ଖଇରୀ : ଏମିତି ଏକ ବାଘ ଯାହାର ବାପା ମା ଥିଲେ ମଣିଷ

କରଞ୍ଜିଆ (କେନ୍ୟୁଜ୍‌) : ମଣିଷ ଓ ପଶୁ ଭିତରେ ସମ୍ପର୍କ କେଉଁ ଆଦିମ କାଳରୁ । ହେଲେ ସବୁ ପ୍ରାଣୀଙ୍କ ସହିତ ମଣିଷର ବନ୍ଧୁତା ହୁଏ ନାହିଁ । ଆଉ ହିଂସ୍ର ବନ୍ୟଜନ୍ତୁଙ୍କ ସହ ତ ଆଦୌ ନୁହେଁ । ହେଲେ ଆମ ରାଜ୍ୟ ଓଡ଼ିଶାରେ ଏମିତି ଏକ ମହାବଳ ବାଘ ଥିଲା ଯିଏ ଇତିହାସ ରଚିଛି, ବିରଳ ଉଦାହରଣ ସାଜିଛି ମଣିଷ ଓ ବାଘର ସମ୍ପର୍କକୁ ନେଇ । ଶିମିଳିପାଳର ଖଇରୀ । ଯିଏ ଏବେବି ପ୍ରତ୍ୟେକ ମୟୁରଭଞ୍ଜବାସୀଙ୍କ ହୃଦୟରେ ରହିଛି । ଯିଏ ଏକଦା ଅନ୍ତର୍ଜାତୀୟ ସ୍ତରରେ ଶିମିଳିପାଳ ସମେତ ସାରା ରାଜ୍ୟ ପାଇଁ ସୁନାମ ଆଣିଥିଲା । ଆଜି ସେହି ଶିମିଳିପାଳ ରାଣୀକୁ ନେଇ ଆମର ରିପୋର୍ଟର ସ୍ପେସାଲ । ଆସନ୍ତୁ ଜାଣିବା କିଏ ଏହି ଖଇରୀ? କାହିଁକି ତାକୁ ନେଇ ଏତେ ଚର୍ଚ୍ଚା ଥିଲା ?

KHAIRI-2

ସୁନ୍ଦରୀ ଶିମିଳିପାଳ । ପ୍ରକୃତିର ଅନନ୍ୟ ଅବଦାନ । ୨୭୫୦ ବର୍ଗ କିଲୋମିଟର ପରିମିତ ଏହି ଅଞ୍ଚଳରେ କେବଳ ଅନେକ ପ୍ରକାର ବୃକ୍ଷଲତା ନାହାନ୍ତି ପୁଣି ଅଛନ୍ତି ବିଭିନ୍ନ ପ୍ରଜାତିର ଜୀବଜନ୍ତୁ । ସେଥିଲାଗି ତ ଶିମିଳିପାଳକୁ ଛୁଟି ଆସନ୍ତି ଦେଶ ବିଦେଶର ପର୍ଯ୍ଯଟକ । ତେବେ ଦର୍ଶକ ବନ୍ଧୁ ଆମେ ଆଜି କହିବୁ ଶିମିଳିପାଳ ରାଣୀର କଥା । ଏହି ଅଭୟାରଣ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ସୁନାମ ଆଣିବାରେ ଶିମିଳିପାଳର ରାଣୀ କୁହା ଯାଉଥିବା ଖଇରୀ ଅନେକ ଭୂମିକା ରହିଛି। ଆମେ କହୁଛୁ ଖଇରୀ ବାଘୁଣୀର କଥା । ୫.୧୦.୧୯୭୪ ମସିହାରେ ଜନ୍ମ ତାର । ଶିମିଳିପାଳରୁ ବାହାରି ଥିବା ଖଇରୀ ନଦୀ କୂଳରୁ ଏହି ବାପ ମା ଛେଉଣ୍ଡ ବାଘ ଛୁଆଟିକୁ ଖଡ଼ିଆ ସମ୍ପ୍ରଦାୟର ଲୋକମାନେ ପାଇଥିଲେ। ତାକୁ ଏକୁଟିଆ ଦେଖି ନେଇ ଆସିଥିଲେ ଆଉ ବନ ବିଭାଗ କର୍ମଚାରୀଙ୍କୁ ସମର୍ପି ଦେଇଥିଲେ । ଏହି ବାଘ ଛୁଆଟିର ସବୁ ଦାୟିତ୍ୱ ନେଇଗଲେ ସେତେବେଳ ସେଠାରେ ଦାୟିତ୍ୱ ତୁଲାଉଥିବା ବନ କର୍ମଚାରୀ ପଦ୍ମଶ୍ରୀ ସରୋଜ ଚୌଧୁରୀ । ସରୋଜ ଏବଂ ତାଙ୍କ ପତ୍ନୀ ତାକୁ ଏକ ବନ୍ୟପ୍ରାଣୀ ଭାବେ ନୁହେଁ ନିଜର ସନ୍ତାନ ଭଳି ପାଳିଲେ । ଖଇରୀକୁ ଯଶୀପୁରର ଧୋବାଡିହାରେ ରଖିଥିଲେ ସରୋଜ ।

