ନଅ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ କରୋନା ଭାଇରସ୍, ଜାଣନ୍ତୁ ଏହାକୁ ମୂଳପୋଛ କରିବା ଉପାୟ
ଚୀନ୍ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପୁଥିବା କରୋନା ଭାଇରସ୍କୁ ନେଇ ବିଭିନ୍ନ ସ୍ଥାନରେ ଗବେଷଣା ଜାରି ରହିଛି। ଏହି ମାମଲାରେ କେବଳ ଚୀନ୍ରେ ୧୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୫,୦୦୦ ଟପିଥିବା ଜଣାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ନୂଆ ନାଁ ଦେଇଛି ‘କୋଭିଡ୍-୧୯’।
ନିକଟରେ ଜର୍ମାନୀର ରୁହ୍ର ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସିଟି ଅଫ୍ ଗ୍ରୀଫ୍ସଓ୍ଵାର୍ଲ୍ଡର ବିଶେଷଜ୍ଞଙ୍କୁ ନେଇ କରୋନା ଭାଇରସ୍ ଉପରେ ଏକ ସର୍ଭେ କରାଯାଇଥିଲା। ସେଥିରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।
- ରିସର୍ଚ୍ଚ ମୁତାବକ, କରୋନା ଭାଇରସ୍ ଅନ୍ୟ ଫ୍ଲୁ ଭାଇରସ୍ ତୁଳନାରେ ପ୍ରାୟ ୪ ଗୁଣ ଅଧିକ ସମୟ ବଞ୍ଚିରହିପାରିବ। ସାଧାରଣ ଫ୍ଲୁ ଭାଇରସ୍ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଜୀବିତ ରହିପାରୁଥିବାରୁ କରୋନା ୯-୧୦ ଯାଏଁ ଜୀବିତ ରହିପାରିବ ବୋଲି ଜଣାଯାଇଛି।
- ଏହା କେବଳ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ହିଁ ବ୍ୟାପେନି, ନିର୍ଜୀବ ବସ୍ତୁରୁ ମଧ୍ୟ ସଂକ୍ରମିତ ହୋଇପାରେ।
- କାଠ, କାଚ, ପ୍ଲାଷ୍ଟିକ୍ କିମ୍ବା ଅନ୍ୟାନ୍ୟ ଧାତୁ ଆଦିରେ କରୋନା ୯ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ।
- ସେହିପରି ୪ ଡିଗ୍ରୀରୁ କମ୍ ତାପମାତ୍ରାରେ ଏହା ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିରହିପାରେ। ୩୦ ଡିଗ୍ରୀ କିମ୍ବା ତଦୂର୍ଦ୍ଧ୍ୱ ତାପମାତ୍ରାରେ ଏହି ଭାଇରସ୍ର ବଞ୍ଚିରହିବା କ୍ଷମତା କମ୍ ହୋଇଯାଏ।
- ରିସର୍ଚ୍ଚରେ ଜଣାଯାଇଛି ଯେ କରୋନା ଭାଇରସ୍କୁ ଡିସ୍ଇନ୍ଫେକ୍ଟାଣ୍ଟ ସାହାଯ୍ୟରେ ମାରି ହେବ।
- ଆଲକହଲରେ ମାତ୍ର ଗୋଟେ ମିନିଟ୍ରେ କରୋନାକୁ ମାରି ହେବ। ସେହିପରି ବ୍ଲିଚ୍ ସାହାଯ୍ୟରେ ଏହାକୁ ୩୦ ସେକେଣ୍ଡରେ ମାରି ହେବ। ଅର୍ଥାତ୍ ନିର୍ଜୀବ ବସ୍ତୁକୁ ଏହି ଡିସ୍ଇନ୍ଫେକ୍ଟାଣ୍ଟ ସାହାଯ୍ୟରେ ସଫା କରିବା ଦ୍ୱାରା ସଂକ୍ରମଣ କମ୍ ହୋଇଥାଏ।
- ରିପୋର୍ଟ ମୁତାବକ ସଂକ୍ରମିତ ବ୍ୟକ୍ତି ଠାରୁ କୌଣସି ସୁସ୍ଥ ବ୍ୟକ୍ତିକୁ କରୋନା ବ୍ୟାପିବାକୁ ମାତ୍ର ୧୫ ସେକେଣ୍ଡ ଲାଗିଥାଏ।
- ତେବେ ନିର୍ଜୀବ ବସ୍ତୁଠାରେ ଥିବା କରୋନା ଭାଇରସ୍ ମଣିଷକୁ ବ୍ୟାପିବାକୁ କେତେ ସମୟ ଲାଗେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
- ସୁରକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ଆଲକହଲରେ ହାତ ଧୋଇବା ପାଇଁ ପରାମର୍ଶ ଦେଇଛି।
- କୁହାଯାଉଛି ଯେ କରୋନା ସଂକ୍ରମିତ ଜିନିଷକୁ ସିଧାସଳଖ ଛୁଇଁବା ଦ୍ୱାରା ଏହା ବ୍ୟାପୁଛି। କିଛି ଦିନ ତଳେ ଚୀନ୍ ବିଶେଷଜ୍ଞ କହିଥିଲେ ଯେ ବାୟୁ ମାଧ୍ୟମରେ କରୋନା ବ୍ୟାପିଥାଏ। ଏହାକୁ ଏୟରୋସୋଲ ଟ୍ରାନ୍ସମିଶନ କୁହାଯାଉଛି।