ଘରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଏହି ମନ୍ଦିର

କୁହାଯାଏ ପ୍ରେମରେ ସବୁବେଳେ ବାଧକ ସାଜନ୍ତି ପରିବାର ଲୋକ । ତେଣୁ ଅନେକ ସମୟରେ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇ ଯାଆନ୍ତି ନିଜ ସ୍ୱପ୍ନ ସାକାର କରିବା ପାଇଁ । ଫେରାର ହୋଇ ଯାଆନ୍ତି ନିଜ ସହରରୁ। ତେବେ ଏଭଳି ନିଷ୍ପତ୍ତି ସେମାନଙ୍କ ପାଇଁ ଆହୁରି କଷ୍ଟକର ହୁଏ । ଘରୁ ବାହାରି ଯିବା ପରେ ଅନେକ ବିପଦ ଓ ଅସୁବିଧାର ସାମନା କରିବାକୁ ପଡେ । କେତେବେଳେ ଘରଲୋକଙ୍କ ଡର ଥାଏ ତ ପୁଣି କେତେବେଳେ ପୋଲିସର ଡର ।

କିନ୍ତୁ ଆମେ କହିବାକୁ ଯାଉଥିବା କଥାଟି ଯଦି ବିଶ୍ୱାସକୁ ନିଅନ୍ତି ତେବେ ଆଉ ଡରିବାର କୌଣସି କାରଣ ରହିବ ନାହିଁ । ଆପଣ ଯଦି ନିଜର ଠିକ ଜୀବନ ସାଥୀ ପାଇ ଘରୁ ପଳାଉଛନ୍ତି ତେବେ ଆପଣଙ୍କୁ ରକ୍ଷା କରିବେ ପ୍ରଭୁ ଶିବ ଶଙ୍କର । କଥାଟି ସମସ୍ତଙ୍କୁ ଟିକେ ଅଡୁଆ ଲାଗି ପାରେ। ହେଲେ ଆମ ପୂର୍ବ ପୁରୁଷ ପରା କହିଯାଇଛନ୍ତି ବିଶ୍ୱାସେ ମିଳଇ ହରି । ତେଣୁ ଥରେ ବିଶ୍ୱାସ କରି ଦେଖନ୍ତୁ ଓ ଭରସା ଭରନ୍ତୁ ପ୍ରଭୁ ଭୋଳାନାଥଙ୍କୁ ।

ମାନ୍ୟତା ରହିଛି ଯେ ଏହି ଗାଁର ଲୋକଙ୍କୁ ଭଗବାନ ଶିବଙ୍କ ନିର୍ଦ୍ଦେଶ ରହିଛି । ଏମାନେ ପ୍ରେମୀ ଯୁଗଳଙ୍କର ରକ୍ଷା କରିବେ । ବିପଦରେ ପଡ଼ି ଏହି ମନ୍ଦିରକୁ ଆସି ଆଶ୍ରୟ ନେଉଥିବା ପ୍ରେମିକ ପ୍ରେମିକାଙ୍କୁ ସୁରକ୍ଷା ଦେବେ । କିମ୍ବଦନ୍ତୀ ଅନୁସାରେ ଯେତେବେଳେ ପାଣ୍ଡବ ଅଜ୍ଞାତବାସ କରିଥିଲେ ସେତେବେଳେ ସେମାନେ ଏହି ସ୍ଥାନରେ ହିଁ ପହଞ୍ଚିଥିଲେ ଓ ଗାଁ ଲୋକେ ତାଙ୍କୁ ପୂରା ସହାୟତା କରିଥିଲେ । ଆଉ ସଙ୍ଗଚୁଲ ମହାଦେବ ମଧ୍ୟ ସେମାନଙ୍କୁ ରକ୍ଷା କରିଥିଲେ । ଠିକ ସେମିତି ଘରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ହୁଏତ ସମାଜ ପ୍ରତ୍ୟାଖ୍ୟାନ କରି ପାରେ, କେହି ସେମାନଙ୍କୁ ସାହାଯ୍ୟ କରି ନପାରନ୍ତି କିନ୍ତୁ ବିଶ୍ୱାସ ରହିଛି ଯେ ସେମାନଙ୍କ ପାଇଁ ଏହି ମନ୍ଦିର ଦ୍ୱାର ସବୁବେଳେ ଖୋଲା । ହିମାଚଳ ପ୍ରଦେଶରେ ଥିବା ସଙ୍ଗଚୁଲ ମହାଦେବଙ୍କ ମନ୍ଦିର ହେଉଛି ପ୍ରେମୀ ଯୋଡ଼ିଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ । ଏଠି ସ୍ୱୟଂ ପ୍ରଭୁ ଦେବ ଦେବ ମହାଦେବ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଅନ୍ତି । ଏହି ମନ୍ଦିର ଏମିତି ଏକ ସ୍ଥାନରେ ରହିଛି ଯେ ଏଠି କାହାର ବି ଭୟ ନାହିଁ । ଏହି ସ୍ଥାନକୁ ପୋଲିସ ମଧ୍ୟ ଆସନ୍ତି ନାହିଁ । ପୁଣି ଘରୁ ଫେରାର ହୋଇ ଆସିଥିବା ପ୍ରମୀ ଯୁଗଳଙ୍କ ପାଇଁ ଏଠାରେ ସବୁ ବ୍ୟବସ୍ଥା କରାଯାଇଛି ।