KHAIRI-3

ପ୍ରଥମେ ଅମୁଲ ଓ କ୍ଷୀର ଦେଇ ତାକୁ ବଞ୍ଚାଇ ରଖିଲେ । ଧୀରେ ଧୀରେ ବଡ଼ ହେବାରୁ ଅମୁଲ ସହିତ କୁକୁଡ଼ା ଓ ଖାସି ମାଂସ ବି ଖାଇବା ଆରମ୍ଭ କଲା ଖଇରୀ । ଏହି ମହାବଳ ବାଘର ବିଶେଷ ଭାବେ ଯତ୍ନ ନିଆ ଯାଉଥିଲା । ତେବେ ତାରି ଭିତରେ ମହାବଳ ଓ ମଣିଷ ଭିତରେ ଗଢ଼ି ଉଠିଲା ଏକ ଅନନ୍ୟ ସମ୍ପର୍କ । ଯାହା ନିଶ୍ଚିତ ଭାବେ ବିରଳ ଥିଲା । ହିଂସ୍ରଜନ୍ତୁ ହୋଇଥିଲେ ବି ଖଇରୀ ପାଇଁ କିଛି ବନ୍ଧନ ନଥିଲା । ସେ ପଞ୍ଜୁରୀ ଭିତରେ ରହୁନଥିଲା କିି ଶିକୁଳିରେ ବନ୍ଧା ଯାଉନଥିଲା। ତେବେ ତାର ପ୍ରତି ମୁହୂର୍ତ୍ତର କାର୍ଯ୍ଯକଳାପକୁ ଲିପିବଦ୍ଧ କରୁଥିଲେ ବନ ବିଭାଗ କର୍ମଚାରୀ । ଖଇରୀ ବାଘ ପାଇଁ ୨୪ ଘଣ୍ଟା କର୍ମଚାରୀ ନିୟୋଜିତ ଥିଲେ । ଯାହା ଫଳରେ ବ୍ଯାଘ୍ର ସଂରକ୍ଷଣ ଏବଂ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ପଦାକୁ ଆସିପାରିଥିଲା । ଖଇରୀ ଓଡ଼ିଶାର ଏକମାତ୍ର ବାଘ ଥିଲା ଯିଏକି ମଣିଷ ସହିତ ଖୋଲାଖୋଲି ଭାବେ ମିଶି ପାରୁଥିଲା ।

