ଘରେ ରଖିଥିବା ଫଟୋ କିମ୍ବା ମୂର୍ତ୍ତିର କିଭଳି ଦୈନନ୍ଦିନ ପୂଜା କରିବେ ଜାଣନ୍ତୁ

ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜାର ବିଧି ରହିଛି । ହେଲେ ଏହି ବିଧି ଅନୁସାରେ ସମସ୍ତେ ପୂଜାର୍ଚ୍ଚନା କରନ୍ତି ନାହିଁ । କିଏ ବିଧି ନଜାଣିବା ଯୋଗୁଁ ହେଉ ଅବା ଆଉ କିଏ ସମୟ ଅଭାବରୁ ଉଚିତ ଢଙ୍ଗରେ । ଦେବାଦେବୀଙ୍କ ପୂଜା ଆରାଧନା କରନ୍ତି ନାହିଁ । ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏକି କେବଳ ଫୁଲ ପାଣି ପକାଇ ଦେଲେ ପୂଜା ହୋଇଯାଏ ବୋଲି ମନେ କରନ୍ତି । ଯାହା ଏବେ ଆମର ବିଭିନ୍ନ ମଣ୍ଡପରେ ହେଉଥିବା ମୂର୍ତ୍ତିଙ୍କ ନିକଟରେ ଦେଖିବାକୁ ମିଳୁଛି । ହେଲେ ପ୍ରତ୍ୟେକ କଥାର ଯେମିତି କିଛି ଧାରା ରହିଥାଏ ସେହିପରି ଦେବାଦେବୀଙ୍କ ପୂଜାର୍ଚ୍ଚନାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଥା ପରମ୍ପରା ରହିଥାଏ । ଏସବୁ ଜାଣିବା ପାଇଁ ଅନେକ ପୁସ୍ତକ ବଜାରରେ ମିଳୁଛି । ହେଲେ ଆଜି ଆମେ ଆପଣଙ୍କୁ ଏସବୁ ବିଧି ବିଷୟରେ କହିବୁ । ବିଶେଷ କରି ଘରେ ମୂର୍ତ୍ତି ରଖି ପୂଜା କରୁଥିବା ଲୋକମାନେ ଏସବୁ ଜାଣିବା ଦରକାର ଏବଂ ତାକୁ ମାନିବା ମଧ୍ୟ ଆବଶ୍ୟକ । ଅବଶ୍ୟ ମନ୍ଦିର ପୂଜା ଓ ଘରେ ମୂର୍ତ୍ତି ପୂଜାରେ କିଛି ଫରକ ଥାଏ । ତେବେ ଘରେ ପୂଜାର୍ଚ୍ଚନା କଲା ବେଳେ କିଛି କଥାକୁ ବିଶେଷ ଭାବେ ଧ୍ୟାନ ଦିଆଯାଏ । ଆସନ୍ତୁ ଜାଣିବା ଏହି ସବୁ ପୂଜାର୍ଚ୍ଚନା ବିଷୟରେ ।

ପ୍ରଥମ କଥା ହେଉଛି ଯେକୌଣସି ପୂଜାର୍ଚ୍ଚନା ପୂର୍ବରୁ ନିଜ ମନ ଓ ଶରୀରକୁ ପବିତ୍ର ରଖିବା ନିହାତି ଦରକାର । ସକାଳ ପୂଜାରେ ସ୍ନାନ ପରେ ଶୁଦ୍ଧ ବସ୍ତ୍ର ପିନ୍ଧି ଈଶ୍ୱରଙ୍କୁ ସ୍ମରଣ କରିବେ । ଯଦି ଦିନ ଓ ତିଥି ଅନୁସାରେ କୌଣସି ଉପବାସ ଆଦି କରିବାର ଅଛି ତେବେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବେ । ଏହାଦ୍ୱାରା ନିଜ ହୃଦୟ ପବିତ୍ର ଓ ଶାନ୍ତ ହୋଇ ରହିବ । ଆଉ ଶାନ୍ତ ମନରେ ଠାକୁରଙ୍କୁ ଡାକିଲେ ତାର ଫଳ ମଧ୍ୟ ଆପଣ ଅନୁଭବ କରି ପାରିବେ ।

ନିଜର ନିତ୍ୟକର୍ମ ପରେ ଯେତେବେଳେ ପୂଜା ଆରମ୍ଭ କରିବେ ଏହା ପୂର୍ବରୁ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରି ମନରେ କହିବେ କି ‘ପ୍ରଭୁ ମୁଁ ଆପଣଙ୍କର କୌଣସି ପୂଜା ବିଧି ଜାଣି ନାହିଁ । ଆପଣ ମୋ ଦ୍ୱାରା ନିଜେ ହିଁ ନିଜର ପୂଜା କରାନ୍ତୁ’ । ଏହାପରେ ହଳଦିଆ କିମ୍ବା ସଫା ଧଳା ବସ୍ତ୍ରରେ ଫଟୋ କିମ୍ବା ଠାକୁରଙ୍କ ମୂର୍ତ୍ତିକୁ ସଫା କରନ୍ତୁ । ଏହା ସ୍ନାନ ବୋଲି କୁହାଯିବ । ସ୍ନାନ ପାଣିରେ ଚନ୍ଦନ, କର୍ପୁର, ଅଗୁରୁ ଆସି ପକାଇ ପ୍ରଭୁଙ୍କ ଫଟୋ ଏବଂ ମୂର୍ତ୍ତିଗୁଡ଼ିକୁ ପୋଛି ଦିଅନ୍ତୁ । ପରେ ଆବଶ୍ୟକତା ଥିଲେ ବସ୍ତ୍ର ପିନ୍ଧାନ୍ତୁ । ଏହାପରେ ଫଟୋ କିମ୍ବା ମୂର୍ତ୍ତିରେ ଚନ୍ଦନ, କୁଙ୍କୁମ ଏବଂ ସୁନ୍ଦୂର ଦିଅନ୍ତୁ । ତା ପୂର୍ବରୁ କେଉଁ ଠାକୁରଙ୍କୁ ସିନ୍ଦୂର ଦିଆଯିବ ନାହିଁ ସେକଥା ମଧ୍ୟ ଜାଣି ରଖିବା ଉଚିତ ।

ଚନ୍ଦନ, ସିନ୍ଦୂର ପରେ ଠାକୁରଙ୍କୁ ବିଭିନ୍ନ ପ୍ରକାର ଫୁଲରେ ସଜାଇ ଦିଅନ୍ତୁ । ଏହାପରେ ପ୍ରଥମେ ଧୂପରେ ବନ୍ଦନା କରନ୍ତୁ ଏବଂ ତା ପରେ ଦୀପ ଦେଇ ବନ୍ଦାଇ ଦିଅନ୍ତୁ । ଧୂପ ଓ ଦୀପ ପରେ ଭୋଗ ଅର୍ପଣ କରନ୍ତୁ । ଯଦି ଏସବୁର ମନ୍ତ୍ର ଜାଣି ନାହାନ୍ତି ତେବେ କେବଳ ମନ ଭିତରେ ପ୍ରଭୁଙ୍କୁ ଚିନ୍ତା କରି ଏସବୁକୁ ସମର୍ପଣ କରନ୍ତୁ । ଭୋଗ ବା ନୈବେଦ୍ୟ ପରେ କର୍ପୁର ଅଳତୀ କରନ୍ତୁ । ଆଳତୀ ଶେଷ କରିବା ପରେ ତିନିଥର ପୁଷ୍ପାଞ୍ଜଳି ଦିଅନ୍ତୁ । ତେବେ ସମସ୍ତ ଦ୍ରବ୍ୟ ଅର୍ପଣ କଲା ବେଳେ କେବଳ ପ୍ରଭୁ ନୁହନ୍ତି ତାଙ୍କର ସପରିବାର ଏବଂ ବାହନ ଓ ଆୟୁଧଙ୍କୁ ମଧ୍ୟ ଏସବୁ ଅର୍ପଣ କରାଯାଇଥାଏ ।

ଏହା ସହିତ ଅବଶ୍ୟ ପୂଜା ସରିଗଲା ବୋଲି ଭାବନ୍ତୁ ନାହିଁ । କାରଣ ଅସଲ କାମ ଶେଷକୁ ଅଛି । ଶେଷରେ ପ୍ରଭୁଙ୍କ ଠାରୁ କ୍ଷମା ପ୍ରାର୍ଥନା କରନ୍ତୁ କି ପ୍ରଭୁ ମୋତେ ଆପଣଙ୍କ ପୂଜାବିଧି ଜଣା ନାହିଁ । ସବୁ କିଛି ତୁମରି କୃପା । ମୋତେ କ୍ଷମା କରିବେ । ଆପଣଙ୍କ କୃପା ମୁଁ ଓ ମୋର ପରିବାର ଉପରେ ବରଷୁ ଥାଉ । ମୋତେ ଉଚିତ ପଥର ପଥଚାରୀ କରାନ୍ତୁ । ଏଭଳି ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ଦେବାଦେବୀ ପ୍ରସନ୍ନ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.