ଏହି ମନ୍ଦିର ଓ ଏହାର ଆଖପାଖରେ ରହୁଥିବା ଲୋକେ ପ୍ରେମୀ ଯୁଗଳଙ୍କୁ ଭବ୍ୟ ସ୍ୱାଗତ କରି ଥାଆନ୍ତି । ଏହି ସଙ୍ଗଚୁଲ ମହାଦେବ ମନ୍ଦିରଟି ହିମାଚଳ ପ୍ରଦେଶର କୁଲୁଠାରେ ରହିଛି। ପାଖରେ ରହିଛି କୁଲୁ ଜିଲ୍ଲାର ଶାଙ୍ଗଡ଼ ଗ୍ରାମ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସ୍ଥାନ ଦୁନିଆର ସବୁଠାରୁ ସୁରକ୍ଷିତ ଜାଗା ବୋଲି କୁହାଯାଇଛି । ଶାଙ୍ଗଡ ଗାଁରେ ଏକ ଭିନ୍ନ ପରମ୍ପରା ରହିଛି । ଯଦି ଏହି ଗାଁର ପାଖାପାଖି ବିପଦରେ ପଡ଼ିଥିବା କୌଣସି ପ୍ରେମୀ ଯୁଗଳ ଆସି ଯାଆନ୍ତି ତେବେ ତାଙ୍କ ସୁରକ୍ଷା ଗାଁ ଲୋକେ କରନ୍ତି ।

ଏଠାକାର ଲୋକେ କୁହନ୍ତି ଯେ ତାଙ୍କ ଗାଁକୁ ଓ ମନ୍ଦିରକୁ ଆସୁଥିବା ପ୍ରେମୀ ଯୁଗଳଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ ସ୍ୱୟଂ ଭଗବାନ ଶିବ ଶଙ୍କରଙ୍କର ଆଦେଶ ରହିଛି । ପରମ୍ପରା ଅନୁସାରେ ଗାଁ ଭିତରକୁ କେହି ବି କୌଣସି ଅସ୍ତ୍ରଶସ୍ତ୍ର ଧରି ପଶି ପାରିବେ ନାହିଁ। ପୁଣି ଗାଁ ଲୋକେ ପ୍ରେମୀ ଯୁଗଳଙ୍କୁ ବଞ୍ଚାଇବା ତାଙ୍କର କର୍ତ୍ତବ୍ୟ ବୋଲି ଭାବନ୍ତି । ଯେପର୍ଯ୍ୟନ୍ତ ପ୍ରେମୀ ଯୁଗଳଙ୍କ ପରିବାରଙ୍କ ମଧ୍ୟରେ ସବୁ କିଛି ଠିକଠାକ ନ ହୋଇଛି ସେ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଥିବା ବ୍ରାହ୍ମଣମାନେ ପ୍ରେମୀ ଯୁଗଳଙ୍କ ରକ୍ଷା କରିଥାଆନ୍ତି । ଏମିତିକି ତାଙ୍କ ରହିବା, ଖାଇବା ସବୁ ଦାୟିତ୍ୱ ଏଠାରେ ଥିବା ଲୋକେ ନିଅନ୍ତି । କୌଣସି ବ୍ୟକ୍ତି ପ୍ରେମୀ ଯୁଗଳଙ୍କୁ କିଛି ବି କହିପାରିବେ ନାହିଁ । ଏମିତିକି ଏହି ଗ୍ରାମରେ ବଡ଼ ପାଟିରେ କଥା ହେବା ବି ମନା । ଆହୁରି ମଧ୍ୟ ଏହି ଗାଁ ଲୋକଙ୍କ ମଧ୍ୟରେ କେବେ କଳି ଝଗଡ଼ା କିମ୍ବା ଗଣ୍ଡଗୋଳ ହେବାାର ଦେଖା ଯାଇନି । ଏହି ଗାଁ ଲୋକେ ଏତେ ଶାନ୍ତିପ୍ରିୟ ଯେ କାହାକୁ କେହି ଗାଳି ଦେବା ମଧ୍ୟ ଶୁଣିବାକୁ ମିଳିନି । ସେଥିଲାଗି ଏହି ଗାଁ ସମ୍ପର୍କରେ ଜାଣିଥିବା ଅନେକ ପ୍ରେମିକ ପ୍ରେମିକା ଏଠାକୁ ପଳାଇ ଆସନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.