KHAIRI-4

ଖଇରୀ ବାଘ ସହିତ ଗୋଟିଏ ହେଟା ବାଘ ଏବଂ କୁକୁର ମଧ୍ୟ ଥିଲେ । ତିନି ଜଣ ଅଲଗା ପ୍ରଜାତିର ପଶୁ ହେଲେ ମଧ୍ୟ ସେମାନଙ୍କ ବନ୍ଧୁତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେମାନେ କେବେବି ନିଜ ଭିତରେ ଲଢ଼େଇ କରୁନଥିଲେ । ବନ୍ଧୁତାର ଉଦାହରଣ ପାଲଟିଥିଲେ ଏହି ତିନି ପ୍ରାଣୀ । ଆଉ ଏମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ଛୁଟି ଆସୁଥିଲେ ଶହ ଶହ ପର୍ଯ୍ୟଟକ । ସ୍ନେହ, ଶ୍ରଦ୍ଧା ଆଉ ପ୍ରେମ ବଳରେ ହିଂସ୍ରଜନ୍ତୁକୁ ବି କୋଳେଇ ନେଇ ହେବ ଏବଂ ଜଙ୍ଗଲୀ ଜନ୍ତୁ ବି ନିଜ ସ୍ୱାଭବ ବଦଳାଇ ପାରିବ ଏକଥା ପ୍ରମାଣି କରି ଦେଖାଇଥିଲେ ସ୍ୱର୍ଗତଃ ସରୋଜ ଚୌଧୁରୀ ଏବଂ ତାଙ୍କ ପତ୍ନୀ। ସେ ସମୟରେ ଖଇରୀ ଏତେ ବିଖ୍ଯାତ ଥିଲା ଯେ ଖଇରୀ ନାଁ ରେ ମେସ, ରାସ୍ତା ଆଦି ନାମ କରଣ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ଖଇରୀର କାହାଣୀ ଛପାଗଲା । ଆଉ ଖଇରୀ ପାଲଟିଗଲା ସେଲିବ୍ରିଟି ।

ଖଇରୀକୁ ସକାଳ ଓ ସନ୍ଧ୍ୟାରେ ଦିନକୁ ଦୁଇଥର ମାଂସ ଖାଇବାକୁ ଦିଆ ଯାଉଥିଲା । ପଶୁ ଭଳି ସିନା ଖାଉଥିଲା ହେଲେ ତାର କେତେକ ଆଚାର ବ୍ୟବହାର ଥିଲା ଠିକ୍‌ ମଣିଷ ଭଳି । ଆଉ ଏକ ଆଶ୍ଚର୍ଯ୍ୟର କଥା ଥିଲା ଯେ ବାଘ ହେଲେ ବି ଖଇରୀ ସ୍ୱଚ୍ଛ ହେବା ପାଇଁ ସବୁବେଳେ ପାଇଖାନା ବ୍ୟବହାର କରୁଥିଲା । ପୁଣି ଶୋଉଥିଲା ପଦ୍ମଶ୍ରୀ ସରୋଜ ଚୌଧୁରୀଙ୍କ ଘରେ । ଏମିତିକି ଗୋଟିଏ ବିଛଣାରେ ସରୋଜ ଚୌଧୁରୀଙ୍କ ସ୍ତ୍ରୀ ଓ ଖଇରୀ ଶୋଉଥିଲେ। ଦୁହେଁ ଖଇରୀକୁ ଠିକ୍‌ ନିଜ ପୁଅ ଝିଅ ଭଳି ପାଳୁଥିଲେ । ନିଜ ହାତରେ ଖୁଆଇବା, ଗାଧେଇ ଦେବା ଓ ଶୁଆଇବା ଆଦି କରୁଥିଲେ ।

ହେଲେ କଥାରେ ଅଛି ସବୁ ଦିନ ସମାନ ଯାଏନି । ଦିନେ ଅଚାନକ ଘଟିଲା ଏକ ଅଘଟଣ । ଗୋଟିଏ ପାଗଳା କୁକୁର ଖଇରୀ ବାଘକୁ କାମୁଡି ଦେଲା। ଆଉ ତିନି ମାସ ପରେ ତାର ପ୍ରଭାବ ଦେଖାଗଲା ଖଇରୀ ଠାରେ । ଖଇରୀ ବି ବନ କର୍ମଚାରୀଙ୍କୁ କାମୁଡିବା ଆରମ୍ଭ କଲା। ଏହା ପରେ ତାକୁ ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା ପାଇଁ ଉଦ୍ୟମ କରାଗଲା । ହେଲେ ପ୍ରଥମ ଥର ଇଂଜେକସନ କାମ କରି ନଥିଲା । ତେଣୁ ବାଧ୍ୟ ହୋଇ ଡାକ୍ତର ଆଉ ଥରେ ତାକୁ ଟ୍ରାଙ୍କୁଲାଇଜ୍‌ କଲେ। ତେବେ ଇଂଜେକସନ ଯୋଗୁଁ ଆଉ ହୋସ ଫେରିଲା ନାହିଁ ଖଇରୀର । ସେହି ନିଦରେ ନିଦରେ ସମସ୍ତଙ୍କୁ ଛାଡ଼ି ଚାଲିଗଲା ଖଇରୀ ସବୁଦିନ ପାଇଁ । ୨୮.୦୩.୧୯୮୧ ମସିହାରେ ଖଇରୀର ମୃତ୍ୟୁ ହେଲା। ସେଇଠି ସରିଲା ମଣିଷ ଓ ହିଂସ୍ର ପଶୁ ଭିତରେ ସ୍ନେହ ସମ୍ପର୍କର ଏକ ବିରାଟ ଅଧ୍ୟାୟ । ଚାରିଆଡ଼େ ଖେଳିଗଲା ଶୋକର ଛାୟା ।

