରଞ୍ଜନ ଦୀର୍ଘ ୨୧ ବର୍ଷ ହେଲା ବିଭିନ୍ନ କପଡା ଉଦ୍ୟୋଗରେ କାମ କରି ଆସୁଥିଲେ। ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତାରୁ ଆରମ୍ଭ କରି ନେପାଳର ଏକ କମ୍ପାନୀରେ ମଧ୍ୟ ସେ ପ୍ରଡକ୍ସନ ମ୍ଯାନେଜର ଭାବେ କାମ କରିଛନ୍ତି। ନିଜର ଏହି କ୍ଯାରିଅର ଭିତରେ ସେ ବହୁ ସଫଳତା ସହିତ ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ । ହେଲେ କରୋନା ମହାମାରୀ ସମୟରେ ସାରା ବିଶ୍ୱ ପ୍ରଭାବିତ ହେଲା। ରଞ୍ଜନ କାମ କରୁଥିବା କମ୍ପାନୀ ବି ବନ୍ଦ ହୋଇଗଲା। ତେଣୁ ବାଧ୍ୟ ହୋଇ ସେ ନିଜ ଗାଁକୁ ଫେରି ଆସିଲେ। ଅନ୍ଯପଟେ କେରଳର ଏକ କପଡା ଉଦ୍ୟୋଗରେ କାମ କରୁଥିବା ୧୫୦ଜଣ ଯୁବତୀ ମଧ୍ୟ ଗାଁକୁ ଫେରି ଆସିଥିଲେ। ମାତ୍ର ତାଙ୍କୁ ଆଉ କେଉଁଠି କାମ କରିବାର ସୁଯୋଗ ମିଳିଲା ନାହିଁ । ଭୋକ ଉପାସରେ ସେମାନେ ଦିନ କାଟୁଥିଲେ।
ସେମାନଙ୍କ ହୀନସ୍ତା ରଞ୍ଜନକୁ ଭାରି ଦୁଃଖ ଦେଲା। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ଚିନ୍ତା କଲେ। ଶେଷରେ ନିଜ ଗାଁରେ କପଡା କମ୍ପାନୀ ଖୋଲି ସେହି ଯୁବତୀମାନଙ୍କୁ ସେଥିରେ ନିଯୁକ୍ତି ଦେଲେ। ପାଠରେ ସିନା ମାଟ୍ରିକ ଫେଲ । ହେଲେ ରଞ୍ଜନଙ୍କ ପାଖରେ ଥିଲା ଦୀର୍ଘ ୨୧ ବର୍ଷର ଅଭିଜ୍ଞତା । ଯାହା ତାଙ୍କୁ କପଡ଼ା କମ୍ପାନୀ ଖୋଲିବା ପାଇଁ ଆତ୍ମବିଶ୍ୱାସ ଯୋଗାଇଲା । ଗାଁରେ ୩ ହଜାର ବର୍ଗଫୁଟର ଏକ କୋଠା ନିର୍ମାଣ କରି ପ୍ରାୟ ୧କୋଟି ୨୫ ଲକ୍ଷ ଟଙ୍କା ବ୍ଯୟରେ ରଞ୍ଜନ ନିଜର ଏକ କପଡା ପ୍ରତିଷ୍ଠାନ ପ୍ରତିଷ୍ଠା କଲେ। ନାଁ ରଖିଲେ ରୟାଲ ଗ୍ରୀନ ଗାର୍ମେଣ୍ଟ । ବିଭିନ୍ନ ରାଜ୍ଯରୁ କଞ୍ଚାମାଲ ଆଣି ବିଭିନ୍ନ କିସମର କପଡା ପ୍ରସ୍ତୁତ କରୁଛନ୍ତି। ଅନ୍ଯପଟେ କଲିକତାରୁ ୩ ଜଣ ପ୍ରଶିକ୍ଷକଙ୍କୁ ଆଣି ଏହି ଯୁବତୀମାନଙ୍କୁ ତାଲିମ ଦେଉଛନ୍ତି। ତେବେ ଜୀବିକା ହରାଇ ସଂକଟରେ ଥିବା ଏହି ଯୁବତୀମାନେ ନିଜ ଅଞ୍ଚଳରେ ଚାକିରି କରି ବେଶ୍ ଖୁସି ।
ଶିଳ୍ପ ବିହୀନ ଏହି ଅଞ୍ଚଳରେ ରଞ୍ଜନଙ୍କ କପଡ଼ା କମ୍ପାନୀ ଗୌରବର ସହ ମୁଣ୍ଡ ଟେକି ଠିଆ ହୋଇଛି । ନିଜର ଏହି ସାହସିକ କାମ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ତେବେ ଏସବୁ ଭିତରେ ସବୁଠୁ ବେଶି ଖୁସି ହୋଇଛନ୍ତି ରଞ୍ଜନଙ୍କ ପତ୍ନୀ ଓ ପୁଅ । କାରଣ ଦୀର୍ଘ ବର୍ଷ ପରେ ସେମାନେ ତାଙ୍କୁ ପାଖରେ ପାଇଛନ୍ତି।