ସ୍ୱପ୍ନ ଆଗରେ ବାଧକ ସାଜିନି ବୟସ, ୩୯ ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇ ରେକର୍ଡ କଲେ ସଫ୍ଟୱେୟାର ଇଞ୍ଜିନିୟର

କିଛି କରିବାର ଇଚ୍ଛା ଥିଲେ ସବୁ ବାଧାବିଘ୍ନ ବି ତୁଚ୍ଛ ଲାଗେ। ନିଜ ସ୍ୱପ୍ନ ପୂରଣ କରିବାକୁ ଯଦି ଜଣେ ମନସ୍ଥ କରିଥାଏ ତେବେ ସବୁ ପରିସ୍ଥିତିର ମୁକାବିଲା କରି ସେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଏ। କୌଣସି ଜିନିଷ ତା’ ପାଇଁ ବାଧକ ସାଜିପାରେନା। ସାଧାରଣତଃ ଗୋଟିଏ ବୟସରେ ଉପନୀତ ହେବା ପରେ ଆମେ ଆମ ସ୍ୱପ୍ନ ଆଉ ପୂରଣ ହୋଇପାରିବନି ବୋଲି ଭାବିଥାଉ। ବୟସ ହୋଇଯାଇଛି କହି ପିଲା ଦିନର ସ୍ୱପ୍ନକୁ ଅଧାରେ ଛାଡ଼ି ଦେଉ। ଖାସ୍ କରି ୩୦ ଟପିବା ପରେ ଲୋକେ ପ୍ରଫେସନ୍ ବଦଳାଇବା କଥା ଚିନ୍ତା ବି କରିପାରନ୍ତି ନାହିଁ। କିନ୍ତୁ ସତୀଶ କୁମାର ନାମକ ଜଣେ ଯୁବକ କିନ୍ତୁ ଏସବୁ ବାହାନାକୁ ନିଜ ସ୍ୱପ୍ନ ପୂରଣ କରିବା ରାସ୍ତାର ବାଧକ ସାଜିବାକୁ ଦେଇନାହାନ୍ତି ଓ ୩୯ ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇ ପାଲଟିଯାଇଛନ୍ତି ଉଦାହରଣ।
ବିଶ୍ୱାସ ହେଉନଥିଲେ ବି କଥାଟି ସତ। ୩୯ ବର୍ଷ ବୟସରେ ନିଜ ପ୍ରଫେସନ୍କୁ ଛାଡ଼ି ସ୍ୱପ୍ନ ପୂରଣ କରିବାରେ ସମର୍ଥ ହୋଇଛନ୍ତି ସତୀଶ କୁମାର। ନିଜର ଏହି ସଂଘର୍ଷମୟ ଜୀବନୀ ସମ୍ପର୍କରେ ସତୀଶ ନିକଟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଏବେ ଅନ୍ୟ ଯୁବପିଢ଼ିଙ୍କ ପାଇଁ ସାଜିଛି ଉଦାହରଣ ଓ ଆଗକୁ ବଢ଼ିବାକୁ ପ୍ରେରଣା। ସତୀଶ ୩୭ ବର୍ଷ ଯାଏଁ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରିବା ପରେ ପୁଣିଥରେ ସ୍ୱପ୍ନ ଜୀଇଁବାକୁ ଚାହିଁଥିଲେ। କିନ୍ତୁ କାଳେ ଅଧାରୁ ହାରିଯିବେ ସେ ଭୟ ବି ତାଙ୍କ ମନରେ ଥିଲା। କିନ୍ତୁ ଚେଷ୍ଟା ଅବ୍ୟାହତ ରଖିଥିଲେ। ଫଳସ୍ୱରୂପ ୩୯ ବର୍ଷ ବୟସରେ ଅନ୍ୟ ଯୁବକଙ୍କୁ ପଛରେ ପକାଇ ପାଲଟିଯାଇଛନ୍ତି ଭାରତୀୟ ଯବାନ।

ସତୀଶଙ୍କ କାହାଣୀ ଥିଲା କିଛି ଏମିତି। ୩୭ ବର୍ଷ ବୟସରେ ସେ ସେନା ବାହିନୀରେ ଯୋଗ ଦେବାକୁ ଦେଢ଼ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରେ ଲିଖିତ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ମାତ୍ର ୨୦୭୯ ଜଣ ସିଲେକ୍ଟ ହୋଇଥିବା ବେଳେ ସତୀଶ ଥିଲେ ସେମାନଙ୍କ ମଧ୍ୟରୁ ଜଣେ। ଲିଖିତ ପରୀକ୍ଷାରେ ପାସ୍ କରିବା ପରେ ଇଣ୍ଟରଭ୍ୟୁ ପାଇଁ ସେ ପୁଣେରେ ପହଞ୍ଚିଥିଲେ। ସେତେବେଳେ ତାଙ୍କ ସହ ଇଣ୍ଟରଭ୍ୟୁ ଦେଉଥିବା ସମସ୍ତ ଯୁବକଙ୍କ ବୟସ ୩୦ କିମ୍ବା ତା’ଠାରୁ କମ୍ ଥିଲା। ଯାହା ସତୀଶଙ୍କ ମନୋବଳକୁ ଟିକେ ଦୁର୍ବଳ କରିଦେଇଥିଲା। ସେନାରେ ଯୋଗ ଦେବାକୁ ଯୁବପିଢ଼ିଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ କାଳେ ତାଙ୍କୁ ରିଜେକ୍ଟ କରିଦିଆଯିବ ତାହା ଭାବି ଟିକେ ଦୁଃଖିତ ହୋଇଯାଇଥିଲେ ସତୀଶ।
କିନ୍ତୁ କୁହାଯାଏ ନା ଇଚ୍ଛା ଥିଲେ ଉପାୟ ଆପେ ମିଳେ। ତାହା ହିଁ ଘଟିଥିଲା ସତୀଶଙ୍କ କ୍ଷେତ୍ରରେ। ସେଠାରେ ସେ ଏତେ ଚମତ୍କାର ଇଣ୍ଟରଭ୍ୟୁ ଦେଇଥିଲେ ଯେ ପରବର୍ତ୍ତୀ ରାଉଣ୍ଡ ପାଇଁ ତାଙ୍କୁ ଚୟନ କରାଯାଇଥିଲା। ଯାହାର ନାଁ ହେଉଛି ଏସ୍ଏସ୍ବି। ଏହା ଏକ ୫ ଦିନିଆ ପ୍ରୋସେସ୍, ଯାହା ସମସ୍ତ ଅଫିସରଙ୍କୁ କ୍ଳିୟର କରିବାକୁ ପଡ଼ିଥାଏ ଓ ସିଲେକ୍ସନ୍ର ଏହା ଏକ ଗୁରୁତ୍ୱପୂର୍ଣ୍ଣ ତଥା କଷ୍ଟ ପାର୍ଟ ବୋଲି କୁହାଯାଏ। ଏହି ପରୀକ୍ଷାରେ ସତୀଶ ପାସ୍ କରିଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେହି ରାଉଣ୍ଡରେ ସତୀଶଙ୍କୁ ମିଶାଇ ମାତ୍ର ୪ ଜଣ ହିଁ ଉତ୍ତୀର୍ଣ୍ଣ ହୋଇଥିଲେ।
କିନ୍ତୁ ତା’ ପର ରାଉଣ୍ଡ ମେଡିକାଲ ଟେଷ୍ଟରେ ୪ ପ୍ରତିଯୋଗୀଙ୍କୁ ରିଜେକ୍ଟ କରିଦିଆଯାଇଥିଲା। ମାତ୍ର ଏହି ରିଜେକ୍ସନ୍ ପରେ ପ୍ରାର୍ଥୀଙ୍କୁ ପୁଣିଥରେ ଅପିଲ କରିବାକୁ ସୁଯୋଗ ମିଳେ। ଏହି ସୁଯୋଗକୁ ହାତ ଛଡ଼ା କରିନଥିଲେ ସତୀଶ। ସେ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲ ଚୟନ କରିଥିଲେ ଓ ସେପ୍ଟେମ୍ବର ୨୦୨୦ରେ ମେଡିକାଲ କ୍ଲିୟର କରିଥିଲେ।
ଏହା ପରେ ଡକ୍ୟୁମେଣ୍ଟେସନ୍ ହୋଇଥିଲା। ପ୍ରାୟ ୬ ମାସ ଅପେକ୍ଷା କରିବା ପରେ ଏପ୍ରିଲ ୨୦୨୧ରେ ତାଙ୍କୁ ଅଫର ଲେଟର ମିଳିଥିଲା। ଏବେ ସେ ଗ୍ରେନାଡିୟର ବାଟାଲିୟନ୍ ଜଏନ୍ କରିଛନ୍ତି। ଏହି ଅଫର ଲେଟର ପାଇବା ପରେ ତାଙ୍କ ଖୁସିର ସୀମା ରହିନଥିଲା ବୋଲି କହିଛନ୍ତି ସତୀଶ। ସେ ସବୁ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ନିଜ ସ୍ୱପ୍ନକୁ ପୂରଣ କରିବାକୁ ସମସ୍ତ ଚେଷ୍ଟା କରନ୍ତୁ କେବେ ବି ଅଧୁରା ଛାଡ଼ନ୍ତୁ ନାହିଁ। ଯଦି ଆପଣ ନିଜ ସ୍ୱପ୍ନ ପୂରା କରିବାକୁ ଲାଗିପଡ଼ିବେ ତେବେ ଭଗବାନ ବି ଆପଣଙ୍କ ସାଥ୍ ଦେବେ ନିଶ୍ଚୟ।