KHAIRI-5

ଖଇରୀ ମୃତ୍ୟୁ କେବଳ ତାକୁ ପାଳୁଥିବା ସରୋଜ ଏବଂ ତାଙ୍କ ପତ୍ନୀ କିମ୍ବା ବନ କର୍ମଚାରୀଙ୍କୁ ବାଧି ନଥିଲା । ତା ସହିତ ମର୍ମାହତ କରିଥିଲା ସାରା ରାଜ୍ୟବାସୀଙ୍କୁ । କାରଣ ଖଇରୀ ସିନା ଥିଲା ଏକ ଜଙ୍ଗଲୀ ବାଘ ହେଲେ ସେ ରାଜ୍ୟରେ ଘରେ ଘରେ ପରିଚିତ ହୋଇ ସାରିଥିଲା ଏକ ଅତିପ୍ରିୟ ପୋଷା ପଶୁ ଭାବେ । …. ଖଇରୀ ମୃତ୍ୟୁକୁ ଏହା ଭିତରେ ୪୦ ବର୍ଷ ବିତି ଯାଇଛି। ତାକୁ ପାଳିଥିବା ପଦ୍ମଶ୍ରୀ ସରୋଜ ଚୌଧୁରୀ ବି ଆଉ ଏ ଦୁନିଆରେ ନାହାନ୍ତି । ତେବେ ଉପଯୁକ୍ତ ପରିବେଶ ଏବଂ ସ୍ନେହ ଶ୍ରଦ୍ଧା ପାଇଲେ ମହାବଳ ବାଘ ଭିତରୁ ବି ଦୂରେଇ ଯାଇ ପାରିବ ହିଂସ୍ରପଣ । ସୃଷ୍ଟି ହୋଇ ପାରିବ ବନ୍ଧୁତ୍ୱର ସମ୍ପର୍କ, ସେକଥା ଶିଖାଇ ଦେଇ ଯାଇଛି ଖଇରୀ । ସେଥିପାଇଁ ତ ତାକୁ ଦେଖିଥିବା ଓ ଜାଣିଥିବା ଲୋକେ ଆଜିବି ଭୁଲି ପାରି ନାହାନ୍ତି। ଭୁଲିପାରି ନାହାନ୍ତି ଖଇରୀ ବାଘର ଆନୁଗତ୍ୟ ଓ କାର୍ଯ୍ଯକାଳାପକୁ।

3

ଖଇରୀର ସ୍ମତି ଉଦ୍ଦେଶ୍ଯରେ ବନବିଭାଗ ତରଫରୁ ଯଶୀପୁର ଧୋବାଡିହାରେ ଏକ ସମାଧି ନିର୍ମାଣ କରାଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଖଇରୀ ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ଶିମିଳିପାଳକୁ ଗୁରୁତ୍ୱ ଦେଇ ପରବର୍ତ୍ତୀ ସମୟରେ ଏହାକୁ ବ୍ଯାଘ୍ର ପ୍ରକଳ୍ପ ଘୋଷଣା କରିଥିଲେ । ମାର୍ଚ୍ଚ ୨୮ ତାରିଖ ହେଉଛି ଖଇରୀର ମୃତ୍ୟୁ ବାର୍ଷିକୀ। କଳିଙ୍ଗ ଟିଭି ପରିବାର ତରଫରୁ ମଣିଷ ଭଳି ଚଳୁଥିବା ଏହି ବାଘକୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

ମୟୁରଭଞ୍ଜ କରଞ୍ଜିଆରୁ ସରୋଜ ବେହେରା, କେନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.